ସରାଙ୍ଗ ଇଞ୍ଜିନିୟରିଂ କଲେଜ ପାଇବ ନୂଆ ରୂପ: ଶୀଘ୍ର ଆରମ୍ଭ ହେବ ଜାତୀୟ ରାଜପଥ କାମ

ତାଳଚେର ମେଡିକାଲ କଲେଜର ପରିଚାଳନା ସରକାର କରନ୍ତୁ

ଅନୁଗୁଳ: ସରାଙ୍ଗସ୍ଥିତ ଇନ୍ଦିରା ଗାନ୍ଧୀ ଇନଷ୍ଟିଚ୍ୟୁଟ୍‌ ଅଫ୍ ଟେକ୍ନୋଲୋଜି(ଆଇଜିଆଇଟି)ର ବିକାଶକୁ ପ୍ରାଥମିକତା ଦେଇଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଢେଙ୍କାନାଳ ଓ ଅନୁଗୁଳ ଜିଲ୍ଲାରେ ବୈଷୟିକ ଶିକ୍ଷାକୁ ଗୁରୁତ୍ବ ଦେଇ ଅଧିକରୁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ଦିଗରେ ସେ ଉଦ୍ୟମ କରୁଛନ୍ତି। ତେଣୁ ଖୁବ୍‌ଶୀଘ୍ର ଏହି ପୁରାତନ ଇଞ୍ଜିନିୟରିଂ କଲେଜ ନୂଆ ରୂପ ପାଇବ ବୋଲି ‘ସମ୍ବାଦ’କୁ ଏକ ସ୍ବତନ୍ତ୍ର ସାକ୍ଷାତକାରରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି। ଦୁଇ ଜିଲ୍ଲାରେ ଥିବା ଆଇଟିଆଇଗୁଡ଼ିକରେ ଭିତ୍ତିଭୂମି ବଢ଼ାଇ ଧନ୍ଦାମୂଳକ ଶିକ୍ଷା ଉପରେ ମଧ୍ୟ ଫୋକସ୍‌ କରାଯାଉଛି। ଏପଟେ ତାଳଚେର ମେଡିକାଲ କଲେଜକୁ କୌଣସି ଘରୋଇ ସଂସ୍ଥା ନୁହେଁ, ଖୋଦ୍‌ ରାଜ୍ୟ ସରକାର ନିଜେ ଚଳାଇବା ଦରକାର ବୋଲି ସେ କହିବା ସହ ଏ ଦିଗରେ କେନ୍ଦ୍ର ଆବଶ୍ୟକ ସହଯୋଗ ଯୋଗାଇଦେବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।
କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତିନିଦିନିଆ ଅନୁଗୁଳ ଗସ୍ତରେ ଅଛନ୍ତି। ଗୁରୁତ୍ବପୂର୍ଣ୍ଣ ଶିକ୍ଷା ମନ୍ତ୍ରାଳୟର ଦାୟିତ୍ବ ଗ୍ରହଣ କରିବା ପରେ ଦ୍ବିତୀୟ ଥର ପାଇଁ ସେ ଏହି ସରକାରୀ ଗସ୍ତରେ ଆସିଛନ୍ତି। ଏହି ଅବସରରେ ଆଜି ସକାଳେ ତାଳଚେରସ୍ଥିତ ତାଙ୍କ ବାସଭବନରେ ସେ ‘ସମ୍ବାଦ’ ସହ ଆଲୋଚନା କରି ଭବିଷ୍ୟତ କାର୍ଯ୍ୟପନ୍ଥା ଓ ଅବିଭକ୍ତ ଢେଙ୍କାନାଳ ଜିଲ୍ଲାର ବିକାଶ ପାଇଁ ତାଙ୍କର ରହିଥିବା ବିଭିନ୍ନ ଯୋଜନା ସଂପର୍କରେ ସୂଚନା ଦେଇଛନ୍ତି।

ସେ କହିଛନ୍ତି ଯେ, ଅନୁଗୁଳ ଓ ଢେଙ୍କାନାଳ ଜିଲ୍ଲାରେ ଧନ୍ଦାମୂଳକ ଶିକ୍ଷାକୁ ଗୁରୁତ୍ବ ଦେବାର ଆବଶ୍ୟକତା ରହିଛି। ଏଠାରେ କଳକାରଖାନା ଓ ଖଣିଖାଦାନ ଥିବାରୁ ଏଠାରୁ ବାହାରୁଥିବା ଛାତ୍ରଛାତ୍ରୀଙ୍କ ପାଇଁ ନିଯୁକ୍ତି ନେଇ ସମସ୍ୟା ରହିବନାହିଁ। ତେଣୁ ଏଠାରେ କୌଣସି ବଡ଼ ଶିକ୍ଷାନୁଷ୍ଠାନ ପ୍ରତିଷ୍ଠା ବଦଳରେ ଆଗରୁ ଥିବା ବୈଷୟିକ ଶିକ୍ଷାନୁଷ୍ଠାନଗୁଡିକର ବିକାଶ ଜରୁରୀ। ତେଣୁ ସରାଙ୍ଗସ୍ଥିତ ଆଇଜିଆଇଟିର ବିକାଶ ନେଇ ସେ ଯୋଜନା କରିଛନ୍ତି। ଏହାକୁ ନୂଆରୂପ ଦିଆଯିବା ସହ ଛାତ୍ରଛାତ୍ରୀଙ୍କୁ ଉନ୍ନତମାନର ଶିକ୍ଷା ଦେବାପାଇଁ ଭିତ୍ତିଭୂମି ପ୍ରସ୍ତୁତ କରାଯିବ। ଏହାସହିତ ଏଠାରେ ଅଧିକ ବିଭାଗ ଖୋଲି ପିଲାଙ୍କୁ ପଢ଼ିବାର ବିକଳ୍ପ ଯୋଗାଇ ଦିଆଯିବ। ଏହି ପୁରାତନ ବୈଷୟିକ ଶିକ୍ଷାନୁଷ୍ଠାନର ଗୌରବ ବଢ଼ାଇବା ଦିଗରେ କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟ ସ୍ବତନ୍ତ୍ର ପଦକ୍ଷେପ ନେବାକୁ ଯାଉଥିବା ସେ କହିଛନ୍ତି। ଏପଟେ ଅନୁଗୁଳ ଓ ଢେଙ୍କାନାଳ ଜିଲ୍ଲାରେ ଅନେକ ଆଇଟିଆଇ ରହିଛି। ଏହି ଶିକ୍ଷାନୁଷ୍ଠାନଗୁଡିକର ଭିତ୍ତିଭୂମି ବିକାଶର ଆବଶ୍ୟକତା ରହିଛି। ପୁଣି ଏଗୁଡିକ ଅପଡେଟ୍‌ ରହିବା ଦରକାର। ଯେମିତି ଏଠାରୁ ଧନ୍ଦାମୂଳକ ଶିକ୍ଷା ଗ୍ରହଣ କରି ଫେରୁଥିବା ପିଲାମାନେ ଆଉ ବେକାର ହେବେ ନାହିଁ। ବରଂ, ଶିକ୍ଷାନୁଷ୍ଠାନରୁ ବାହାରୁଥିବା ଛାତ୍ରଛାତ୍ରୀଙ୍କ ଚାହିଦା ଯେମିତି ବଢ଼ିବ ସେ ଦିଗରେ ସେ ଧ୍ୟାନ ଦେଉଥିବା କହିଛନ୍ତି।

ଅନୁଗୁଳ ଜିଲ୍ଲାରେ ମେଡ଼ିକାଲ କଲେଜ ଦୀର୍ଘଦିନରୁ ଏକ ପ୍ରସଙ୍ଗ ହୋଇ ରହିଥିଲାବେଳେ ଏଥିନେଇ ମୁହଁ ଖୋଲିଛନ୍ତି ଧର୍ମେନ୍ଦ୍ର। ସେ କହିଛନ୍ତି ଯେ, ଅନୁଗୁଳ ଜିଲ୍ଲାରେ ମେଡ଼ିକାଲ କଲେଜ ପ୍ରତିଷ୍ଠା ପାଇଁ ସେ ଆରମ୍ଭରୁ ଦାବି କରି ଆସୁଥିଲେ। ଶେଷରେ ଏମସିଏଲ୍‌ ପକ୍ଷରୁ ଏହାର ନିର୍ମାଣ କରାଯାଇଥିଲା। ନୂତନ ମେଡ଼ିକାଲ କୋଠା ବି ଲୋକାର୍ପିତ ହୋଇଛି। କିନ୍ତୁ ଏହି ମେଡ଼ିକାଲ କଲେଜ ପରିଚାଳନା ଦାୟିତ୍ବ ନେବାକୁ ରାଜ୍ୟ ସରକାର ମନା କରିବାରୁ ଏହା ଚାଲିପାରିନାହିଁ। ଏମସିଏଲ ପାଖରେ ମେଡ଼ିକାଲ କଲେଜ ଚଳାଇବାର ଅଭିଜ୍ଞତା ନ ଥିବାରୁ ସେମାନେ ଘରୋଇ ସଂସ୍ଥା ଉପରେ ନିର୍ଭର କରୁଛନ୍ତି। ଘରୋଇ ସଂସ୍ଥା ହାତକୁ ଟେକିଦେଲେ ମେଡ଼ିକାଲ କଲେଜ ନିର୍ମାଣର ପ୍ରକୃତ ଉଦ୍ଦେଶ୍ୟ ସାଧିତ ହୋଇପାରିବ ନାହିଁ। ତେଣୁ ରାଜ୍ୟ ସରକାର ନିଜେ ଏହାର ପରିଚାଳନା ଦାୟିତ୍ବ ନିଜ ହାତକୁ ନିଅନ୍ତୁ ବୋଲି ଧର୍ମେନ୍ଦ୍ର ଦାବି କରିଛନ୍ତି। ଏଥିପାଇଁ ଯେଉଁ ସହଯୋଗ ଦରକାର ହେବ ତାହା କେନ୍ଦ୍ର ସରକାର ଓ ଏମସିଏଲ୍‌ ଯୋଗାଇଦେବେ। ବ୍ୟକ୍ତିଗତ ଭାବେ ସେ ଏଥିପାଇଁ ଚେଷ୍ଟା କରିବେ। ଏହି ମର୍ମରେ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଆଲୋଚନା କରିଛନ୍ତି। ରାଜ୍ୟ ସରକାର ଖୁବ୍‌ଶୀଘ୍ର ଏ ଦିଗରେ ଆବଶ୍ୟକ ପଦକ୍ଷେପ ନେବେ ବୋଲି ସେ ଆଶାବାଦୀ।

ଅନୁଗୁଳ ଦେଇ ଯାଇଥିବା ଜାତୀୟ ରାଜପଥ-୫୫ର ଅବସ୍ଥା ନେଇ ଦୁଃଖ ପ୍ରକାଶ କରିଛନ୍ତି ଧର୍ମେନ୍ଦ୍ର। ସେ କହିଛନ୍ତି ଯେ, ଏହି ପ୍ରଶସ୍ତୀକରଣ କାମ କରୁଥିବା ଠିକାସଂସ୍ଥା ଦେବାଳିଆ ହୋଇଯିବାରୁ କାମ ଆଗେଇ ପାରୁନି। ତେଣୁ ଏଥିପାଇଁ ବିକଳ୍ପ ବ୍ୟବସ୍ଥା କରାଯାଉଛି। ଅଳ୍ପଦିନରେ ଏହି ରାସ୍ତା କାମ ଆରମ୍ଭ ହୋଇଯିବ। ଅନୁଗୁଳ ଓ ଢେଙ୍କାନାଳ ଦେଇ ଯାଇଥିବା ଜାତୀୟ ରାଜପଥଗୁଡିକର ଉନ୍ନତୀକରଣ ପାଇଁ ସେ ସରକାରଙ୍କ ସହ ଆଲୋଚନା କରିବେ ବୋଲି ସେ ସୂଚନା ଦେଇଛନ୍ତି। ସେହିଭଳି ତାଳଚେର ସାରକାରଖାନାର ପୁନରୁଦ୍ଧାର କାର୍ଯ୍ୟ ମଧ୍ୟ ତ୍ବରାନ୍ବିତ ହେଉଥିବା ସେ କହିଛନ୍ତି।

ସମ୍ବନ୍ଧିତ ଖବର