ସାକ୍ଷୀଗୋପାଳ ସାରଙ୍ଗଯୋଡି-ଧ୍ବଜାମୁଣ୍ଡାଇ ଗାଁର କରୁଣ ଚିତ୍ର : ଛପର କରିବାକୁ ବଳ ନାହିଁ, ବର୍ଷାକୁ ନେଇ ଆତଙ୍କିତ ଗ୍ରାମବାସୀ

ପୁରୀ : ସତ୍ୟବାଦୀ ବ୍ଲକ୍ ସାରଙ୍ଗ‌ଯୋଡି ପଞ୍ଚାୟତର ଧ୍ବଜାମୁଣ୍ଡାଇ ଗାଁ। ଫନି ବାତ୍ୟାରେ ସର୍ବାଧିକ କ୍ଷତିଗ୍ରସ୍ତ ‌ଏହି ଗାଁର କରୁଣ ଦେଖିଲେ ଯେ କେହି ବିବ୍ରତ ହେବ। ବାତ୍ୟାର ମାସକ ପରେ ମଧ୍ୟ ଏହି ଗାଁ ଅଣ୍ଟା ସଳଖି ଠିଆ ହେବାକୁ ଅସମର୍ଥ। ଗାଁର ରହୁଥିବା ପ୍ରାୟ ଦୁଇଶହ ପରିବାର ଘୋର ଦୁର୍ଦ୍ଦଶା ମଧ୍ୟରେ ରହିଛନ୍ତି। ଗରମରେ ଆଉଟପାଉଟ ହେଉଥିବା ଗ୍ରାମବାସୀଙ୍କ ଚାଳ ଘର ଛପର ହୋଇନଥିବାରୁ ଆଗାମୀ ବର୍ଷା ଦିନକୁ ନେଇ ଆତଙ୍କିତ ରହିଛନ୍ତି।
ଗ୍ରାମର ଅବସରପ୍ରାପ୍ତ ଶିକ୍ଷକ ବୃନ୍ଦାବନ ଦାସଙ୍କ କହିବା କଥା, ବାତ୍ୟାର ମାସକ ପରେ ବି ଆମର ଦୁଃଖ ଯାଇନାହିଁ। ଲୋ‌କ ଏବେ ନିଜ ଘର ଚାଳ ଛପର କରିପାରୁନାହାନ୍ତି। ଏହି ଗାଁର ଅଧିକାଂଶ ଲୋକଙ୍କ ଘର ଏବେ ଜରିପାଲ ଆବଦ୍ଧ ହୋଇ ରହିଛି। ସାମାନ୍ୟ ବର୍ଷା ଆସିଲେ ମନରେ ଛନକା ପଶୁଛି। ବିପନ୍ନମାନେ ଏବେ ବି ପାଲ ଟାଙ୍ଗି, ପାଖ ସ୍କୁଲ ଘରେ ରହୁଛନ୍ତି। ବିଦ୍ୟୁତ୍ ସଂଯୋଗ ନଥିବାରୁ ଗାଁ ଲୋକ ଯନ୍ତ୍ରଣାରେ ଛଟପଟ ହେଉଛନ୍ତି। ସରକାରୀ ସହାୟତା କହିଲେ କେବଳ ୫୦ କିଲୋ ଚାଉଳ, ଦୁଇ ହଜାର ଟଙ୍କା ଯାହା ମିଳିଛି। ସରକାରଙ୍କ ପକ୍ଷରୁ କୌଣସି ସହାୟତା ଲୋକଙ୍କ ପାଖରେ ପହଞ୍ଚିପାରିନାହିଁ। ଅନ୍ୟପକ୍ଷରେ ସର୍ଭେ ହୋଇନଥିବାରୁ ଲୋକ ଘର ଛପର ମଧ୍ୟ କରୁନାହାନ୍ତି। ଅନ୍ଧାରରେ ମାସେ ହେବ ରାତି ବିତୁଛି। ବିଦ୍ୟୁତ୍ ସଂଯୋଗ କେବେ ମିଳିବ ତା’ର ମଧ୍ୟ ଠିକ୍ ଠିକଣା ନାହିଁ। ଆଗକୁ ବର୍ଷା ଦିନ ଥିବାରୁ ବିଦ୍ୟୁତ ସଂଯୋଗ ନଆସିଲେ ଜୀବନ ଦୁର୍ବିସହ ହୋଇପଡିବ ବୋଲି ଗାଁ ଲୋକ କହିଛନ୍ତି। ସୂଚନା ମୁତାବକ, ସତ୍ୟବାଦୀ ବ୍ଲକରେ ମୋଟ ୪୮ ହଜାର ବିଦ୍ୟୁତ୍ ଉପଭୋକ୍ତା ଥିବା ବେଳେ ମାତ୍ର ୧ ହଜାର ଉପଭୋକ୍ତାଙ୍କୁ ବିଦ୍ୟୁତ୍ ସଂଯୋଗ ମିଳିଛି। ବ୍ଲକର, ବାସୁକେରା, ରଙ୍ଗଣିସାହି ହୋତାସାହି, ପୋଡଙ୍ଗ, ମଠ ସାହି, ମହାମାୟା ସାହି, ଜଇପୁର, କାଂଜିଆର ମାତ୍ର ୧ ହଜାର ଲୋକଙ୍କୁ ବିଦ୍ୟୁତ୍ ସେବା ମିଳିଛି। ଘର ଭଂଗା ସର୍ଭେ ମଧ୍ୟ ଠିକ୍ ଭାବେ ହୋଇନାହିଁ। ଗ୍ରାମର ସୁଶାନ୍ତ କୁମାର ସାହୁଙ୍କ ମତରେ ଗାଁର ମୁଖ୍ୟ ବେଉସା ନଡିଆ ଚାଷ ସଂପୂର୍ଣ୍ଣ ଉଜୁଡିଯାଇଛି। ଏହି ପଞ୍ଚାୟତରେ କେବଳ ୧୫ ହଜାର ନଡିଆ ଗଛ ଉପୁଡିଛି। ଗାଁରେ ନଡିଆ, ପଇଡ ବ୍ୟବସାୟ ନଥିବାରୁ ଲୋକ ଏବେ ପୁରୀ, କଟକ ଭୁବନେଶ୍ବରକୁ କାମ କରିବାକୁ ଯାଉଛନ୍ତି।

ସମ୍ବନ୍ଧିତ ଖବର