ଶରଣକୂଳ କଙ୍ଗାରୁ କୋର୍ଟ ପ୍ରସଙ୍ଗ: ଭୁଲ ତଥ୍ୟ ପାଇଁ ଗୃହ ରାଷ୍ଟ୍ରମନ୍ତ୍ରୀଙ୍କୁ ଦାୟୀ କଲା କଂଗ୍ରେସ

ଭୁବନେଶ୍ବର: ନୟାଗଡ଼ ଜିଲ୍ଲା ଶରଣକୂଳ ଥାନା ଅନ୍ତର୍ଗତ ଖଲିପାଟଣା ଗ୍ରାମର ପ୍ରାୟ ୧୫ଟି ପରିବାର ୨୦୦୭ରୁ କଙ୍ଗାରୁ କୋର୍ଟର ଶିକାର ହୋଇ ୧୩ ବର୍ଷ ହେଲାଣି ଦୁର୍ବିଷହ ଅବସ୍ଥାରେ ବାହାରେ ରହୁଛନ୍ତି। ଏ ନେଇ ରଣପୁର ବିଧାୟକଙ୍କ ପ୍ରଶ୍ନରେ ବିଧାନସଭାରେ ରାଜ୍ୟ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର ରଖିଥିବା ଉତ୍ତରକୁ ନେଇ କଂଗ୍ରେସ ପ୍ରଶ୍ନ ଉଠାଇଛି। ଆଜି ସ୍ଥାନୀୟ ପିସିସି କାର୍ଯ୍ୟାଳୟରେ କଂଗ୍ରେସ ନେତା ସତ୍ୟପ୍ରକାଶ ନାୟକ ସାମ୍ବାଦିକ ସମ୍ମିଳନୀ କରି ମନ୍ତ୍ରୀ ଶ୍ରୀ ମିଶ୍ର ବିଧାନସଭାରେ ଭୁଲ ତଥ୍ୟ ଦେଇଥିବା ନେଇ ଅଭିଯୋଗ କରିଥିଲେ। ଏହି ଘଟଣାରେ ରାଜ୍ୟ ମାନବାଧିକାର କମିସନ, ମାନ୍ୟବର ଉଚ୍ଚ ନ୍ୟାୟାଳୟ, ଜାତୀୟ ମାନବାଧିକାର କମିସନଙ୍କ ପାଖରେ ଅଭିଯୋଗ ପରେ ସମ୍ପୃକ୍ତ ପରିବାରଗୁଡ଼ିକୁ ପୁନଃ ଥାଇଥାନ କରିବାକୁ ନିର୍ଦେଶ ମିଳିଥିଲା। କିନ୍ତୁ ଆଜି ଯାଏଁ ରାଜ୍ୟ ମାନବାଧିକାର କମିସନ ଓ ଉଚ୍ଚ ନ୍ୟାୟାଳୟଙ୍କ ଆଦେଶକୁ ରାଜ୍ୟ ସରକାର ଅବମାନନା କରିଆସୁଥିବା ଶ୍ରୀ ନାୟକ ଅଭିଯୋଗ କରିଥିଲେ। ଏ ନେଇ ଜାତୀୟ ମାନବାଧିକାର କମିସନ ନୟାଗଡ଼ ଜିଲ୍ଲାପାଳ ଓ ଏସ୍‌ପିଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଥିଲେ। କଂଗ୍ରେସ ନେତା ନିଶିକାନ୍ତ ମିଶ୍ର ଅଭିଯୋଗ କରି କହିଥିଲେ ଯେ, ୨୦୦୭ ମସିହାରେ ଏହି ଘଟଣାରେ ଓଏଚ୍‌ଆର୍‌ସିଙ୍କ ସ୍ବତନ୍ତ୍ର ତଦନ୍ତକାରୀ ଦଳ ଏବଂ ନୟାଗଡ଼ ମାନବାଧିକାର ସୁରକ୍ଷା ବିଭାଗର ତତ୍କାଳୀନ ଡି.ଏସ୍‌.ପି ତଦନ୍ତ କରି ସିଧାସଳଖ ଭାବରେ ଗାଁରେ କଙ୍ଗାରୁ କୋର୍ଟ ଚାଲିଥିବା ନେଇ ରିପୋର୍ଟ ଦେଇଥିଲେ। ଯାହାକୁ ଆଜି ପର୍ଯ୍ୟନ୍ତ ରାଜନେତାଙ୍କ ଚାପରେ ସରକାର ଏହି ରିପୋର୍ଟକୁ ଚାପି ରଖିଛନ୍ତି ବୋଲି ଶ୍ରୀ ମିଶ୍ର ଅଭିଯୋଗ କରିଛନ୍ତି। ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଜିନେଶ ଦାସ, ପଦ୍ମାକର ଗୁରୁ, ନରେଶ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର