ବାଲେଶ୍ବର: ଭିଜିଲାନ୍ସ ଜାଲରେ ଛନ୍ଦିହୋଇ ନିଲମ୍ବିତ ହୋଇଥିବା ଦୁଇ ଥାନା ଅଧିକାରୀ ସରୋଜିନୀ ନାୟକ ଓ ଧନେଶ୍ବର ସାହୁ ଏବେ କେଉଁଠି? ସେମାନେ ଏବେ କ’ଣ କରୁଛନ୍ତି ଏବଂ କେଉଁଠି ଅଛନ୍ତି, ଏହାକୁ ନେଇ ଏବେ ଆଲୋଚନା ଦାନା ବାନ୍ଧିଛି। କୁହାଯାଉଛି ଯେ ପୁଲିସ ପ୍ରତି ପୁଲିସର ଦରଦ ଯୋଗୁ ଦୁହିଁଙ୍କ ବିରୋଧରେ କ‌ାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ। ଗୋଟିଏପଟେ, ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ବିରୋଧରେ ରାଜ୍ୟ ସରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଥିବାବେଳେ ଅନ୍ୟପଟେ ଦୀର୍ଘଦିନ ପରେ ମଧ୍ୟ ଉଭୟ ସରୋଜିନୀ ଓ ଧନେଶ୍ବର ତଦନ୍ତ ଆଢ଼ୁଆଳରେ ରହିବାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟିହୋଇଛି।

Advertisment

୨୦୨୦ ମସିହା ଜୁଲାଇ ୧ ତାରିଖରେ ବାଲେଶ୍ବର ଟାଉନ ଥାନାର ତତ୍କାଳୀନ ଆଇଆଇସି ସରୋଜିନୀ ନାୟକ ଭିଜିଲାନ୍ସ ଜାଲରେ ଛନ୍ଦି ହୋଇଥିଲେ। ଏକ ଜମିଜମା ବିବାଦର ସମାଧନ ପାଇଁ ବାଲେଶ୍ୱର ଟାଉନ ଥାନାର ତତ୍‌କାଳୀନ ସବ୍‌ଇନ୍ସପେକ୍ଟର ବିମଳ କୁମାର କର ଜଣେ ଦଲାଲଙ୍କଠାରୁ ୨୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡ଼ିଥିଲେ ଏବଂ ତାଙ୍କ ସହିତ ଆଇଆଇସି ସରୋଜିନୀ ନାୟକ ସମ୍ପୃକ୍ତ ଥିବା ଭିଜିଲାନ୍ସ ନିକଟରେ ସ୍ବୀକାର କରିଥିଲେ। ଘଟଣାରେ ଶ୍ରୀ କର ଓ ସମ୍ପୃକ୍ତ ଦଲାଲ ଗିରଫ ହୋଇ ଜେଲ୍‌ ଯାଇଥିବା ବେଳେ ସରୋଜିନୀ ସେବେଠାରୁ ଫେରାର ଥିଲେ। ତା’ ପରଠୁ ତାଙ୍କର ଆଉ ପତ୍ତା ମିଳିନଥିଲା। ୭ ମାସ ପରେ ଶେଷରେ ସେ ବାଲେଶ୍ବର ଭିଜିଲାନ୍ସ କୋର୍ଟରେ ଆତ୍ମସମର୍ପଣ କରିଥିଲେ। ଜମିଜମା ମାମଲାରେ ଲାଞ୍ଚ ନେଇଥିବା ଅଭିଯୋଗରେ ସରୋଜିନୀଙ୍କ ନାଁରେ ମଧ୍ୟ ମାମଲା ରୁଜୁ କରିଥିଲା ଭିଜିଲାନ୍ସ। ଗିରଫ ହୋଇ ଜାମିନରେ ବାହାରିବା ପରେ ସେ ଏବେ କ’ଣ କରୁଛନ୍ତି, ଚାକିରିରେ ଅଛନ୍ତି କି ନାହିଁ କିମ୍ବା ଛୁଟିରେ ଅଛନ୍ତି; ସେନେଇ ପୁଲିସ ବିଭାଗରେ କାହା ପାଖରେ କିଛି ଖବର ନାହିଁ।

ସେହିଭଳି, ନିଶା କାରବାରରେ ଧରାପଡ଼ି ଜାମିନରେ ଆସିବା ପରେ ଜଣେ ମାଫିଆର ଜବତ ଗାଡ଼ିକୁ ମୁକୁଳାଇବା ପାଇଁ ଆଇଆଇସି ଧନେଶ୍ବରଙ୍କ ସହ ଟଙ୍କା ଡିଲ୍‌ କରୁଥିବାର ଅଡିଓ ସାମ୍ନାକୁ ଆସିଥିଲା। ଫୋନ୍‌ର ଗୋଟିଏ ପଟେ ବ୍ରାଉନସୁଗାର ମାଫିଆ ଥିବାବେଳେ ଆଉ ଗୋଟିଏପଟେ ଇନ୍ସପେକ୍ଟର ଧନେଶ୍ବର କଥା ହୋଇଥିବା ଜଣାପଡ଼ିଥିଲା। ଏହି ଘଟଣାର ଖୋଳତାଡ଼ ହେବା ପରଠୁ ଧନେଶ୍ବର ଆଜିଯାଏ କେଉଁଠି ଅଛନ୍ତି, କ’ଣ କରୁଛନ୍ତି ସେନେଇ ପୁଲିସ ବିଭାଗରେ କେହି ପାଟି ଫିଟାଉନାହାନ୍ତି। ଏପରିକି ଭିଜିଲାନ୍ସ ଓ କ୍ରାଇମବ୍ରାଞ୍ଚ୍‌ରେ ତାଙ୍କ ବିରୋଧରେ ୩ ମାମଲା ରହିଥିବା ବେଳେ ଦୀର୍ଘ ଦୁଇବର୍ଷ ହେଲା ନା ଭିଜିଲାନ୍ସ ତାଙ୍କୁ ଧରିପାରୁଛି ନା କ୍ରାଇମବ୍ରାଞ୍ଚ୍‌? ଇତିମଧ୍ୟରେ ସେ କ୍ରାଇମ୍‌ବ୍ରାଞ୍ଚରେ ହୋଇଥିବା ଏକ ମାମଲାରୁ ଜାମିନ ପାଇସାରିଥିବା ବେଳେ ଆଉ ଦୁଇଟି ମାମଲା ତୁରନ୍ତ ରଫାଦଫା କରିବାକୁ ପ୍ରାଣମୂର୍ଚ୍ଛା ଉଦ୍ୟମ ଜାରି ରଖିଥିବା ସୂଚନା ମିଳିଛି। ଯଦି ଠିକ୍‌ ସମୟରେ ଧନେଶ୍ବରଙ୍କୁ ଧରାଯାଇ ପାରିଥାନ୍ତା, ତା’ହେଲେ ଜଳେଶ୍ବରରେ ବ୍ରାଉନସୁଗାର କାରବାର ପଛରେ କେଉଁମାନଙ୍କର ହାତ ରହିଛି ତାହା ସାମ୍‌ନାକୁ ଆସିପାରିଥା’ନ୍ତା।! ଧନେଶ୍ବରଙ୍କୁ ଧରିବା ନେଇ ଉଭୟ ଭିଜିଲାନ୍ସ ଏବଂ କ୍ରାଇମବ୍ରଞ୍ଚ ପକ୍ଷରୁ ଯେଉଁଭଳି ଟାଳଟୁଳ ନୀତି ଅବଲମ୍ବନ କରାଯାଇଛି, ଏଥିପାଇଁ ‌ସେ ସହଜରେ ଅନ୍ୟ ଦୁଇଟି ମାମଲାରୁ ମୁକୁଳିବାର ସୁଯୋଗ ପାଇବେ ଏବଂ ପୁଣିଥରେ ଚାକିରିରେ ମଧ୍ୟ ‌ଯୋଗଦେବାର ଯଥେଷ୍ଟ ସମ୍ଭାବନା ରହିଥିବା ସାଧାରଣରେ ଆଲୋଚନା ହେଉଛି।