ସଙ୍ଗରୋଧ କେନ୍ଦ୍ରରେ ଯୁବତୀଙ୍କୁ ଅସଦାଚରଣ ଅଭିଯୋଗ : ଭୁବନେଶ୍ବରରୁ ସରପଞ୍ଚ ଗିରଫ

ଉପଜିଲ୍ଲାପାଳଙ୍କ ସହ ଆଲୋଚନା ବିଫଳ, ପ୍ରତିବାଦରେ ସରପଞ୍ଚ ସଂଘର ଧାରଣା ଜାରି

ଡୁଙ୍ଗୁରିପାଲି/ରାମପୁର : ଡୁଙ୍ଗୁରିପାଲି ବ୍ଲକ୍‌ ଅନ୍ଧାରିବାଞ୍ଜୀ ସଙ୍ଗରୋଧ କେନ୍ଦ୍ରରେ ଜଣେ ପ୍ରବାସୀ ଯୁବତୀଙ୍କୁ ଅସଦାଚରଣ କରିଥିବା ଅଭିଯୋଗରେ ସରପଞ୍ଚ ବନମାଳୀ ସାଙ୍କୁ ରାମପୁର ପୁଲିସ ଗିରଫ କରି ବୁଧବାର କୋର୍ଟ ଚାଲାଣ କରିଛି। ଅନ୍ୟ ପକ୍ଷରେ ପ୍ରତିବାଦରେ ତୃତୀୟ ଦିନରେ ପହଞ୍ଚିଥିବା ସରପଞ୍ଚ ସଂଘର ଧାରଣାକୁ ପ୍ରତ୍ୟାହାର କରିବା ପାଇଁ ଉପଜିଲ୍ଳାପାଳ ବଳରାମ ମଲ୍ଳିକ ଓ ବିଡିଓ ସହଦେବ ସମାଧିଆ ଧାରଣାସ୍ଥଳକୁ ଆସି ଆଲୋଚନା କରିଥିଲେ। କିନ୍ତୁ ତାହା ବିଫଳ ହୋଇଥିବା ଜଣାଯାଇଛି।

ଘଟଣାରୁ ଜଣାଯାଇଛି, ଅନ୍ଧାରିବାଞ୍ଜୀ ସଙ୍ଗରୋଧ କେନ୍ଦ୍ରରେ ଜଣେ ଯୁବତୀଙ୍କୁ ସରପଞ୍ଚ ଶ୍ରୀ ସା ଅସଦାଚରଣ କରିଥିବା ଅଭିଯୋଗ ହୋଇଥିଲା। ଜିଲ୍ଲା ଭୀମଆର୍ମି କର୍ମକର୍ତ୍ତା, ଏସ୍‌ସି/ଏସଟି ସଂଘ, ବିଜେପି ଓ କଂଗ୍ରେସ ପକ୍ଷରୁ ଅଭିଯୁକ୍ତ ସରପଞ୍ଚ ଶ୍ରୀ ସାଙ୍କୁ ତୁରନ୍ତ ଗିରଫ ପାଇଁ ଦାବି କରାଯାଇଥିଲା। ଏ ନେଇ ରାମପୁର ଥାନାରେ କେସ ନଂ ୫୩ ତା.୭/୬/୨୦ ଏବଂ ଦଫା ୩୫୪(ଏ), ୩୫୪(ଡି)/୨୯୪/୫୦୬/୩୪ ଆଇପିସିରେ ମାମଲା ରୁଜୁ ହୋଇଥିବା ଜାଣି ଅଭିଯୁକ୍ତ ସରପଞ୍ଚ ଶ୍ରୀ ସା ଫେରାର ହୋଇଥିଲେ। କୌଣସି ସୂତ୍ରରୁ ଖବର ପାଇ ପୁଲିସ୍‌ର ଏକ ଟିମ୍ ଭୁବନେଶ୍ବର ଯାଇ ମଙ୍ଗଳବାର ରାତିରେ ପଟିଆଠାରେ ଥିବା ଡିଏଚ୍‌ପିଏଲ୍‌ ସାହୁ କମ୍ପ୍ଲେକ୍ସରେ ଚଢ଼ଉ କରି ସରପଞ୍ଚ ଶ୍ରୀ ସାଙ୍କୁ ଗିରଫ କରିଥିଲେ। ଆଜି ତାଙ୍କୁ କୋର୍ଟ ଚାଳାଣ କରିଥିବା ରାମପୁର ଆଇଆଇସି ଭାନୁ ଶଙ୍କର ଯାଦବ କହିଛନ୍ତି।

ସରପଞ୍ଚଙ୍କ ଗିରଫ ହେବା ଘଟଣାରେ ସରପଞ୍ଚ ସଂଘ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ଦେଖା ଦେଇଛି। ଆଜି ଉପଜିଲ୍ଳାପାଳ ଶ୍ରୀ ମଲ୍ଲିକ ଡୁଙ୍ଗୁରିପାଲିକୁ ଆସି ଧାରଣାରତ ସରପଞ୍ଚଙ୍କ ସହ ଆଲୋଚନା କରିଥିଲେ। ଧାରଣାରତ ସରପଞ୍ଚ ମାନଙ୍କ ପ୍ରତିନିଧିତ୍ବ କରୁଥିବା ସଂଘର ସଭାପତି ପ୍ରକାଶ ସାହୁ ଉପଜିଲ୍ଳାପାଳଙ୍କୁ ଜଣାଇଥିଲେ ଯେ, କିଛି ନ ବୁଝି ଏକ ଭାଇରାଲ ଭିଡିଓକୁ ନେଇ ଟିଏମ୍‌ସି ଦାୟିତ୍ବରେ ଥିବା ସରପଞ୍ଚଙ୍କୁ ଗିରଫ କରିବା ଦୁର୍ଭାଗ୍ୟଜନକ। ଏହି ଘଟଣା ପରେ ପ୍ରତ୍ୟେକ ସଂଘରୋଧ କେନ୍ଦ୍ରରେ ସରପଞ୍ଚମା‌ନେ ଅସୁରକ୍ଷିତ ରହିବେ ବୋଲି ପ୍ରକାଶ କରି ସମସ୍ତ ସରପଞ୍ଚ ଓ ଟିଏମସିରେ ଥିବା ଅସ୍ଥାୟୀ କର୍ମଚାରୀ ସଙ୍ଗରୋଧ କେନ୍ଦ୍ର ବର୍ଜନ କରିବୁ ବୋଲି ସଭାପତି ଶ୍ରୀ ସାହୁ କହିଥିଲେ। ଯେତେଦିନ ପର୍ଯ୍ୟନ୍ତ ସରପଞ୍ଚ ଶ୍ରୀ ସାଙ୍କୁ ଦୋଷମୁକ୍ତ କରା ନଯାଇଛି ସେତେଦିନ ପର୍ଯ୍ୟନ୍ତ ଜିଲ୍ଲାର ସମସ୍ତ ସରପଞ୍ଚ ଧାରଣାରେ ବସି ରହିବେ ବୋଲି ଡୁଙ୍ଗୁରିପାଲି ବ୍ଲକ୍‌ ତଥା ସୁବର୍ଣ୍ଣପୁର ଜିଲ୍ଲା ସରପଞ୍ଚ ସଂଘର ସଭାପତି ଶ୍ରୀ ସାହୁ ଜଣାଇଛନ୍ତି।

ସମ୍ବନ୍ଧିତ ଖବର