କଳାହାଣ୍ଡି ଜିଲ୍ଲାରେ ପ୍ରଥମ ସରପଞ୍ଚ କରୋନା ଯୋଦ୍ଧାଙ୍କ ମୃତ୍ୟୁ

ପଞ୍ଚାୟତରେ ମନ୍ତ୍ରୀ ଓ ଅଧିକାରୀଙ୍କ ଶ୍ରଦ୍ଧାଞ୍ଜଳି

ଭବାନୀପାଟଣା/ଜୁନାଗଡ଼/ଉକେଲା : କଳାହାଣ୍ଡି ଜିଲ୍ଲାରେ ଦିନକୁ ଦିନ କରୋନାର ପ୍ରକୋପ ବୃଦ୍ଧି ପାଇବା ନେଇ ଲୋକଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି । ଜିଲ୍ଲାରେ କରୋନା ଯୋଦ୍ଧାଙ୍କ ଆକ୍ରାନ୍ତ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଗତ କିଛି ଦିନ ତଳେ ଜୁନାଗଡ଼ ବ୍ଲକ ଯୋଗାଣ ଅଧିକାରୀ କୋଭିଡ ଯୋଦ୍ଧା କରୋନାରେ ମୃତ୍ୟୁବରଣ କରିଥିଲେ । ଆଜି କଳାହାଣ୍ଡି ଜିଲ୍ଲାରେ ପ୍ରଥମ ସରପଞ୍ଚ କୋଭିଡ ଯୋଦ୍ଧା ଜୁନାଗଡ଼ ବ୍ଲକର ଭଇଁରିଗୁଡା ସରପଞ୍ଚ ଲକ୍ଷ୍ମୀଧର ପାତ୍ର କରୋନାରେ ମୃତ୍ୟୁବରଣ କରିବା ସାଧାରଣରେ ଆଲୋଡ଼ନ ସୃଷ୍ଟି କରିଛି । ଆଜି ସନ୍ଧ୍ୟାରେ ମନ୍ତ୍ରୀ, ବ୍ଲକ ଅଧିକାରୀମାନେ ଭଇଁରିଗୁଡା ପଞ୍ଚାୟତରେ କୋଭିଡ ଯୋଦ୍ଧାଙ୍କୁ ଭାବବିହ୍ଵଳ ଶ୍ରଦ୍ଧାଞ୍ଜଳି ଦେବା ଘଟଣା ସାଧାରଣରେ ଶୋକାଭିଭୁତ କରିଛି।

ପ୍ରାପ୍ତ ସୂଚନାରୁ ପ୍ରକାଶ ଯେ, କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ ଅନ୍ତର୍ଗତ ଭଇଁରିଗୁଡା ପଞ୍ଚାୟତ ସରପଞ୍ଚ ଲକ୍ଷ୍ମୀଧର ପାତ୍ର(୬୩) ଗତ ଅଗଷ୍ଟ ୩୧ ତାରିଖ ଦିନ ଅସୁସ୍ଥ ହେବା ପରେ ଜୁନାଗଡ଼ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଚିକିତ୍ସା ପାଇଁ ଯାଇଥିଲେ । ସେଠାରେ ଆଣ୍ଟିଜେନ ପରୀକ୍ଷା ପରେ କରୋନା ପଜିଟିଭ ବାହାରିଥିଲା । ତାଙ୍କୁ ଭବାନୀପାଟଣା ବାନ୍ଦୋପଲା ସ୍ଥିତ କୋଭିଡ ହସ୍ପିଟାଲରେରେ ଭର୍ତ୍ତି କରାଯାଇଥିଲା । ଗତକାଲି ସନ୍ଧ୍ୟାରେ ତାଙ୍କ ଅଵସ୍ଥା ଗୁରୁତର ହେବା ପରେ ଭୁବନେଶ୍ୱର କୋଭିଡ ହସ୍ପିଟାଲକୁ ରେଫର କରାଯାଇଥିଲା । ଆଜି ସକାଳେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା । କୋଭିଡ ଗାଇଡ଼ଲାଇନ ଅନୁଯାୟୀ ସରକାରୀ ଭାବରେ ତାଙ୍କର ଶେଷକୃତ୍ୟ ସମ୍ପନ କରାଯାଇଥିଲା । ସ୍ୱର୍ଗତ ଲକ୍ଷ୍ମୀଧର ପାତ୍ର ଦ୍ୱିତୀୟ ଥର ପାଇଁ ଭଇଁରିଗୁଡା ପଞ୍ଚାୟତର ସରପଞ୍ଚ ଥିଲେ । ସେ କଳାହାଣ୍ଡି ପଶ୍ଚିମ ମଣ୍ଡଳ ରାଜପୁତ କ୍ଷତ୍ରିୟ ପାଇକ ସମାଜର କୁଳପତି ଭାବେ କାର୍ଯ୍ୟ ତୁଲାଉଥିଲେ । ବିଜେଡ଼ିର ସେ ଜଣେ ଆଗଧାଡ଼ିର ନେତା ଥିଲେ । ଆଜି ସନ୍ଧ୍ୟାରେ ଭଇଁରିଗୁଡା ପଞ୍ଚାୟତ କାର୍ଯ୍ୟାଳୟ ଠାରେ ଶିଳ୍ପ, ଶକ୍ତି, ଏମଏସଏମଇ ତଥା ରାଜ୍ୟ ଗୃହରାଷ୍ଟ୍ର ମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର, ଜୁନାଗଡ଼ ତହସିଲଦାର ଉପେନ୍ଦ୍ର ଲୁହା, ବିଡ଼ିଓ ଦୁଲାରାମ ମାରାଣ୍ଡି, ଥାନା ଅଧିକାରୀ ଉତ୍ତମ କୁମାର ସାହୁ ସମେତ ଅନେକ ଅଧିକାରୀ ଓ କର୍ମଚାରୀମାନେ ସରକାରୀ ଭାବେ ମୃତ କୋଭିଡ ଯୋଦ୍ଧା ସରପଞ୍ଚ ଲକ୍ଷ୍ମୀଧର ପାତ୍ରଙ୍କୁ ଶ୍ରଦ୍ଧାଞ୍ଜଳି ଦେଇ ସମ୍ମାନ ପ୍ରଦର୍ଶନ କରିଥିଲେ ।

ସେହିଭଳି କେସିଙ୍ଗା ବ୍ଲକ ବୋରିଆ ପଞ୍ଚାୟତ ଚିଚର୍ଲା ଗ୍ରାମର ଅର୍ଜୁନ ମହଲାଙ୍କୁ ଗତ ମଙ୍ଗଳବାର ଦିନ ସକାଳ ୧୦ଟା ସମୟରେ ଦେହ ଅସୁସ୍ଥ ଥିବାରୁ କେସିଙ୍ଗା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଚିକିତ୍ସା ନିମନ୍ତେ ଭର୍ତ୍ତି କରାଯାଇଥିଲା । ପରେ ତାଙ୍କୁ ଭବାନୀପାଟଣା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ପରେ ତାଙ୍କର କରୋନା ପରୀକ୍ଷା ପରେ ପଜିଟିଭ ଜଣାପଡିଥିଲା । ତାଙ୍କ ଅବସ୍ଥା ଗୁରୁତର ହେବା ପରେ ତାଙ୍କୁ ଭୁବନେଶ୍ୱରସ୍ଥିତ କୋଭିଡ ହସପିଟାଲକୁ ସ୍ଥାନାନ୍ତର କରାଯାଇଥିଲା । ଆଜି ସକାଳେ ତାଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିଲା । ଏନେଇ କେସିଙ୍ଗା ବିଡ଼ିଓ ଚିଚର୍ଲାକୁ ଆସି ଅର୍ଜୁନ ମହଲାଙ୍କ ମୃତ୍ୟୁ ହୋଇଥିବା ନେଇ ସୂଚନା ଦେଇଥିବା ନେଇ ପରିବାର ସୂତ୍ରରୁ ପ୍ରକାଶ ।

ସମ୍ବନ୍ଧିତ ଖବର