ପୋଖରୀ ଖୋଳା ପାଇଁ ଲାଞ୍ଚ : ସରପଞ୍ଚଙ୍କୁ ଧରିଲା ଭିଜିଲାନ୍ସ

କୋରାପୁଟ : ଲାଞ୍ଚ ନେଇ ଧରାପଡ଼ିଛନ୍ତି ଜଣେ ମହିଳା ସରପଞ୍ଚ। କୋରାପୁଟ ଜିଲ୍ଲା ଦଶମନ୍ତପୁର ବ୍ଲକ୍ ଅନ୍ତର୍ଗତ ମୁଜାଙ୍ଗ ପଞ୍ଚାୟତର ସରପଞ୍ଚ ରଇଲା ମାଝୀ ଜଣେ ବ୍ୟକ୍ତିଙ୍କ ନିକଟରୁ ପୋଖରୀ ଖୋଳିବା ପାଇଁ କାର୍ଯ୍ୟାଦେଶ ପ୍ରଦାନ ନିମନ୍ତେ ୨୦ ହଜାର ଟଙ୍କା ଲାଞ୍ଚ ନେବା ସମୟରେ ଭିଜିଲାନ୍ସ ତାଙ୍କୁ ଧରିଛି। ଏହାପରେ ସରପଞ୍ଚଙ୍କୁ ଗିରଫ କରାଯାଇଥିବା ବେଳେ ଅଧିକ ପଚରାଉଚୁରା ପାଇଁ ଜୟପୁର ସ୍ଥିତ ଭିଜିଲାନ୍ସ କାର୍ଯ୍ୟାଳୟକୁ ନିଆଯାଇଛି।

ସୂଚନା ଅନୁଯାୟୀ, ଦଶମନ୍ତପୁର ବ୍ଲକ୍ ମୁଜାଙ୍ଗ ପଞ୍ଚାୟତର ବକଡ଼ାଗୁଡ଼ା ଗ୍ରାମର ଗଙ୍ଗାଧର ସାଉନ୍ତା ପୋଖରୀ ଖୋଳିବା ନିମନ୍ତେ ଆବେଦନ କରିଥିଲେ। ନିଜ ଗ୍ରାମରେ ଖୋଳାଯିବାକୁ ଥିବା ଏହି ପୋଖରୀ ପାଇଁ ୧୦ଲକ୍ଷ ଟଙ୍କାର ଅଟକଳ କରାଯାଇଥିଲା। ମନରେଗା ଓ ଚତୁର୍ଦ୍ଦଶ ଅର୍ଥ କମିଶନଙ୍କ ଅନୁଦାନରେ ଏହି ପୋଖରୀ ଖୋଳାଯିବାକୁ ଧାର୍ଯ୍ୟ ହୋଇଥିଲା। କିନ୍ତୁ ଏହି କାମର କାର୍ଯ୍ୟାଦେଶ ଦେବା ପାଇଁ ମୁଜାଙ୍ଗ ସରପଞ୍ଚ ରଇଲା ମାଝୀ ୨୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ତେବେ ଗଙ୍ଗାଧର ସାଉନ୍ତା ଏଥିନେଇ ଭିଜିଲାନ୍ସକୁ ଅବଗତ କରାଇଥିଲେ। ଏହାପରେ ସରପଞ୍ଚଙ୍କୁ ଧରିବା ପାଇଁ ଜାଲ ବିଛାଇଥିଲା ଭିଜିଲାନ୍ସ। ଯୋଜନା ଅନୁଯାୟୀ, ସୁନାବେଡ଼ା ଥାନା ଅନ୍ତର୍ଗତ ଭେଜାପୁଟ ଗ୍ରାମରେ ସରପଞ୍ଚଙ୍କ ଭଡ଼ା ଘରେ ଆଜି ଆବେଦନକାରୀ ଗଙ୍ଗାଧର ସାଉନ୍ତା ୨୦ହଜାର ଟଙ୍କା ନେଇ ପହଞ୍ଚିଥିଲେ। ସରପଞ୍ଚଙ୍କୁ ଟଙ୍କା ଦେବାପରେ ପୂର୍ବରୁ ଛପି ରହିଥିବା ଭିଜିଲାନ୍ସ ଟିମ୍ ଚଢ଼ଉ କରିଥିଲେ। ସରପଞ୍ଚଙ୍କ ପାଖରୁ ୨୦ ହଜାର ଟଙ୍କା ଜବତ କରିଥିଲା ବେଳେ ରାସାୟନିକ ପରୀକ୍ଷାରୁ ଏହା ଲାଞ୍ଚ ଟଙ୍କା ବୋଲି ଜଣାପଡ଼ିଥିଲା। ସରପଞ୍ଚଙ୍କୁ ଗିରଫ କରି ତାଙ୍କ ଭଡ଼ା ଘରକୁ ଯାଞ୍ଚ କରାଯାଇଛି। ଏଥି‌ନେଇ କୋରାପୁଟ ଭିଜିଲାନ୍ସ ପକ୍ଷରୁ ୧୩/୨୦ରେ ଏକ ମାମଲା ରୁଜୁ କରାଯାଇଛି। ଅଧିକ ଖୋଳତାଡ଼ କରାଯାଉଥିବା ଭିଜିଲାନ୍ସ ପକ୍ଷରୁ ସୂଚନା ଦିଆଯାଇଛି। ଅପରପକ୍ଷରେ ଜଣେ ମହିଳା ସରପଞ୍ଚ ଲାଞ୍ଚ ନେଇ ଧରାପଡ଼ିବା ପରେ ଏହାକୁ ନେଇ ନାନା ଚର୍ଚ୍ଚା ଆରମ୍ଭ ହୋଇଯାଇଛି।

ସମ୍ବନ୍ଧିତ ଖବର