ଜିଲ୍ଲାପାଳ କ୍ଷମତା ଘୋଷଣା ପରେ ଡାକ୍ତରଙ୍କୁ ଦୁର୍ବ୍ୟବହାର କରି ସରପଞ୍ଚ ଗିରଫ

କଟକ/ନେମାଳ/ନିଶ୍ଚିନ୍ତକୋଇଲି : ‘ମୁଁ ସରପଞ୍ଚ। ଜିଲ୍ଲାପାଳ ପାୱାର ପାଇଛି। ତୁରନ୍ତ ବୈଠକ ଡକାଅ।’ ଜଣେ ମହିଳା ଡାକ୍ତରଙ୍କୁ ଏଭଳି କହିବା ସହିତ ଅସଭ୍ୟ ଭାଷାରେ ଗାଳିଗୁଲଜ କରିବା ଅଭିଯୋଗରେ କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ୍ ନଗସପୁର ପଂଚାୟତର ସରପଞ୍ଚ ସୁଧାଂଶୁ ଶେଖର ଭୂୟାଁ ଗିରଫ ହୋଇଛନ୍ତି।

ଅଭିଯୋଗ ଅନୁସାରେ, ଗତକାଲି ନିଶ୍ଚିନ୍ତକୋଇଲି ବ୍ଲକ୍‌ ଅନ୍ତର୍ଗତ ନଗସପୁର ପିଏଚ୍‌ସିର ଆୟୁଷ ଡାକ୍ତର ଅଜନ୍ତା ମହାନ୍ତି ଦିନ ୧୦ଟାରେ ପିଏଚ୍‌ସିରେ ରୋଗୀ ଦେଖୁଥିଲେ। ସେହି ସମୟରେ ହଠାତ୍‌ ନଗସପୁର ସରପଞ୍ଚ ଶ୍ରୀ ଭୂୟାଁ ଓରଫ କାବୁଲା ପହଞ୍ଚି ‘ମୁଁ ଜିଲ୍ଲାପାଳ ପାୱାର ପାଇଛି… ତୁରନ୍ତ ବୈଠକ ଡକାଅ’ ବୋଲି କହିଥିଲେ। କିନ୍ତୁ ଯେହେତୁ ନ୍ୟୁଟ୍ରେସନ୍‌ ଦିବସ ପାଇଁ କାମ ଅଛି, ସରିବା ପରେ ବୈଠକ ଡାକିବି ବୋଲି ଡାକ୍ତର ମହାନ୍ତି କହିବା ପରେ ସରପଞ୍ଚ ଉତ୍ତ୍ୟକ୍ତ ହୋଇ ଅସଭ୍ୟ ଭାଷାରେ ଗାଳିଗୁଲଜ କରିଥିଲେ। ଆଜି ସକାଳେ ଶ୍ରୀ ଭୂୟାଁ ପୁଅକୁ ଧରି ପୁଣି ପହଞ୍ଚିଥିଲେ ପିଏଚ୍‌ସିରେ। ଦେହ ଖରାପ ଥିବାରୁ ପୁ୍ଅକୁ ସାଙ୍ଗରେ ନେଇ ଯାଇଥିଲେ। ସେହି ସମୟରେ ପୁଣି ବୈଠକ କଥା କହି ଗାଲିଗୁଲଜ କରିଥିଲେ। ଡାକ୍ତର ମହାନ୍ତି ଏଭଳି ଘଟଣା ସଂପର୍କରେ ନିଶ୍ଚିନ୍ତକୋଇଲି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ଜଣାଇ ଥିଲେ। ବିଭାଗରୁ ଅନୁମତି ମିଳିବା ପରେ ଡାକ୍ତର ମହାନ୍ତି ନେମାଳ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଏହାପରେ ପୁଲିସ ସରପଞ୍ଚଙ୍କୁ ଗିରଫ କରି ସାଲେପୁର କୋର୍ଟକୁ ଚାଲାଣ କରିଥିବା ଜଣାପଡ଼ିଛି।

ଗୋଟିଏ ପଟେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ସ୍ବାସ୍ଥ୍ୟ କର୍ମୀ, ଡାକ୍ତରଙ୍କୁ ସୁରକ୍ଷା ପାଇଁ କଠୋର ନିୟମ କରିଛନ୍ତି। ଯଦି କେହି ସ୍ବାସ୍ଥ୍ୟକର୍ମୀଙ୍କୁ ଆକ୍ରମଣ, ନିର୍ଯାତନା ଓ ଅସଦାଚରଣ କରନ୍ତି, ତେବେ ତାଙ୍କୁ ୩ ମାସରୁ ୭ ବର୍ଷ ଜେଲଦଣ୍ଡ ସହ ୫ଲକ୍ଷ ଜରିମାନା ଦଣ୍ଡ ବ୍ୟବସ୍ଥା କରାଯାଇଛି। ୧୮୯୭ ମହାମାରୀ ନିୟନ୍ତ୍ରଣ ଆଇନକୁ ସଂଶୋଧନ କରି ସ୍ବାସ୍ଥ୍ୟକର୍ମୀଙ୍କ ବିରୋଧରେ ଅପରାଧ ଏଣିକି ଜାମିନ୍‌ବିହୀନ ହେବ ଓ ମାମଲାର ତଦନ୍ତ ୩୦ଦିନ ମଧ୍ୟରେ ଶେଷ ହେବ ବୋଲି ନିର୍ଦ୍ଦେଶ ରହିଛି। କିନ୍ତୁ ମୁଖ୍ୟମନ୍ତ୍ରୀ ସରପଂଚଙ୍କୁ ଜିଲ୍ଲାପାଳ କ୍ଷମତା ଘୋଷଣା କରିବାର ମାତ୍ର ଦୁଇ ଦିନ ପରେ ଜଣେ ସରପଂଚଙ୍କ ଏଭଳି ଆଚରଣ ଏବେ ଚର୍ଚ୍ଚାର ପ୍ରସଙ୍ଗ ହୋଇଛି। ଗିରଫ ସରପଞ୍ଚଙ୍କ ବିରୋଧରେ ଆଇପିସିର ଦଫା ସହିତ ଏପିଡେମିକ୍‌ ଆକ୍ଟ, ଡିଜାଷ୍ଟର ମ୍ୟାନେଜମେଣ୍ଟ ଆକ୍ଟ, ପିଡିସିସି ଆକ୍ଟରେ ମାମଲା ରୁଜୁ କରାଯାଇଥିବା ନେମାଳ ଥାନା ଅଧିକାରୀ ସୂଚନା ଦେଇଛନ୍ତି। କିନ୍ତୁ, ସରକାର ଯେଉଁଭଳି କଠୋର ନିୟମ କରିଛନ୍ତି ଏବଂ କାର୍ଯ୍ୟାନୁଷ୍ଠାନର ଚେତାବନୀ ଦେଇଛନ୍ତି, ଏ କ୍ଷେତ୍ରରେ ପୁଲିସ ଅପେକ୍ଷାକୃତ କୋହଳ ଦଫା ଲଗାଇଥିବା ଅଭିଯୋଗ ହେଉଛି। ଏଭଳି ସ୍ଥିତିରେ ଡାକ୍ତର, ସ୍ବାସ୍ଥ୍ୟ କର୍ମୀ କିଭଳି ସୁରକ୍ଷିତ ରହିବେ ବୋଲି ପ୍ରଶ୍ନ ଉଠୁଛି।

ସମ୍ବନ୍ଧିତ ଖବର