ସମ୍ବଲପୁର: ସରସତିଆ ଖାଇବା ପାଇଁ ଯାଇଥିଲି। ଏହି ଅବସରରେ ସ୍ଥାନୀୟ ଲୋକେ ସରସତିଆକୁ ଜିଆଇ ଟ୍ୟାଗ୍ ପାଇଁ ପ୍ରସ୍ତାବ ଦେଇଥିଲେ। ବିଶ୍ବର ଖାଦ୍ୟ ତାଲିକାରେ ଏହାର ପ୍ରସିଦ୍ଧି ବଢ଼ିବ। ଏ ସଂକ୍ରାନ୍ତରେ ପଦକ୍ଷେପ ନେବାକୁ ଜିଲ୍ଲାପାଳଙ୍କୁ କହିଛି। ରାଜସ୍ବ ମନ୍ତ୍ରୀ, ପଞ୍ଚାୟତିରାଜ ମନ୍ତ୍ରୀ, ବିଧାୟକ ଏଥିରେ ସହଯୋଗ କରିବେ। ନେଲସନ୍ ମଣ୍ଡେଲାଙ୍କଠାରୁ ଅଧିକ ସମୟ ଜେଲ୍ରେ ରହିଥିଲେ ଉଦ୍ଦନ୍ତ ସାଏ, ଜାଲିଆନାୱାଲାବାଗଠାରୁ ଲୋମହର୍ଷକ ହିଂସାକାଣ୍ଡ ଘଟିଥିଲା ସମ୍ବଲପୁରର କୁଦୋପାଲିରେ। ଆମେ ଲେଖିଲୁ ନାହିଁ ବୋଲି କେହି ଜାଣିଲେ ନାହିଁ। ତେଣୁ ଏହା ଉପରେ ଅଧିକ ଲେଖିବାକୁ ପଡ଼ିବ। ନିଜ ବିଷୟରେ ଯେତେ ଲେଖିପାରିଲେ ପୃଥିବୀ ଆମ ବିଷୟରେ ଜାଣିବ।
ଗୁରୁବାର ଓଡ଼ିଶା ସଂସ୍କୃତିକ ସମାଜ ପକ୍ଷରୁ ତପସ୍ବିନୀ ହଲ୍ରେ ଆୟୋଜିତ ନୂଆଁଖାଇ ଭେଟଘାଟ୍ କାର୍ଯ୍ୟକ୍ରମରେ ଏହା କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଓଡ଼ିଶା ସାଂସ୍କୃତିକ ସମାଜର ସଭାପତି ଡ. ପରେଶ ଦାନୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀଙ୍କ ସହ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ, ପଞ୍ଚାୟତରାଜ ମନ୍ତ୍ରୀ ରବିନାରାୟଣ ନାଏକ, ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ, ବିଧାୟକ ଜୟନାରାୟଣ ମିଶ୍ର, ରେଙ୍ଗାଲିର ପୂର୍ବତନ ବିଧାୟକ ନାଉରୀ ନାୟକ ପ୍ରମୁଖ ମଞ୍ଚାସୀନ ଥିଲେ। ଏହି ଅବସରରେ ସମ୍ବଲପୁର ରିଙ୍ଗ୍ରୋଡ୍ ସମ୍ପ୍ରସାରଣ, ଅଯୋଧ୍ୟାଘାଟର ଉନ୍ନତୀକରଣ ଆଦି ବିଷୟରେ ଅଧିକ ସୂଚନା ଦେଇଥିଲେ ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର। ସମ୍ପାଦକ ଦୀନବନ୍ଧୁ ପଣ୍ଡା ତାଙ୍କ ବିବରଣୀରେ ଓଡ଼ିଶା ସାଂସ୍କୃତିକ ସମାଜର ସଂସ୍କୃତି ସଂଗ୍ରହାଳୟ ଓ ସମ୍ବଲପୁରୀ ଭାଷାର ପାଠାଗାର ପାଇଁ ସରକାରଙ୍କ ସହାୟତା ନିମନ୍ତେ ଅନୁରୋଧ କରିଥିଲେ।
ଏହି ଉପଲକ୍ଷେ କଳାହାଣ୍ଡିଜିଲ୍ଲା ରୂପ୍ରାର ପର୍ବତାରୋହୀ ଯୋଗବ୍ୟାସ ଭୋଇ, ଜାତୀୟ ସ୍ତରରେ ଶ୍ରେଷ୍ଠ ବିବେଚିତ ଚାଷୀ ହେମନ୍ତ କୁମାର ନାୟକ ଏବଂ ସମ୍ବଲପୁରୀ ନାଟକରେ ଜାତୀୟସ୍ତରରେ ପୁରସ୍କୃତ ଅନୁଷ୍ଠାନ ଶ୍ରୀ କଲଚରାଲ୍ ଆସୋସିଏସନ୍କୁ ନୂଆଁଖାଇ ସମ୍ମାନରେ ସମ୍ମାନିତ କରାଯାଇଥିଲା। ୧୭ ସ୍କୁଲ ତଥା ନୃତ୍ୟ ଅନୁଷ୍ଠାନର ପ୍ରାୟ ୨୦୦ କଳାକାର ଲୋକନୃତ୍ୟ ପରିବେଷଣ କରିଥିଲେ। ନୃତ୍ୟ କାର୍ଯ୍ୟକ୍ରମକୁ ଡ. ସତ୍ୟନାରାୟଣ ଠାକୁର, ସୂର୍ଯ୍ୟ ପାଣିଗ୍ରାହୀ ଓ ମମତା ପଣ୍ଡା ପରିଚାଳନା କରିଥିଲେ। ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା। ଯୁଗ୍ମ ସମ୍ପାଦକ ସୁରେଖା ସାହୁ ଧନ୍ୟବାଦ ଦେଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/08/29/untitled-12-2025-08-29-07-21-24.jpg)