ପଣ୍ଡିତ ବୈଦ୍ୟନାଥ ମିଶ୍ରଙ୍କ ଜନ୍ମ ଶତବାର୍ଷିକୀ ଅବସରରେ ବିଚ୍ଛିନ୍ନାଞ୍ଚଳ ଶାସନ ଗାଁ’ରେ ସାରସ୍ୱତ ସଭା

ସାରସକଣା: ପଣ୍ଡିତ ବୈଦ୍ୟନାଥ ମିଶ୍ରଙ୍କ ଜନ୍ମ ଶତବାର୍ଷିକୀ ଅବସରରେ କବି ଅଜିତ ପାତ୍ରଙ୍କ ସମ୍ପାଦନାରେ ସ୍ମୃତିଗ୍ରନ୍ଥ ‘ବିଚ୍ଛିନ୍ନାଞ୍ଚଳର ଜ୍ୟୋତ୍ସ୍ନା’ ପ୍ରକାଶିତ ହୋଇଥିଲା। ଯାହାର ଦ୍ବିତୀୟ ସଂସ୍କରଣ ‘ପଣ୍ଡିତ ବୈଦ୍ୟନାଥ ମିଶ୍ର ସାହିତ୍ୟ ସଂରକ୍ଷଣ ସମିତି’ ଦ୍ବାରା ପ୍ରକାଶିତ ହୋଇଛି। ବାଲେଶ୍ବରର ଅଗ୍ରଣୀ ପ୍ରକାଶନ ସଂସ୍ଥା ‘ସୁବର୍ଣ୍ଣଶ୍ରୀ’ ଏହାକୁ ପ୍ରସ୍ତୁତ କରିଛି। ମଙ୍ଗଳବାର ସଂଧ୍ୟାରେ ପୁସ୍ତକଗୁଡ଼ିକୁ ନେଇ ଶାସନ ଗାଁ’କୁ ଏକ ‘ସାହିତ୍ୟ-ରଥ’ ଆସିଥିଲା। ଯାହାକୁ ସ୍ବାଗତ କରାଯିବା ସହ ଏକ ସାରସ୍ୱତ ସଭାର ଆୟୋଜନ ହୋଇଥିଲା।

ଝାଡ଼ଖଣ୍ଡର ପ୍ରଥମ ସ୍ୱାସ୍ଥ୍ୟମନ୍ତ୍ରୀ ଡ.ଦୀନେଶ କୁମାର ଷଡ଼ଙ୍ଗୀ, ସମାଜସେବୀ ତଥା ସୁଲେଖିକା ଡ. ବିନୀ ଷଡ଼ଙ୍ଗୀ, ଓଡ଼ିଶା ସାହିତ୍ୟ ଏକାଡେମୀର ସଦସ୍ୟ କବି ଅଜିତ ପାତ୍ର, ସୁବର୍ଣ୍ଣଶ୍ରୀର ପ୍ରକାଶକ କବି ତଥା ସାହିତ୍ୟ ଏକାଡେମୀର ସଦସ୍ୟ କାଳୀପଦ ପଣ୍ଡା, ସାମାଜସେବୀ ଧୀରେନ ବେରା ଓ ମେରୁମଠର ମହନ୍ତ ବିମ୍ବାଧର ବାବା ଯୋଗ ଦେଇ ପଣ୍ଡିତ ବୈଦ୍ୟନାଥ ମିଶ୍ରଙ୍କ ଜୀବନ ଓ ସାହିତ୍ୟ କୃତୀ ଉପରେ ଅଭିଭାଷଣ ପ୍ରଦାନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଶାସନ ଗାଁ’ର ସାହିତ୍ୟପ୍ରେମୀ ସୀମା ପୃଷ୍ଟି, ମହାଦେବ ନାୟକ, ଗଣେଶ ନାୟକ, ତାପସ ଘୋଷ, ଶଶାଙ୍କ ଶେଖର ଦାଶ, ବିଶିକେଶନ ପ୍ରହରାଜ, ଅଳକାନନ୍ଦା ମିଶ୍ର, ଶାନ୍ତନୁ ଦଣ୍ଡପାଟ, ମୃତ୍ୟୁଞ୍ଜୟ ନାୟକ, ଡମା ମୁଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ। ସମିତିର ଅଧ୍ୟକ୍ଷ ସୋମନାଥ ମିଶ୍ର, ସଞ୍ଜୟ ପ୍ରହରାଜ, ଶକ୍ତିପଦ ଦାଶ ଏବଂ ବୈଦ୍ୟନାଥ ମିଶ୍ରଙ୍କ ପୁଅ ଆଶୁତୋଷ ମିଶ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ସୂଚନା ଥାଉକି ବିଚ୍ଛିନ୍ନାଞ୍ଚଳ ଶାସନ ଗାଁ’ରେ ୧୯୧୮ ମସିହାରେ ପଣ୍ଡିତ ବୈଦ୍ୟନାଥ ମିଶ୍ର ଜନ୍ମଗ୍ରହଣ କରିଥିଲେ। ସେ ୧୯୩୧ ମସିହାରୁ ଦୀର୍ଘ ୧୫ ବର୍ଷ ଧରି ହସ୍ତଲିଖିତ ଏକ ମାସିକ ସାହିତ୍ୟ ପତ୍ରିକା ‘ଜ୍ୟୋତ୍ସ୍ନା’ର ସମ୍ପାଦନା କରିଥିଲେ। ତାଙ୍କର ବହୁ ପାଣ୍ଡୁଲିପି ରହିଛି। ଭୀମଭୋଇଙ୍କ ଉପରେ ସିଏ ପ୍ରଥମ ଗବେଷଣାଧର୍ମୀ ପ୍ରବନ୍ଧ ପୁସ୍ତକ ‘ତତ୍ତ୍ବଦ୍ରଷ୍ଟା ଭୀମଭୋଇ’ ରଚନା କରିଥିଲେ। ଯାହା ମେରୁମଠରୁ ୧୯୪୪ ମସିହାରେ ପ୍ରକାଶ ପାଇଥିଲା। ସେହିପରି ୧୯୩୯ ମସିହାରେ ରଚିତ ‘ମାନସୀ’ କାବ୍ୟଗ୍ରନ୍ଥ ୧୯୯୪ ମସିହାରେ ପ୍ରକାଶିତ ହୋଇଥିଲା। ୧୯୯୦ ମସିହାରେ ଓଡ଼ିଆ ସାହିତ୍ୟରେ ବିଶେଷ ଅବଦାନ ପାଇଁ ତାଙ୍କୁ ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ ସମ୍ମାନିତ କରିଥିଲା।

ସମ୍ବନ୍ଧିତ ଖବର