ଜଳ ସଂରକ୍ଷଣର ଜାଗ୍ରତ ପ୍ରହରୀ ‘ସରସ୍ୱତୀ’

କେନ୍ଦ୍ର ସରକାରଙ୍କ ପୁସ୍ତକରେ ସ୍ଥାନ ପାଇଛି ଅଭିନବ ସଫଳତା

ଚାନ୍ଦବାଲି, (ଦେବଜ୍ୟୋତି ଜେନା): ଜଳ ହିଁ ଜୀବନ। ଜଳକଷ୍ଟ ଯିଏ ଭୋଗିଛି, ସିଏ ଜାଣିଛି ତା ପାଇଁ ପାଣିର ମହତ୍ବ କେତେ। ହେଲେ, ଏମିତି ଜଣେ ମହିଳା ଅଛନ୍ତି, ଯିଏ ନିଜସ୍ୱ ଉଦ୍ୟମ ବଳରେ ପୂରା ଅଞ୍ଚଳକୁ ଜଳ ସଂରକ୍ଷଣ ଦିଗରେ ସଚେତନ କରାଇଛନ୍ତି। ଏଥିପାଇଁ ନା ତାଙ୍କୁ ମିଳିଛି ସ୍ୱତନ୍ତ୍ର ତାଲିମ୍ ନା ସରକାରୀ ସହାୟତା। ନିଜସ୍ୱ ଖର୍ଚ୍ଚ ଓ ଉଦ୍ୟମ ବଳରେ ସଚେତନତା ସୃଷ୍ଟିକରି ଜଳ ସଂରକ୍ଷଣ ପାଇଁ ରୀତିମତ କାମ କରି ଚାଲିଛନ୍ତି। ଆଗାମୀ ପିଢ଼ି ପାଇଁ ଜଳର ଆବଶ୍ୟକତା ଅନୁଭବ କରି ଗ୍ରାମାଞ୍ଚଳ ମହିଳାମାନଙ୍କୁ ଏକତ୍ରିତ କରି ଗଠନ କରିଛନ୍ତି ଜଳ ସଂରକ୍ଷଣ କମିଟି। ସେ ହେଲେ ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ୍‌ ନାଲଗୁଣ୍ଡା ପଞ୍ଚାୟତ ପଛପଡ଼ା ଗାଁର ଜଳ ସଂରକ୍ଷଣ କ୍ଷେତ୍ରର ଜାଗ୍ରତ ପ୍ରହରୀ ସରସ୍ୱତୀ ବାରିକ।

କରୋନା କାଳରେ ଗାଁ ମହିଳାଙ୍କୁ ଏକଜୁଟ୍‌ କରି ଜଳ ସଂରକ୍ଷଣ, ଜଳର ଅପଚୟ ରୋକିବା, ପରିମଳ ଓ ସ୍ବଚ୍ଛତା ପାଇଁ ସମସ୍ତଙ୍କୁ ବୁଝାଇ ସଫଳତା ପାଇଥିଲେ ସରସ୍ବତୀ। ତାଙ୍କ ପ୍ରେରଣାପ୍ରଦ କାହାଣୀ ନିକଟରେ କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରକାଶିତ ‘ସ୍ୱଚ୍ଛ ସୁଜଲ୍‌ ଶକ୍ତି କି ଅଭିବ୍ୟକ୍ତି-ଇନ୍‌ସ୍ପାଇରିଂ ଷ୍ଟୋରିଜ୍ ଅଫ ୱିମେନ୍ ଆଣ୍ଡ ରୁରାଲ କମ୍ୟୁନିଟିଜ୍’ ପୁସ୍ତକରେ ସ୍ଥାନ ପାଇଛି। ଏହି ପୁସ୍ତକରେ ଥିବା ୧୦୮ଟି ସଫଳ କାହାଣୀ ମଧ୍ୟରେ ରହିଛି ସରସ୍ୱତୀ ବାରିକଙ୍କ ଅଭିନବ ପ୍ରୟାସ।
ସୂଚନା ଅନୁସାରେ, ଗାଁ ମହିଳାମାନଙ୍କ ସହଯୋଗରେ ଆବର୍ଜନା ପୋଖରୀକୁ ସଫା କରିବା, ନଳକୂପ ନିକଟରେ ଜମି ରହୁଥିବା ପାଣି, ଘରମାନଙ୍କରେ ନିତ୍ୟ ବ୍ୟବହୃତ ପାଣିକୁ ନଷ୍ଟ ନକରି ବାଡ଼ିବଗିଚା, ଚାଷକାମରେ ବ୍ୟବହାର ଓ ବର୍ଷାଜଳକୁ ବ୍ୟବହାର ଉପଯୋଗୀ କରିବା ସଂକ୍ରାନ୍ତରେ ତାଙ୍କର ନିରନ୍ତର ପ୍ରୟାସ ଗ୍ରାମବାସୀଙ୍କ ସମେତ ଆଖପାଖ ଅଞ୍ଚଳବାସୀଙ୍କୁ ପ୍ରଭାବିତ କରିଛି।

ଏ ସମ୍ପର୍କରେ ସରସ୍ବତୀ କହିଛନ୍ତି , ସାଧାରଣତଃ ମହିଳାମାନେ ହିଁ ବେଶୀ ପାଣି ବ୍ୟବହାର କରନ୍ତି। ତେଣୁ ସେମାନେ ସଚେତନ ହେଲେ ଯାଇ ଜଳ ସଂରକ୍ଷଣ ସମ୍ଭବ ହୋଇପାରିବ। ପିଲାଠୁ ବୟସ୍କ… ସଭିଁଏ ଜଳର ଆବଶ୍ୟକତାକୁ ଅନୁଭବ କରିବା ଉଚିତ ବୋଲି କହିଛନ୍ତି ସରସ୍ବତୀ। ‘ମିସନ୍‌ ଶକ୍ତି ବିଭାଗରେ ଗୋଷ୍ଠୀ କର୍ମୀ (କମ୍ୟୁନିଟି ୱାର୍କର୍‌)’ ଭାବେ କାମ କରୁଥିବା ସରସ୍ବତୀଙ୍କ ଏହି ନିଃସ୍ୱାର୍ଥପର ଉଦ୍ୟମ ନିଶ୍ଚିତ ଭାବେ ପ୍ରଶଂସନୀୟ ଓ ଅନ୍ୟମାନଙ୍କ ପାଇଁ ଅନୁକରଣୀୟ ମଧ୍ୟ।

ସମ୍ବନ୍ଧିତ ଖବର