ପ୍ରଫେସର ସରସ୍ୱତୀ ସ୍ୱାଇଁଙ୍କ ପରଲୋକ

ରବି ରାୟଙ୍କ ପତ୍ନୀ, ଏସ୍‌ସିବିରେ ଚିକିତ୍ସାଧୀନ ଥିଲେ

କଟକ : ଲୋକସଭାର ପୂର୍ବତନ ବାଚସ୍ପତି ସ୍ବର୍ଗତ ରବି ରାୟଙ୍କ ଧର୍ମପତ୍ନୀ ପ୍ରଫେସର ଡା. ସରସ୍ବତୀ ସ୍ବାଇଁ(୮୮)ଙ୍କର ବୁଧବାର ସକାଳ ସ‌ାଢ଼େ ୫ଟାରେ ଏସ୍‌ସିବି ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ପରଲୋକ ଘଟିଛି। ଗତ ୧ ତାରିଖରୁ ‌ସେ ଅସୁସ୍ଥ ହୋଇ ଏସ୍‌ସିବିରେ ଚିକିତ୍ସାଧୀନ ଥିଲେ। ଶେଷ ସମୟରେ ତାଙ୍କ ନିକଟରେ ଭଣଜା କ୍ଷୀରୋଦ ମହାପାତ୍ରଙ୍କ ସମେତ ଅନ୍ୟ ଆତ୍ମୀୟସ୍ବଜନ ଉପସ୍ଥିତ ଥିଲେ।

୧୯୩୧ ମସିହାରେ ଜଗତସିଂହପୁର ବାଲିକୁଦା ନିକଟ ଓଳାଭର ଗ୍ରାମରେ ଜନ୍ମିତ ସରସ୍ବତୀଙ୍କ ବାପା ଚକ୍ରଧର ସ୍ବାଇଁ ଥିଲେ ରେଳବିଭାଗର ପଦସ୍ଥ ଅଧିକାରୀ। ୪ ଭଉଣୀ ଓ ୨ଭାଇଙ୍କ ମଧ୍ୟରେ ସରସ୍ବତୀ ଥିଲେ ଜ୍ୟେଷ୍ଠା। ବିଦ୍ୟାର୍ଥୀ ଜୀବନରୁ ସମାଜସେବା ପ୍ରତି ରୁଚି ରଖୁଥିବା ଡାକ୍ତର ସ୍ବାଇଁ ଏସ୍‌ସିବି ମେଡିକାଲ କଲେଜ ସାମାଜିକ ପ୍ରତିଷେଧକ ବିଭାଗର ବିଭାଗୀୟ ମୁଖ୍ୟ ଭାବେ ଅବସର ଗ୍ରହଣ କରିବା ପରେ ‘ନିହାର୍ଡ’ ନାମକ ଏକ ଏନ୍‌ଜିଓ ଗଢ଼ି ସମାଜସେବା କାର୍ଯ୍ୟ କରୁଥିଲେ। ସ୍ବାସ୍ଥ୍ୟ ଓ ଶିକ୍ଷାର ଉନ୍ନତି ପାଇଁ ସେ ନିରନ୍ତର କାର୍ଯ୍ୟ କରୁଥିଲେ। ସମାଜବାଦୀ ଚିନ୍ତାଧାରାରେ ବଢ଼ିଥିବା ଡାକ୍ତର ସ୍ବାଇଁ ରବି ରାୟଙ୍କୁ ବିବାହ କରିବା ପରେ ସ୍ବାମୀଙ୍କ ସହଯୋଗୀ ଭାବେ କାର୍ଯ୍ୟ କରୁଥିଲେ। ତାଙ୍କ ସମର୍ଥନ ଓ ସହଯୋଗରେ ଶ୍ରୀ ରାୟ ରାଜନୈତିକ ଜୀବନରେ ବେଶ୍‌ ସଫଳ ହୋଇଥିଲେ। ସଂଗ୍ରାମୀ ମାଳତୀ ଦେବୀଙ୍କ ଚିକିତ୍ସା କରି ତତ୍କାଳୀନ ରାଜ୍ୟ ସରକାରଙ୍କ ଅକ୍ରୋଶର ଶିକାର ହୋଇଥିବା ଡାକ୍ତର ସ୍ବାଇଁଙ୍କର ଜାତୀୟସ୍ତରର ବହୁ ସମାଜବାଦୀ ନେତାଙ୍କ ସହିତ ସଂପର୍କ ଥିଲା। ଜୟପ୍ରକାଶ ନାରାୟଣଙ୍କ ଆନ୍ଦୋଳନରେ ସେ ନିଜକୁ ସାମିଲ ଥିଲେ।

ଆଜି ତାଙ୍କ ମୃତ୍ୟୁ ଖବର ପାଇ ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ତଥା ବିଧାୟକ ଅତନୁ ସବ୍ୟସାଚୀ ନାୟକ, ପ୍ରଫେସର ଡାକ୍ତର ପ୍ରଭାସ ଚନ୍ଦ୍ର ସିଂହ, ଡାକ୍ତର ବିଜୟ ସ୍ବାଇଁ, ଡାକ୍ତର ପ୍ରମିଳା ଦେବୀ, ଡାକ୍ତର ପ୍ରଶାନ୍ତ ପ୍ରଧାନ, ଡାକ୍ତର ପ୍ରଜ୍ଞା ସିଂହ, ଶୈଳବାଳା ପ୍ରଧାନ, ଆଇନଜୀବୀ ଅଜୟ ସ୍ବାଇଁ, ପଦ୍ମଚରଣ ରାଉତ, ସମୀର ରାଉତ, ଦେବ ପ୍ରଧାନ, ଆଇନଜୀବୀ ଚିତ୍ତରଞ୍ଜନ ମହାନ୍ତ, ଡକ୍ଟର ସତ୍ୟ ରାୟ, ଦେବପ୍ରସାଦ ରାୟ ମହାପାତ୍ର, ମନୋରଞ୍ଜନ ରାୟ ମହାପାତ୍ର, ଚିତ୍ତରଞ୍ଜନ ରାୟ ମହାପାତ୍ର, ଶାନ୍ତନୁ ମହାପାତ୍ର, ନିରୋଦ ମହାପାତ୍ର, ଉତ୍କଳ ସର୍ବୋଦୟ ମଣ୍ଡଳ ସଂପାଦକ ରମାକାନ୍ତ ମଣ୍ଡଳ, ଇନ୍ଦୁମତୀ ସାହୁ, ବସୁନ୍ଧରା ସଂପାଦିକା ଶୈଳ ବେହେରା, ମିଳିତ ଓଡ଼ିଶା ନିଶା ନିବାରଣ ଅଭିଯାନର ପଦ୍ମଚରଣ ନାୟକ, ମଳୟ ତ୍ରିପାଠୀ, ଉତ୍କଳ ଖଦୀ ମଣ୍ଡଳ ସଭାପତି ବୈଷ୍ଣବ ଚରଣ ଦାସ, ଲକ୍ଷ୍ମୀପ୍ରିୟା ମହାନ୍ତି, ଡକ୍ଟର ମନୋରଞ୍ଜନ ମହାନ୍ତି, ଶୈଳଜ ରବି ପ୍ରମୁଖ ତାଙ୍କୁ ଶେଷଦର୍ଶନ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥ‌ିଲେ। ତାଙ୍କ ପାର୍ଥିବ ଶରୀରକୁ କଲ୍ୟାଣୀନଗର ବାସଭବନରେ ଶେଷଦର୍ଶନ ପାଇଁ ରଖାଯାଇଥିଲା। ପରେ ଏକ ଶୋଭାଯାତ୍ରାରେ ମରଶରୀରକୁ ବାଲିପାଟଣା ଭଅଁରାଗଡ଼କୁ ନିଆଯାଇ ଅପରାହ୍ନରେ ଗ୍ରାମ ଶ୍ମଶାନରେ ଶେଷକୃତ୍ୟ ସଂପନ୍ନ କରାଯାଇଛି।

ସମ୍ବନ୍ଧିତ ଖବର