ଖୋର୍ଦ୍ଧା : ଟାଙ୍ଗୀ ତହସିଲ ଅନ୍ତର୍ଗତ ଚିଲିକା କୂଳର ସରସ୍ୱତୀନଗର ଗ୍ରାମବାସୀମାନେ ବୁଧବାର ଟାଙ୍ଗୀ ତହସିଲଦାର ଓ ଭୂଷଣ୍ଡପୁର ରାଜସ୍ୱ ନିରୀକ୍ଷକଙ୍କ ଉପରେ ସିଧାସଳଖ ଅଭିଯୋଗ କରି ଚିଲିକାର ଚିଙ୍ଗୁଡ଼ି ଓ ମାଛ ମାଫିଆଙ୍କ ଦ୍ୱାରା ପରିଚାଳିତ ହେଉଛନ୍ତି ବୋଲି ଅଭିଯୋଗ କରିଛନ୍ତି ।
ବୁଧବାର ପୂର୍ବାହ୍ଣ ପ୍ରାୟ ୧୧ଟାରେ ସରସ୍ୱତୀନଗର ଗ୍ରାମର ଶତାଧିକ ମତ୍ସ୍ୟଜୀବୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ମାଛ ମାଫିଆଙ୍କୁ ସହଯୋଗ କରି ରାଜସ୍ୱ ବିଭାଗ ସେମାନଙ୍କ ବିରୋଧରେ ମିଛ ମାମଲା ରୁଜୁ କରୁଥିବା ଓ ସେମାନଙ୍କ ପାରମ୍ପରିକ ଜୀବିକା ଛଡ଼ାଇନେଉଥିବା ଅଭିଯୋଗ କରିଛନ୍ତି । ଏନେଇ ସେମାନେ ଲିଖିତ ଭାବେ ଦାବିପତ୍ର ଦେବା ସହ ଘଟଣାର ତଦନ୍ତ କରି ଦୋଷୀଙ୍କ ବିରୋଧରେ ପଦକ୍ଷେପ ନେବାକୁ ଦାବି କରିଛନ୍ତି ।
ସରସ୍ୱତୀନଗରର ଅବନୀକାନ୍ତ ବେହେରା କହିଛନ୍ତି ଯେ ଟାଙ୍ଗୀ ତହସିଲର ସୁଭଦ୍ରାପୁର ମୌଜାର ଖାତା ନଂ ୨୪୪,୨୪୫ ନମ୍ବର ପ୍ଲଟରେ ବଂଶାନୁକ୍ରମିକ ଭାବେ ମାଛ ଧରୁଥିଲେ । ୧୧ ବର୍ଷ ପୂର୍ବେ ସରକାରଙ୍କ ନିୟମାନୁସାରେ, ସୁଭଦ୍ରାପୁର ମତ୍ସ୍ୟଜୀବୀ ସେବା ସମବାୟ ସମିତି ଏବାବଦକୁ ବାର୍ଷିକ ୧୦ରୁ ୧୨ ହଜାର ଟଙ୍କା ସବ୍ଲିଜ୍ ଅର୍ଥ ସରକାରଙ୍କୁ ପଇଠ କରି ଆସୁଥିଲେ । କିନ୍ତୁ ଟାଙ୍ଗୀ ତହସିଲଦାର ଓ ଭୂଷଣ୍ଡପୁର ଆର୍ଆଇ ୬ ଜୁଲାଇ ୨୦୨୦ରେ କୌଣସି ସରଜମିନ ତଦନ୍ତ ନକରି ଜବରଦଖଲ ମାମଲା ରୁଜୁ କଲେ । ୨୪୪ ନମ୍ବର ପ୍ଲଟରୁ ୫୦,୫୦୦ଟଙ୍କା ଓ ୨୪୫ ନମ୍ବର ପ୍ଲଟ ପାଇଁ ୨୧ହଜାର ଟଙ୍କା ଜୋରିମାନା ସଂଗ୍ରହ କଲେ । କିନ୍ତୁ ହଠାତ୍ ଏହାର ମାସକ ପରେ ୨୭ ନଭେମ୍ବରରେ ଏହି ଅଂଚଳରେ ୧୪୪ ଧାରା ଜାରି କରି ମାଛଧରିବା ବନ୍ଦ କରିଦେଲେ ।
ସୂଚନାଯୋଗ୍ୟ, ଖୋର୍ଦ୍ଧା ଜିଲ୍ଲା ପୁରୀ ଜିଲ୍ଲା ଠାରୁ ଅଲଗା ହେବା ପରେ ୧୯୯୪ରେ ନାଭିଗେସନ୍ ଚାନେଲ୍ ଲାଗୁ କରାଯାଇଥିଲା । ୨୦୦୯ରେ ଏହି ଚାନେଲ୍ ଉଠାଇ ଦିଆଯାଇ ସରସ୍ୱତୀନଗରର ମତ୍ସ୍ୟଜୀବୀଙ୍କୁ ମାଛ ଧରିବା ପାଇଁ ପ୍ରଶାସନ ପକ୍ଷରୁ ପ୍ରାଥମିକତା ଦିଆଯାଇଥିଲା । ୨୦ ଜୁନ୍ ୨୦୦୯ ଠାରୁ ପ୍ରଶାସନର ଅନୁମତି କ୍ରମେ ସେହି ଅଂଚଳରୁ ସରସ୍ୱତୀନଗର ମତ୍ସ୍ୟଜୀବୀମାନେ ସବ୍ଲିଜ୍ ଗ୍ରହଣ କରି ମାଛ ଧରି ଆସୁଥିଲେ । କିନ୍ତୁ ଗତ ୩ ମାସ ଧରି ଡିଜିପିଏସ୍ ସର୍ଭେ ପାଇଁ ଚିଲିକା ଉନ୍ନୟନ କର୍ତୃପକ୍ଷ ସେହି ଅଂଚଳରେ ମାଛ ମାରିବା ଉପରେ କଟକଣା ଲଗାଇଛି । କଟକଣା ପରେ ମଧ୍ୟ ସେଠାରେ ମାଛ ଧରୁଥିବାରୁ ୧୪୪ ଧାରା ଜାରି କରାଯାଇଥିବା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।