ଶରତଙ୍କ ପ୍ରତି ଅସମ୍ମାନ ଗ୍ରହଣୀୟ ନୁହେଁ: ବିଶ୍ୱଭୂଷଣ

ରାଜ୍ୟସ୍ତରୀୟ ଶ୍ରଦ୍ଧାଞ୍ଜଳି ସଭା

ଭୁବନେଶ୍ୱର : ଓଡ଼ିଶାର ଯଶସ୍ବୀ ଜନନେତା, ପୂର୍ବତନ ବାଚସ୍ପତି ତଥା ସର୍ବୋପରି ଜଣେ ବିଚକ୍ଷଣ ରାଜନେତାଙ୍କ ଅବର୍ତ୍ତମାନରେ ସମ୍ମାନ ଦେବାରେ ଯେଉଁଭଳି ଅବହେଳା କରାଗଲା, ତାହା କୌଣସି ପରିସ୍ଥିତିରେ ଗ୍ରହଣୀୟ ନୁହେଁ। ‘ରାଜ୍ୟ ପୂଜ୍ୟ ପ୍ରମାଣ ଟ୍ରଷ୍ଟ’ ପକ୍ଷରୁ ଅନ୍‌ଲାଇନ୍‌ରେ ଆୟୋଜିତ ଶରତ କରଙ୍କ ରାଜ୍ୟସ୍ତରୀୟ ସ୍ମୃତିସଭା‌ରେ ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ବିଶ୍ବଭୂଷଣ ହରିଚନ୍ଦନ ଯୋଗଦେଇ ଏହା କହିଛନ୍ତି। ଶ୍ରଦ୍ଧାଞ୍ଜଳି ସଭାକୁ ଉଦ୍‌ଘାଟନ କରି ରାଜ୍ୟପାଳ ଶ୍ରୀ ହରିଚନ୍ଦନ ଆହୁରି କହିଲେ, ଛାତ୍ର ଅବସ୍ଥାରୁ ଶରତ ବାବୁ ନେତୃତ୍ୱ ନେବା ଓ ଭାଷଣ ଦେବାର କଳା ଶିଖି ଯାଇଥିଲେ। ସେହି ସମୟରେ ଆଲ୍ଲହାବାଦ ବିଶ୍ୱବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ସ୍ନାତକୋତ୍ତର ଶେଷ କରି ମଧ୍ୟ ସମାଜସେବା ତଥା ରାଜନୀତିକୁ ଆଦରି ନେବା କିଛି କମ୍ କଥା ନୁହେଁ। ୧୯୭୫ ମସିହା ଜରୁରୀକାଳୀନ ପରସ୍ଥିତି ଓ ପରବର୍ତ୍ତୀ ସମୟରେ ସରକାରରେ ସାଙ୍ଗ ହୋଇ ମନ୍ତ୍ରୀ ହେବା ଭଳି ବହୁ ସ୍ମୃତି ରାଜ୍ୟପାଳ ରୋମନ୍ଥନ କରିଥିଲେ।

photo by : Twitter

ଟ୍ରଷ୍ଟର ଅଧ୍ୟକ୍ଷ ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ରଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି ଶ୍ରଦ୍ଧାଞ୍ଜଳି ସଭାରେ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର, ଓଡ଼ିଶା ପ୍ରଦେଶ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ, ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି, ନିଗମ କଳ୍ପତରୁ ଆଶ୍ରମର ପ୍ରତିଷ୍ଠାତା ସ୍ୱାମୀ ବ୍ରହ୍ମାନନ୍ଦ ସରସ୍ୱତୀ, କିସ୍‌ର ଉପଦେଷ୍ଟା ହରେକୃଷ୍ଣ ଶତପଥୀ ଓ ପୂର୍ବତନ ଆୟକର ମୁଖ୍ୟ କମିସନର୍‌ ଏସ୍‌.ଏନ୍ ଭାର୍ଗବ ପ୍ରମୁଖ ଉପସ୍ଥିତ ଥି‌ଲେ। କାର୍ଯ୍ୟକ୍ରମର ମୁଖ୍ୟ ସଂଯୋଜକ ତଥା ଟ୍ରଷ୍ଟର କାର୍ଯ୍ୟକାରୀ ଅଧ୍ୟକ୍ଷ ବଦ୍ରିନାଥ ପଟ୍ଟନାୟକ ପ୍ରାରମ୍ଭିକ ସୂଚନା ଦେଇଥିଲେ। ଏହି ଅବସରରେ ତପସ୍ୱିନୀ କରଙ୍କ ଦ୍ୱାରା ସମ୍ପାଦିତ ଇଂରାଜୀ ଓ ଓଡ଼ିଆରେ ଦୁଇଟି ଶ୍ରଦ୍ଧାଞ୍ଜଳି ପୁସ୍ତିକାକୁ ରାଜ୍ୟପାଳ ଉନ୍ମୋଚନ କରିଥିଲେ। କାର୍ଯ୍ୟକ୍ରମ ପ୍ରାରମ୍ଭରେ ପ୍ରବଚକ ପଣ୍ଡିତ ବୀରେନ୍ଦ୍ର କୁମାର ପଣ୍ଡା ବେଦପାଠ କରିଥିଲେ। ସ୍ବର୍ଗତ କରଙ୍କ ପୁତ୍ର ଶୋଭନ କର ଧନ୍ୟବାଦ ଦେଇଥିଲେ।

ଏହି ଅବସରରେ ଆର୍ଯ୍ୟ ସମାଜ, ଓଡ଼ିଶା ପକ୍ଷରୁ ଆର୍ଯ୍ୟଭବନଠାରେ ଏକ ବୈଦିକ ଶାନ୍ତି ଯଜ୍ଞ କଳିଙ୍ଗ ଫାଉଣ୍ଡେସନ୍‌ ଟ୍ରଷ୍ଟର ଅଧ୍ୟକ୍ଷ ବିମଳ ଦାସଙ୍କ ଯଜମାନତ୍ୱରେ ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସ୍ୱର୍ଗତ କରଙ୍କ ବଡଭାଇ ପ୍ରଫେସର୍‌ ରଜତ କର, ଶିକ୍ଷାବିତ୍‌ ବିମଳେନ୍ଦୁ ମହାନ୍ତି, ସୁବାର୍ତ୍ତାର ସମ୍ପାଦକ ପ୍ରଦ୍ୟୁମ୍ନ ଶତପଥୀ, ଗୋବର୍ଦ୍ଧନ ପୀଠ ପକ୍ଷରୁ ପ୍ରବକ୍ତା ମନୋଜ ରଥ, ସ୍ୱାମୀ ଶିବଚିଦାନନ୍ଦ ସରସ୍ୱତୀ, ସ୍ୱାମୀ ଜଗନ୍ନାଥାନନ୍ଦ ସରସ୍ୱତୀ, ଉପେନ୍ଦ୍ର ପାଢ଼ୀ, ଓକିଲ ଶୀଳଭଦ୍ର ଶାସ୍ତ୍ରୀ, ପ୍ରଫେସର୍‌ ବ୍ରଜବନ୍ଧୁ ପଣ୍ଡା, ଅଧ୍ୟାପକ ପ୍ରଣବ ପାଟ୍ଟଯୋଶୀ, ପ୍ରଫେସର ଯୁଧିଷ୍ଠିର ଖଟୁଆ, ସୀତାବଲ୍ଲଭ ମହାପାତ୍ର, ପ୍ରଫେସର୍‌ ବିକାଶ ପଣ୍ଡା, ଡ. ସୌରେନ୍ଦ୍ର କୁମାର ମହାପାତ୍ର, ପ୍ରଫେସର୍‌ ଜ୍ଞାନରଞ୍ଜନ ପଣ୍ଡା, ପ୍ରଫେସର୍‌ ବୁଦ୍ଧଦେବ ମିଶ୍ର, ଯୋଗଗୁରୁ ନାରାୟଣ ଚନ୍ଦ୍ର ନନ୍ଦ, ମାହାଙ୍ଗାର ଭାବଗ୍ରାହୀ ରାଉତ, ରାମଚନ୍ଦ୍ର ବେହେରା ଓ ସ୍ୱାଧୀନବାଳା ଦାସ ପ୍ରମୁଖ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ।

ସମ୍ବନ୍ଧିତ ଖବର