କଟକ: ବାବା ସାରଥି ଓରଫ ସନ୍ତୋଷ କୁମାର ରାଉଳଙ୍କ ପକ୍ଷରୁ ଦାୟର ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ ଓଡ଼ିଶା ସରକାରଙ୍କୁ ନୋଟିସ୍ ଜାରି କରିଛନ୍ତି। ହାଇକୋର୍ଟଙ୍କ ୨୦୧୭, ଅକ୍ଟୋବର ୧୩ର ଜାମିନ ଖାରଜ ନିର୍ଦ୍ଦେଶକୁ ଚାଲେଞ୍ଜ କରି ସାରଥି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଜଷ୍ଟିସ ଏନ୍.ଭି.ରମନା ଓ ଜଷ୍ଟିସ ଏସ୍.ଅବଦୁଲ ନଜିରଙ୍କୁ ନେଇ ଗଠିତ ଖଣ୍ଡପୀଠ ସାରଥିଙ୍କ ପକ୍ଷରୁ ଦାୟର ଏସ୍ଏଲ୍ପିର ଶୁଣାଣି କରି ରାଜ୍ୟ ସରକାରଙ୍କୁ ୪ ସପ୍ତାହ ଭିତରେ ମାମଲା ସଂପର୍କିତ ସମସ୍ତ ରେକର୍ଡ ଦାଖଲ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଏସ୍ଏଲପିର ପରବର୍ତ୍ତୀ ଶୁଣାଣି ୪ ସପ୍ତାହ ପରେ କରାଯିବା ପାଇଁ ଧାର୍ଯ୍ୟ କରାଯାଇଛି ବୋଲି ସାରଥିଙ୍କ ପକ୍ଷରୁ ମାମଲା ପରିଚାଳନା କରୁଥିବା ଆଇନଜୀବୀ ଡକ୍ଟର ସୁଶାନ୍ତ କୁମାର କାନୁନଗୋ ସୂଚନା ଦେଇଛନ୍ତି। ମାମଲାର ବିବରଣୀରୁ ପ୍ରକାଶ ଯେ ୨୦୧୫, ଅଗଷ୍ଟ ୮ରେ ସାରଥିଙ୍କୁ କ୍ରାଇମବ୍ରାଞ୍ଚ୍ ଗିରଫ୍ କରିବା ପରେ କେନ୍ଦ୍ରାପଡାର ଜଣେ ଯୁବତୀ ଓ ତାଙ୍କ ମା’ ତାଙ୍କ ବିରୋଧରେ ଅଭିଯୋଗ କରିଥିଲେ। ଝିଅକୁ ବାହା କରାଇ ଦେବାକୁ କହି ସାରଥି ମା-ଝିଅଙ୍କ ନିକଟରୁ ଚଞ୍ଚକତା କରି ସଞ୍ଚିତ ୧ ଲକ୍ଷ ୧୫ ହଜାର ଟଙ୍କା, ସୁନା ଅଳଙ୍କାର ନେଇ ଯାଇଥିଲେ। ପାଶବିକ ଅତ୍ୟାଚାର କରିଥିଲେ ବୋଲି ଯୁବତୀ କରିଥିବା ଅଭିଯୋଗକୁ ଆଧାର କରି ଆଇପିସିର ଦଫା ୧୨୦-ବି, ୪୨୦, ୩୫୪, ୫୦୬ ଓ ୩୪ରେ କ୍ରାଇମବ୍ରାଞ୍ଚ୍ ମାମଲା ନଂ-୨୦/୨୦୧୫ ରୁଜୁ କରିଥିଲା। କେନ୍ଦ୍ରାପଡା ଏସ୍ଡିଜେଏମ୍ ଅଦାଲତରେ ବିଚାରାଧୀନ ଏହି ମାମଲାରେ ତଦନ୍ତକାରୀ ସଂସ୍ଥା ସାରଥି ଓ ତାଙ୍କ ସହଯୋଗୀ ଶରତ ପାତ୍ରଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ୍ କରିଥିଲା। ଏହି ମାମଲାରେ ପ୍ରଥମ ଥର ୨୦୧୬, ଅକ୍ଟୋବର ୨୭ରେ ସାରଥିଙ୍କ ଜାମିନ ହାଇକୋର୍ଟ ଖାରଜ କରିବା ପରେ ସେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ସୁପ୍ରିମକୋର୍ଟ ତାଙ୍କ ଆବେଦନ ଖାରଜ କରିଥିଲେ। ଏହା ପରେ ଦ୍ୱିତୀୟ ଥର ୨୦୧୭, ଅକ୍ଟୋବର ୧୩ରେ ହାଇକୋର୍ଟ ତାଙ୍କ ଜାମିନ ଖାରଜ କରିବା ପରେ ସେ ପୁଣି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଏଠାରେ ଉଲ୍ଳେଖ ଯୋଗ୍ୟ ଯେ ବିବାଦୀୟ ଡାକ୍ତରୀ ଛାତ୍ରୀଙ୍କ ମାମଲାରେ ସାରଥିଙ୍କୁ ସୁପ୍ରିମକୋର୍ଟ ଜାମିନ ପ୍ରଦାନ କରିଥିବା ବେଳେ ମୂଳ କ୍ରାଇମବ୍ରାଞ୍ଚ ମାମଲାରେ ୨୦୧୭, ଅଗଷ୍ଟ ୪ରେ ତାଙ୍କୁ ହାଇକୋର୍ଟ ସର୍ତ୍ତମୂଳକ ଜାମିନ ମଞ୍ଜୁର କରିଥିଲେ। ବିଚାରାଧୀନ କେନ୍ଦ୍ରାପଡା ମାମଲାରେ ଜାମିନ ମିଳିଲେ ସାରଥି ଜେଲରୁ ବାହାରିବା ସମ୍ଭବ ହେବ।
ଜାମିନ ପାଇଁ ସୁପ୍ରିମକୋର୍ଟରେ ବାବା ସାରଥି
ରାଜ୍ୟ ସରକାରଙ୍କୁ ନୋଟିସ୍
/sambad/media/post_attachments/wp-content/uploads/2018/02/Supreme-Court_Reuters.jpg)
/sambad/media/agency_attachments/2024-07-24t043029592z-sambad-original.webp)