ଭୁବନେଶ୍ୱର/କେନ୍ଦ୍ରାପଡ଼ା : ଜେଲରୁ ମୁକୁଳିବାର ଦିନକ ପରେ ଆତ୍ମଘୋଷିତ ବାବା ସାରଥି ଓରଫ ସନ୍ତୋଷ ରାଉଳ ଶନିବାର ରାଜ୍ୟ ବାହାରକୁ ଯାଇଛନ୍ତି। ସାରଥିଙ୍କ ଓକିଲ ମାନସ ଚାନ୍ଦ ଗଣମାଧ୍ୟମକୁ ଶନିବାର ଏହି ସୂଚନା ଦେଇଛନ୍ତି। ବାବା ସାରଥି କେଉଁ ରାଜ୍ୟରେ ଅଛନ୍ତି ସେ ବାବଦରେ ଓକିଲ ଶ୍ରୀ ଚାନ୍ଦ ସୂଚନା ଦେଇ ନାହାନ୍ତି। ଶ୍ରୀ ଚାନ୍ଦ କେବଳ ଏତିକି କହିଛନ୍ତି ଯେ, ରାଜ୍ୟ ବାହାରକୁ ଯିବା ନେଇ କୋର୍ଟଙ୍କ ବାରଣ ନ ଥିଲା। ଆଇଓଙ୍କୁ ଜଣାଇ ସାରଥି ରାଜ୍ୟ ବାହାରକୁ ଯାଇପାରିବେ ବୋଲି କୋର୍ଟ କହିଥିଲେ। ଯାଇଥିବା ସ୍ଥାନର ଠିକଣା ଓ ଟେଲିଫୋନ ନମ୍ବର ଦେଇ ସେ ରାଜ୍ୟ ବାହାରକୁ ଯାଇପାରିବେ। ସେ କୋଲକାତା ଯାଇଥିବା ଅନୁମାନ କରାଯାଉଛି।
Sambad is now on WhatsApp
Join and get latest news updates delivered to you via WhatsApp
ଆଜି କେନ୍ଦ୍ରାପଡା ସ୍ଥିତ ବାରିମୂଳ ଆଶ୍ରମରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ୪ ଜଣିଆ ଟିମ୍ ପହଞ୍ଚି ନୋଟିସ୍ ଲଗାଯାଇଛି। ତେବେ ନୋଟିସରେ ବାରିମୂଳ ଆଶ୍ରମକୁ ଅନଧିକୃତ ପ୍ରବେଶ ବାରଣ ନେଇ ଉଲ୍ଲେଖ କରାଯାଇଛି। ଏହା ସହ ଇଡି ଟିମ୍ ସାରଥୀ ଓରଫ ସନ୍ତୋଷ ରାଉଳଙ୍କ ୨୬ଟି ବେଆଇନ୍ ସମ୍ପତ୍ତିର ତଦନ୍ତ କରୁଥିବା ମଧ୍ୟ ସୂଚନା ମିଳିଛି। ସାରଥି ବାବା ଜେଲରୁ ମୁକୁଳିବା ପରେ ଆଶ୍ରମକୁ ବହୁ ସଂଖ୍ୟାରେ ଭକ୍ତମାନଙ୍କ ଆଗମନ ହେବା ଆଶଙ୍କାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ପ୍ରତିଷେଧମୂଳକ ବ୍ୟବସ୍ଥା ଭାବେ ଏହି ପଦକ୍ଷେପ ନିଆ ଯାଇଥିବା ଅନୁମାନ କରାଯାଉଛି।
ସୂଚନାଯୋଗ୍ୟ କେନ୍ଦ୍ରାପଡ଼ାର ବାବା ନାମରେ ସାରା ରାଜ୍ୟରେ ପରଚିତ ସନ୍ତୋଷ ରାଉଳ ତଥା ‘ସାରଥି ’ ବାବା ଜୁଲାଇ ୨୫ ସନ୍ଧ୍ୟାରେ କଟକ ଜିଲ୍ଲାର ଚୌଦାର ଜେଲରୁ ଜାମିନ ମିଳିବା ପରେ ବାହାରିଥିଲେ। ଦୀର୍ଘ ୪ ବର୍ଷ ଯାଏଁ ଜେଲରେ ବନ୍ଦ ରହିବା ପରେ ବାବା ସାରଥି ଜେଲରୁ ମୁକୁଳିଥିଲେ। ତିନିଟି ଅଭିଯୋଗରେ ମାମଲା ରୁଜୁ ହେବା ପରେ ସାରଥୀ ବାବାକୁ ପୁଲିସ ୨୦୧୫ ଅଗଷ୍ଟ ୯ରେ ଗିରଫ କରିଥିଲା।