ଜେଲରୁ ମୁକୁଳିଲେ ବାବା ‘ସାରଥୀ’

ଭୁବନେଶ୍ୱର/କଟକ: କେନ୍ଦ୍ରାପଡ଼ାର ବାବା ନାମରେ ସାରା ରାଜ୍ୟରେ ପରଚିତ ସନ୍ତୋଷ ରାଉଳ ତଥା ବାବା ‘ସାରଥୀ’ ଗୁରୁବାର ସନ୍ଧ୍ୟାରେ କଟକ ଜିଲ୍ଲାର ଚୌଦାର ଜେଲରୁ ବାହାରିଛନ୍ତି। ଦୀର୍ଘ ୪ ବର୍ଷ ଯାଏଁ ଜେଲରେ ବନ୍ଦ ରହିବା ପରେ ବାବା ସାରଥୀ ଜେଲରୁ ମୁକୁଳିଛନ୍ତି। କେନ୍ଦ୍ରାପଡ଼ା ଏସ୍‌ଡିଜେଏମ୍‌ କୋର୍ଟରୁ ରିଲିଜ ଅର୍ଡର ଆସିବା ପରେ ଚୌଦ୍ୱାର ଜେଲ କର୍ତ୍ତୃପକ୍ଷ ବାବାଙ୍କୁ ଛାଡିଛନ୍ତି। ତିନିଟି ଅଭିଯୋଗରେ ମାମଲା ରୁଜୁ ହେବା ପରେ ସାରଥୀ ବାବାକୁ ପୁଲିସ ୨୦୧୫ ଅଗଷ୍ଟ ୯ରେ ଗିରଫ କରିଥିଲା।

ଜେଲରେୁ ବାବା ସାରଥୀ ବାହାରିବା ପରେ ତାଙ୍କ ସମର୍ଥକ ମାନେ ଉତ୍ସାହିତ ଦେଖାଯାଇଛନ୍ତି। ବାବାଙ୍କୁ ଜାମିନ ମିଳିବା ପରେ ସମର୍ଥକମାନେ ପ୍ରାୟ ଏକ ସପ୍ତାହ ହେବ ଉତ୍ସାହିତ ଅଛନ୍ତି। ପୁଣି ଥରେ ସାରଥୀ ନିଜର ସାମ୍ରାଜ୍ୟ ବିସ୍ତାର କରିପାରନ୍ତି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି।

Free Press Journal

କେନ୍ଦ୍ରାପଡ଼ା ଏସ୍‌ଡିଜେଏମ୍‌ କୋର୍ଟ ସାରଥୀଙ୍କ ପାଇଁ ଜାମିନ ସର୍ତ୍ତ ରଖିଛନ୍ତି। ବିନା ଅନୁମତିରେ ସେ ରାଜ୍ୟ ବାହାରକୁ ଯାଇପାରିବେ ନାହିଁ। ସେହିପରି କେନ୍ଦ୍ରାପଡ଼ା ଉପକଣ୍ଠରେ ଥିବା ବାରିମୂଳ ଆଶ୍ରମକୁ ମଧ୍ୟ ଯାଇ ପାରିବେ ନାହିଁ କି ସାକ୍ଷୀଙ୍କୁ ପ୍ରଭାବିତ କରିପାରିବେନି। ଏତଦ୍‌ ବ୍ୟତୀତ କେଉଁଠି ବି ସଭାସମିତି କରିପାରିବେ ନାହିଁ। ସୂଚନାଯୋଗ୍ୟ କେନ୍ଦ୍ରାପଡ଼ା ଏସ୍‌ଡିଜେଏମ୍‌ କୋର୍ଟରେ ସାରଥିଙ୍କୁ ୨ ଜଣ ସ୍ଥାନୀୟ ଜାମିନଦାର ଓ ୨ ଲକ୍ଷ ଟଙ୍କାର ବଣ୍ଡ ବଦଳରେ ଜାମିନ ମିଳିଛି।

ସୂଚନାଯୋଗ୍ୟ ଚଳିତ ମାସ ୧୭ ତାରିଖରେ ଓଡ଼ିଶା ହାଇକୋର୍ଟରେ କେନ୍ଦ୍ରାପଡ଼ା ବାରିମୂଳ ଆଶ୍ରମର ସାରଥୀ ବାବାଙ୍କ ବିରୋଧରେ ହୋଇଥିବା ୩ୟ ମାମଲାର ଶୁଣାଣି ହୋଇଥିଲା। ଜଷ୍ଟିସ ସଙ୍ଗମ କୁମାର ସାହୁଙ୍କ ଦ୍ୱାରା ଗଠିତ ଖଣ୍ଡପୀଠ ଏହି ଶୁଣାଣି କରିଥିଲେ। ଆଶ୍ରମ ଅନ୍ତେବାସିନୀ ମା’-ଝିଅଙ୍କ ପକ୍ଷରୁ ୩ୟ ମାମଲା ଦାୟର ହୋଇଥିଲା। ପୂର୍ବରୁ ୨ଟି ମାମଲାରେ ସାରଥୀଙ୍କୁ ଜାମିନ ମିଳିଥିଲା।

ପୂର୍ବରୁ ଆତ୍ମଘୋଷିତ ଧର୍ମଗୁରୁ ସାରଥୀଙ୍କ ଜାମିନ ଆବେଦନକୁ ସୁୁପ୍ରିମ କୋର୍ଟ ଖାରଜ କରି ଦେଇଥିଲେ। ମହିଳାଙ୍କୁ ଯୌନ ନିର୍ଯାତନା ସହିତ ଲୋକଙ୍କୁ ଠକିବା ନେଇ ସାରଥୀ ବାବାଙ୍କୁ କ୍ରାଇମବ୍ରାଞ୍ଚ ଗିରଫ କରିଥିଲା। ଏହି ଘଟଣା ଚର୍ଚ୍ଚାକୁ ଆସିବା ପରେ ମାଆ ଝିଅ ସାରଥୀଙ୍କ ବାରିମୂଳ ଆଶ୍ରମରେ ସେମାନଙ୍କୁ ନିର୍ଯାତନା ଦିଆଯାଇଥିବା ନେଇ ଅଭିଯୋଗ କରିଥିଲେ।

ସମ୍ବନ୍ଧିତ ଖବର