ପ୍ରବଚନ ପାଇଁ ଅନୁମତି ଲୋଡ଼ିଲେ ସାରଥି

ଜାମିନ ସର୍ତ୍ତ କୋହଳ ପାଇଁ ହାଇକୋର୍ଟରେ ଆବେଦନ

କଟକ : ଅଦାଲତଙ୍କ ନିର୍ଦ୍ଦେଶରେ ଜାମିନରେ ଥିବା ବାବା ସାରଥି ଓରଫ ସନ୍ତୋଷ କୁମାର ରାଉଳ ପ୍ରବଚନ ଦେବା ପାଇଁ ଅନୁମତି ଲୋଡ଼ି ହାଇକୋର୍ଟରେ ପିଟିସନ୍ ଦାଖଲ କରିଛନ୍ତି। ଏଥି ସହିତ ରହୁଥିବା ଘରର ଠିକଣା, ମୋବାଇଲ୍ ଫୋନ୍ ନମ୍ବର ତଦନ୍ତକାରୀ ଅଧିକାରୀଙ୍କୁ ପ୍ରଦାନ ଏବଂ ତଦନ୍ତକାରୀ ଅଧିକାରୀଙ୍କ ବିନା ଅନୁମତିରେ ରାଜ୍ୟ ବାହାରକୁ ଯାଇ ନ ପାରିବା ସର୍ତ୍ତ କୋହଳ ପାଇଁ ସାରଥି ତାଙ୍କ ଆବେଦନରେ ପ୍ରାର୍ଥନା କରିଛନ୍ତି।

୨୦୧୭, ଅଗଷ୍ଟ ୪ରେ ହାଇକୋର୍ଟ ମୂଳ କ୍ରାଇମବ୍ରାଞ୍ଚ ମାମଲାରେ ସାରଥିଙ୍କୁ ଜାମିନ ମଞ୍ଜୁର କରିବା ବେଳେ କେତେକ ସର୍ତ୍ତ ରଖିଥିଲେ। ସାରଥିଙ୍କ କେନ୍ଦ୍ରାପଡ଼ା ତଥା ବାରିମୂଳ ଆଶ୍ରମ ଗସ୍ତ ଉପରେ ଅଙ୍କୁଶ ଜାରି କରାଯାଇଥିଲା। ଯେଉଁଠି ବି ରହନ୍ତୁ ନା କାହିଁକି ସେ କୌଣସି ପ୍ରକାର ସଭା ସମିତି ଓ ଧାର୍ମିକ ଅନୁଷ୍ଠାନରେ ଉଦ୍‌ବୋଧନ/ପ୍ରବଚନ ଦେଇ ପାରିବେ ନାହିଁ। ଶ୍ରଦ୍ଧାଳୁ କିମ୍ବା ଗଣମାଧ୍ୟମ ପ୍ରତିନିଧିଙ୍କୁ ଏକାଠି କରି ଉଦ୍‌ବୋଧନ ଦେଇ ପାରିବେ ନାହିଁ। ଯେଉଁ ସ୍ଥାନରେ ରହିବେ ସେ ସ˚ପର୍କରେ ତଦନ୍ତକାରୀ କ୍ରାଇମବ୍ରାଞ୍ଚ ଅଧିକାରୀଙ୍କୁ ଅବଗତ କରିବେ। ଠିକଣା ଓ ଟେଲିଫୋନ୍ ନମ୍ବର ସିଲ୍ କଭରରେ ତଦନ୍ତକାରୀ ଅଧିକାରୀଙ୍କ ନିକଟରେ ଦାଖଲ କରିବେ। ତଦନ୍ତକାରୀ ଅଧିକାରୀଙ୍କ ବିନା ଅନୁମତିରେ ରାଜ୍ୟ ବାହାରକୁ ଯାଇ ପାରିବେ ନାହିଁ। ଜେଲରୁ ବାହାରିବା ପରେ ସାରଥିଙ୍କ ଜୀବନ ପ୍ରତି ବିପଦ ରହିଥିବା ଦୃଷ୍ଟିରୁ ସେ ଯେତେବେଳେ ଚାହିଁବେ ତାଙ୍କୁ ସ୍ଥାନୀୟ ପୁଲିସ ତୁରନ୍ତ ସୁରକ୍ଷା ଯୋଗାଇ ଦେବ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ନିମ୍ନ ଅଦାଲତରେ ମୂଳ ମାମଲାର ଶୁଣାଣି ଶେଷ ହୋଇ ରାୟ ପ୍ରକାଶ ପର୍ଯ୍ୟନ୍ତ ହାଇକୋର୍ଟଙ୍କ ଏହି ନିର୍ଦ୍ଦେଶ କାଏମ ରହିବ ବୋଲି ପ୍ରକାଶିତ ରାୟରେ ସ୍ପଷ୍ଟ କରାଯାଇଥିଲା।

ଏହି ମାମଲାରେ ୨୦୧୭, ଅକ୍ଟୋବର ୧୦ରେ ସାରଥି ଅଦାଲତରେ ବେଲ ବଣ୍ଡ୍ ଦାଖଲ କରିଥିଲେ ମଧ୍ୟ ଜାମିନରେ ମୁକୁଳି ପାରି ନଥିଲେ। ତାଙ୍କୁ ଅନ୍ୟ ମାମଲାରେ ଜାମିନ ମିଳି ନ ଥିଲା ସେତେବେଳେ। ଶେଷରେ ଗତ ଜୁଲାଇ ୨୨ରେ ହାଇକୋର୍ଟ ସାରଥିଙ୍କୁ କେନ୍ଦ୍ରାପଡ଼ାରେ ବିଚାରାଧୀନ ମାମଲାରେ ଜାମିନ ପ୍ରଦାନ କରିବା ପରେ ସେ ଜେଲରୁ ମୁକୁଳିଥିଲେ। କିନ୍ତୁ ପୂର୍ବ ଜାମିନ ସର୍ତ୍ତ ଅନୁସାରେ ସେ ପ୍ରବଚନ ଦେଇ ପାରୁନାହାନ୍ତି। ତେଣୁ ଆବେଦନରେ ସାରଥି ଦର୍ଶାଇଛନ୍ତି ଯେ ପ୍ରବଚନ ଓ ଧାର୍ମିକ ଆଲୋଚନା ମାଧ୍ୟମରେ କରୁଥିବା ଆୟ ତାଙ୍କ ବଞ୍ଚିବାର ଆଧାର। ଯଦି ତାଙ୍କୁ ଏଥିପାଇଁ ଅନୁମତି ନ ମିଳେ ତେବେ ‌‌ସେ ଅସୁବିଧାରେ ପଡ଼ିବେ। ଏଥି ସହିତ ତଦନ୍ତକାରୀ ଅଧିକାରୀଙ୍କ ନିକଟରେ ରହୁଥିବା ସ୍ଥାନର ଠିକଣା ଓ ମୋବାଇଲ ନମ୍ବର ଦାଖଲ ଏବଂ ବିନା ଅନୁମତିରେ ରାଜ୍ୟ ବାହାରକୁ ଯିବା ସର୍ତ୍ତ ମଧ୍ୟ ସମସ୍ୟା ସୃଷ୍ଟି କରୁଛି। ଏହି ସବୁ ସର୍ତ୍ତ କୋହଳ ପାଇଁ ସାରଥି ପ୍ରାର୍ଥନା କରିଛନ୍ତି। ସାରଥିଙ୍କ ପକ୍ଷରୁ ଆଇନଜୀବୀ ମାନସ ଚାନ୍ଦ ମାମଲା ପରିଚାଳନା କରୁଛନ୍ତି।

ସମ୍ବନ୍ଧିତ ଖବର