ସାରଥି ବାବାଙ୍କ ଜାମିନ ଆବେଦନ ହାଇକୋର୍ଟରେ ଖାରଜ

କଟକ: କେନ୍ଦ୍ରାପଡ଼ା ବାରିମୂଳ ଆଶ୍ରମର ବାବା ସାରଥି ଓରଫ ସନ୍ତୋଷ ରାଉଳଙ୍କ ଜାମିନ ଆବେଦନ ଶୁକ୍ରବାର ହାଇକୋର୍ଟରେ ଖାରଜ ହୋଇଯାଇଛି। ମା-ଝିଅ ମାମଲାରେ ସାରଥିଙ୍କ ଜାମିନ ଆବେଦନ ଖାରଜ ହୋଇଥିବା ଜଣାପଡ଼ିଛି। ପୂର୍ବରୁ ସାରଥିଙ୍କୁ ଦୁଇଟି ମାମଲାରେ ସୁପ୍ରିମକୋର୍ଟରୁ ଜାମିନ ମିିଳିଥିଲା।

ସୂଚନାଯୋଗ୍ୟ, ହାଇଦ୍ରାବାଦର ଏକ ବିଳାସମୟ ହୋଟେଲରେ ଜଣେ ମହିଳାଙ୍କ ସହିତ ରହିବା ନେଇ ୨୦୧୫ ଅଗଷ୍ଟ ୪ରେ ଏକ ଆଞ୍ଚଳିକ ଟିଭି ଚ୍ୟାନେଲରେ ଖବର ପ୍ରସାରଣ ହେବା ପରେ ସାରା ରାଜ୍ୟରେ ଚାଞ୍ଚଳ୍ୟ ଖେଳି ଯାଇଥିଲା। ଟିଭି ରିପୋର୍ଟ ଅନୁସାରେ ବାବା ଏକ ଟି-ସର୍ଟ ଓ ଜିନ୍ସ ପ୍ୟାଣ୍ଟ ପିନ୍ଧି ଥିଲେ। ବିଭିନ୍ନ ସାମାଜିକ ସଂଗଠନ ଓ ମହିଳା ସଙ୍ଗଠନ ତରଫରୁ ଆତ୍ମଘୋଷିତ ଭଗବାନ ସାରଥିଙ୍କୁ ପୁଲିସ ୨୦୧୫ ଅଗଷ୍ଟ ୮ରେ ଗିରଫ କରିଥିଲା। ବାରିମୂଳ ଆଶ୍ରମ ସେହି ଦିନଠାରୁ ସିଲ ହୋଇଥିବା ବେଳେ, ଏହି ଘଟଣାରେ ତତ୍କାଳୀନ ଏସ୍‌ପି ସତୀଶ ଗଜଭିୟେ ଚାକିରିରୁ ନିଲମ୍ବିତ ହୋଇଥିଲେ।

ସାରଥି ବାବାଙ୍କ ଜୀବନ ଶୈଳୀ ବାବଦରେ ଗଣମାଧ୍ୟମରେ ପ୍ରଚାରିତ ହେବା ପରେ ଭୁବନେଶ୍ୱର ନିକଟସ୍ଥ ଝିଣ୍ଟ ଶାସନରେ ସୁର ବାବାଙ୍କ ସାମ୍ରାଜ୍ୟ ପଦାରେ ପଡ଼ିଥିଲା। ସେହିପରି କୋଣାର୍କ ବାଲୁଖଣ୍ଡ ଅଭୟାରଣ୍ୟ ଭିତରେ ଆଶ୍ରମ ସ୍ଥାପନ କରିଥିବା କଲକୀ ବାବାଙ୍କ ମଠକୁ ପ୍ରଶାସନ ଧୂଳିସାତ କରିଥିଲା। ପରେ ରାଜ୍ୟ ସରକାର ସମସ୍ତ ମଠ ଓ ମନ୍ଦିରକୁ ନୋଟିସ୍‌ ଜାରି କରିଥିଲେ।

ସମ୍ବନ୍ଧିତ ଖବର