ସାରଥିଙ୍କ ସମସ୍ତ ଗତିବିଧି ଉପରେ କଡ଼ା ନଜର ରଖିବ କ୍ରାଇମବ୍ରାଞ୍ଚ

ଭୁବନେଶ୍ୱର: ଜେଲରୁ ବାହାରିବା ପରେ ସନ୍ତୋଷ ରାଉଳ ତଥା ଭଣ୍ଡବାବା ସାରଥିଙ୍କ ଉପରେ କ୍ରାଇମବ୍ରାଞ୍ଚର କଡ଼ା ନଜର ରହିବ। ଚେଷ୍ଟା କଲେ ବି ଆତ୍ମଘୋଷିତ ବାବା ସାରଥି ଖସିପାରିବେ ନାହିଁ । ସାରଥିଙ୍କ ସମସ୍ତ ଗତିବିଧି ଉପରେ ନଜର ରଖିବ କ୍ରାଇମବ୍ରାଞ୍ଚ । କେବଳ ଏତିକି ନୁହେଁ,  ଜାମିନ ସର୍ତ୍ତ ଖିଲାପ ଅଭଯୋଗ ଆସିଲେ ସାରଥିଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ମଧ୍ୟ ଗ୍ରହଣ କରାଯିବ ।

ଉଲ୍ଲେଖଯୋଗ୍ୟ, ୪ବର୍ଷ ପରେ ଗତକାଲି ଚୌଦ୍ୱାର ଜେଲରୁ ସନ୍ତୋଷ ରାଉଳ ଓରଫ ସାରଥି ବାହାରିଥିଲେ। ତେବେ ଖବର ଅନୁସାରେ, ଜେଲରୁ ବାହାରିବା ପରେ ସାରଥି ଅଜଣା ସ୍ଥାନକୁ ଚାଲିଯାଇଛନ୍ତି । ସାରଥୀଙ୍କ ବାରିମୂଳ ଆଶ୍ରମ ଯିବା ଉପରେ କୋର୍ଟ କଟକଣା ଜାରି କରିଛନ୍ତି । ତେଣୁ ସାରଥି ଏବେ କେଉଁଠି ତାକୁ ନେଇ ଏବେ ଅନେକ ପ୍ରଶ୍ନ ଉଙ୍କି ମାରିଛି ।

ପୂର୍ବରୁ ଦୁଇଟି ମାମଲାରେ ଜାମିନ ମିଳିଥିବା ବେଳେ ସୋମବାର, ସାରଥିଙ୍କୁ ତୃତୀୟ ମାମଲାରେ ହାଇକୋର୍ଟ ଜାମିନ୍‌ ଦେଇଥିଲେ । ୨ ଲକ୍ଷ ଟଙ୍କା ଓ ଦୁଇ ଜଣ ଜାମିନଦାରଙ୍କ ବଦଳରେ ଜାମିନ୍‌ରେ ଯିବାକୁ ଅନୁମତି ଦେଇଥିଲେ ହାଇକୋର୍ଟ । ତେବେ ଜାମିନ୍‌ ମଂଜୁର କରିବା ସହ ସର୍ତ୍ତ ରଖିଥିଲେ ଉଚ୍ଚ ନ୍ୟାୟାଳୟ । ତଦନ୍ତରେ ସହଯୋଗ କରିବା ପାଇଁ ସର୍ତ ରଖାଯାଇଥିବା ବେଳେ ତଳ କୋର୍ଟ ଅନ୍ୟ ସର୍ତ ରଖିବାକୁ ନିର୍ଦ୍ଦେଶ ଦେଇଥିଲେ ହାଇକୋର୍ଟ।

ସର୍ତ ମୁତାବକ, ସାରଥି କେନ୍ଦ୍ରାପଡ଼ା ବାରିମୂଳ ଆଶ୍ରମକୁ ଯିବେ ନାହିଁ । ଧାର୍ମିକ ସମାବେଶ ଓ କାର୍ଯ୍ୟକ୍ରମରେ ଯୋଗଦେବେ ନାହିଁ । ରାଜ୍ୟ ବାହାରକୁ ଯାଇପାରିବେ ନାହିଁ । ସାକ୍ଷୀଙ୍କୁ ପ୍ରଭାବିତ କରିବେ ନାହିଁ ଏବଂ ତଦନ୍ତରେ ସହଯୋଗ କରିବେ ।

ସମ୍ବନ୍ଧିତ ଖବର