ହାଇକୋର୍ଟରେ ସାରଥିଙ୍କ ଆବେଦନ ଖାରଜ

କଟକ : ହାଇକୋର୍ଟରେ ବାବା ସାରଥି ଓରଫ ସନ୍ତୋଷ କୁମାର ରାଉଳଙ୍କ ଆବେଦନ ଖାରଜ ହୋଇଛି। ୨୦୧୫ର ମୂଳ କ୍ରାଇମବ୍ରାଞ୍ଚ ମାମଲାକୁ ରଦ୍ଦ କରିବାକୁ ସାରଥି ୨୦୧୬ରେ ହାଇକୋର୍ଟରେ ଆବେଦନ କରିଥିଲେ। ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ.ମୁରଲୀଧରଙ୍କୁ ନେଇ ଗଠିତ ଖଣ୍ଡପୀଠ ସାରଥିଙ୍କ ଆବେଦନକୁ ଆଜି ଖାରଜ କରିଛନ୍ତି। ଆଜି ମାମଲା ଶୁଣାଣି ସମୟରେ କେହି ଉପସ୍ଥିତ ନଥିଲେ। ଏଭଳି ସ୍ଥିତିରେ ନନ୍-ପ୍ରସିକ୍ୟୁସନ୍ ପାଇଁ ସାରଥିଙ୍କ ଆବେଦନ ଖାରଜ କରାଯାଇଛି ବୋଲି ପ୍ରକାଶିତ ରାୟରେ ଉଲ୍ଲେଖ କରାଯାଇଛି।

କ୍ରାଇମବ୍ରାଞ୍ଚ୍‌ ପକ୍ଷରୁ ରୁଜୁ ମୂଳ ମାମଲାରେ ସାରଥିଙ୍କୁ ୨୦୧୫, ଅଗଷ୍ଟ ୮ରେ ଗିରଫ କରାଯାଇଥିଲା। ମୂଳ କ୍ରାଇମବ୍ରାଞ୍ଚ ମାମଲାରେ ସାରଥି, ତାଙ୍କ ପୁଅ ସତ୍ୟମ୍‌ ଶେଖର ରାଉଳ, ସନ୍ତୋଷ କୁମାର ଗୋଚ୍ଛାୟତ, ପିଲୁ ଓରଫ୍‌ ପିଲାସ୍କି ସ୍ବାଇଁ, ସିଲୁ ଓରଫ୍‌ ବିଶ୍ବଜିତ୍‌ ପଟ୍ଟନାୟକ୍‌ ଓ ବୁଲୁ ଓରଫ୍‌ ହରିଶ୍ଚନ୍ଦ୍ର ଦାସଙ୍କ ବିରୋଧରେ କ୍ରାଇମବ୍ରାଞ୍ଚ୍‌ ଚାର୍ଜସିଟ୍‌ ଦାଖଲ୍‌ କରିଥିଲା। ଏହି ମାମଲାରେ ୨୦୧୭, ଅଗଷ୍ଟ ୪ରେ ହାଇକୋର୍ଟ ସାରଥିଙ୍କୁ ସର୍ତ୍ତମୂଳକ ଜାମିନ ମଞ୍ଜୁର କରିଥିଲେ। ବିବାଦୀୟ ଡାକ୍ତରୀ ଛାତ୍ରୀଙ୍କ ପକ୍ଷରୁ ଦାୟର ମାମଲାରେ ସୁପ୍ରିମକୋର୍ଟ ସାରଥିଙ୍କୁ ଜାମିନ ମଞ୍ଜୁର କରିଥିଲେ। ସେତେବେଳେ ତାଙ୍କୁ ଅନ୍ୟ ମାମଲାରେ ଜାମିନ ମିଳି ନଥିଲା। ୨୦୧୯, ଜୁଲାଇ ୨୨ରେ ହାଇକୋର୍ଟ ସାରଥିଙ୍କୁ କେନ୍ଦ୍ରାପଡାରେ ବିଚାରାଧୀନ ମାମଲାରେ ଜାମିନ ପ୍ରଦାନ କରିବା ପରେ ସେ ଜେଲ୍‌ରୁ ମୁକୁଳି ଥିଲେ। ଏଠାରେ ଉଲ୍ଲେଖଯୋଗ୍ୟ ଯେ କଟକ ସ୍ବତନ୍ତ୍ର ଅଦାଲତରେ ମୂଳ କ୍ରାଇମବ୍ରାଞ୍ଚ ମାମଲା ବିଚାରାଧୀନ ରହିଛି।

ସମ୍ବନ୍ଧିତ ଖବର