ସର୍ବକ୍ଷମା ଆବେଦନ ୬ମାସ ଘୁଞ୍ଚିଲା: ନିୟମରେ କିଛି ପରିବର୍ତ୍ତନ ହେଲାନି

ଭୁବନେଶ୍ବର: ରାଜ୍ୟର ୯ଟି ଉନ୍ନୟନ କର୍ତ୍ତୃପକ୍ଷଙ୍କ ଅଞ୍ଚଳରେ ଗଢ଼ି ଉଠିଥିବା ବେଆଇନ ନିର୍ମାଣକୁ ଆଇନସମ୍ମତ ବା ରେଗୁଲାରାଇଜ୍ କରିବା ପାଇଁ ନଗର ଉନ୍ନୟନ ବିଭାଗ ଆଉ ୬ମାସ ସମୟ ଦେଇଛି। ଜୁନ୍ ୨୦ରେ ପ୍ରକାଶ ପାଇଥିବା ବିଜ୍ଞପ୍ତି ଅବଧି ଡିସେମ୍ବର ୧୯ରେ ଶେଷ ହେବା ପରେ ଏହାକୁ ଆଉ ୬ମାସ ବଢ଼ାଇବାକୁ ନଗର ଉନ୍ନୟନ ବିଭାଗ ନେଇଥିବା ନିଷ୍ପତ୍ତିକୁ ମୁଖ୍ୟମନ୍ତ୍ରୀ ମୋହର ମାରିଛନ୍ତି। ଫଳରେ ପୂର୍ବରୁ ଯେଉଁ ନିୟମ ଥିଲା ସେହି ଅନୁଯାୟୀ, ଆସନ୍ତା ଜୁନ୍ ୧୯ ମଧ୍ୟରେ ହିତାଧିକାରୀମାନେ ଆବେଦନ କରିପାରିବେ। ଅପରପକ୍ଷେ ଭୁବନେଶ୍ବର ଉନ୍ନୟନ କର୍ତ୍ତୃପକ୍ଷଙ୍କ ଅଧୀନରେ ଥିବା ଅଞ୍ଚଳରେ ପ୍ରାୟ ୧ଲକ୍ଷରୁ ଅଧିକ ଘର ବେଆଇନ୍ ଭାବେ ନିର୍ମାଣ ହୋଇଛି। ଏହାକୁ ଆଇନସମ୍ମତ କରିବାକୁ ହେଲେ ବର୍ଗଫୁଟ ପିଛା ଘର ମାଲିକଙ୍କୁ ୨ହଜାର ଟଙ୍କା ଦେବାକୁ ପଡ଼ୁଛି। ଖୋର୍ଦ୍ଧା ଓ କଟକ ଜିଲ୍ଲାରେ ୪୦୦ରୁ ଅଧିକ ହସ୍ପିଟାଲ ଓ କ୍ଲିନିକ୍‌ ବେଆଇନ୍ ଭାବେ ନିର୍ମାଣ ହୋଇଥିବାରୁ ଜିଲ୍ଲା ପ୍ରଶାସନ ଲାଇସେନ୍ସ ଦେଉନି। ଏପରିକି ଏହି ବେଆଇନ୍ ନିର୍ମାଣକୁ ଆଇନସମ୍ମତ କରିବାକୁ ଗୋଟିଏ ଗୋଟିଏ ସଂସ୍ଥାକୁ ୨୦ରୁ ୩୦ଲକ୍ଷ ଟଙ୍କା ଦେବାକୁ ପଡ଼ୁଥିବାରୁ କେହି ଆବେଦନ କରୁନାହାନ୍ତି। ଯେଉଁଥିପାଇଁ ନଗର ଉନ୍ନୟନ ବିଭାଗ ପକ୍ଷରୁ ଆସିଥିବା ସର୍ବକ୍ଷମା ଯୋଜନା ପୂରା ଫେଲ୍ ମାରିଛି। ଏପରିକି ପ୍ରଥମ ୬ମାସରେ ୯ଟି ଉନ୍ନୟନ କର୍ତ୍ତୃପକ୍ଷଙ୍କ ଅଞ୍ଚଳରେ ପ୍ରାୟ ୯୦୦ଜଣ ଆବେଦନ କରିଛନ୍ତି। ‌କିନ୍ତୁ ଯେଉଁମାନଙ୍କୁ ଟାର୍ଗେଟ୍‌ରେ ରଖି ଏହି ଯୋଜନା ଅଣାଯାଇଥିଲା ସେମାନେ ଆବେଦନ କରୁନାହାନ୍ତି। କର୍ତ୍ତୃପକ୍ଷଙ୍କ ନିକଟରେ ଘର ମାଲିକ, ବିଭିନ୍ନ ହୋଟେଲ, ଆପାର୍ଟମେଣ୍ଟ, ହସ୍ପିଟାଲ କର୍ତ୍ତୃପକ୍ଷ ଆସି ସେମାନଙ୍କ ସମସ୍ୟା ଜଣାଇଛନ୍ତି। ଯାହା ଯାହା ସମସ୍ୟା ରହିଛି ତାହା ବି କହିଛନ୍ତି। କିନ୍ତୁ କର୍ତ୍ତୃପକ୍ଷ ଏହାକୁ ସମାଧାନ କରିପାରିଲେନି। ଘରର ସର୍ବାଧିକ ଉଚ୍ଚତା ୧୫ମିଟରରୁ ୧୮ମିଟରକୁ ବଢ଼ାଇବାକୁ, ପାର୍କିଂ ଅଞ୍ଚଳ ନେଇ ଥିବା କଡ଼ାକଡ଼ି ନିୟମକୁ କମାଇବାକୁ ପ୍ରସ୍ତାବ ଦିଆଯାଇଥିଲା। ଏହାସହିତ ଘର ନିର୍ମାଣ ହୋଇଥିବା ଅଞ୍ଚଳର ବେଞ୍ଚମାର୍କ ମୂଲ୍ୟ ଅନୁଯାୟୀ ଯେଉଁ ଏଫ୍‌ଏଆର୍‌ ଫି’ ଆଦାୟ ହେଉଛି ତାହାକୁ ଆଦାୟ ନକରିବା ନେଇ ବିଭିନ୍ନ ଷ୍ଟେକ୍ ହୋଲ୍ଡରଙ୍କ ସମେତ ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଆର୍କିଟେକ୍ଟସ ପକ୍ଷରୁ ମଧ୍ୟ ନଗର ଉନ୍ନୟନ ବିଭାଗ ସଚିବଙ୍କୁ ଏକ ଦାବିପତ୍ର ଦିଆଯାଇଥିଲା। ହେଲେ ଅବଧି ବଢ଼ାଇବା ସମୟରେ ଏହାକୁ ବିଚାରକୁ ନିଆଯାଇନି।

ଏହାସହ କିପରି ଅଧିକ ଘର ମାଲିକ, ସଂସ୍ଥା ଆବେଦନ କରିବେ ସେଥିପାଇଁ ନଗର ଉନ୍ନୟନ ବିଭାଗ ଆଣିଥିବା ଯୋଜନାରେ କିଛି ପରିବର୍ତ୍ତନ କଲାନି। କେବଳ ଏହି ଯୋଜନାକୁ ଆଉ ୬ମାସ ବଢ଼ାଇଦେଲା। ଫଳରେ ଆସନ୍ତା ୬ମାସରେ ଏଥିରେ କିଛି ବଡ଼ ଧରଣର ପରିବର୍ତ୍ତନ ଆସିବାର ସମ୍ଭାବନା ବି ନାହିଁ। ସୂଚନାଯୋଗ୍ୟ ଯେ, ନଗର ଉନ୍ନୟନ ବିଭାଗ ପକ୍ଷରୁ ରାଜ୍ୟର ୯ଟି ଉନ୍ନୟନ କର୍ତ୍ତୃପକ୍ଷ ବିଡିଏ, ସିଡିଏ, ବ୍ରହ୍ମପୁର ଉନ୍ନୟନ କର୍ତ୍ତୃପକ୍ଷ, ରାଉରକେଲା ଉନ୍ନୟନ କର୍ତ୍ତୃପକ୍ଷ, ସମ୍ବଲପୁର ଉନ୍ନୟନ କର୍ତ୍ତୃପକ୍ଷ, ପୁରୀ-କୋଣାର୍କ ଉନ୍ନୟନ କର୍ତ୍ତୃପକ୍ଷ, କଳିଙ୍ଗ ନଗର ଉନ୍ନୟନ କର୍ତ୍ତୃପକ୍ଷ, ତାଳଚେର-ଅନୁଗୁଳ-ମେରାମଣ୍ତଳି ଉନ୍ନୟନ କର୍ତ୍ତୃପକ୍ଷ, ପାରାଦୀପ ଉନ୍ନୟନ କର୍ତ୍ତୃପକ୍ଷଙ୍କ ଅଧୀନରେ ଗଢ଼ି ଉଠିଥିବା ବେଆଇନ ନିର୍ମାଣକୁ ରେଗୁଲାରାଇଜ୍‌ କରିବା ପାଇଁ ବିଭାଗ ପକ୍ଷରୁ ‘ବେଆଇନ ନିର୍ମାଣକୁ ରେଗୁଲାରାଇଜ୍‌ କରିବା-୨୦୧୮’ ଯୋଜନା ଜୁନ୍ ୨୦ରେ ଆସିଥିଲା।

ସମ୍ବନ୍ଧିତ ଖବର