ବର୍ଷେ ପୂରଣ ହେଲାଣି ସରକାରୀ ନିର୍ଦ୍ଦେଶନାମା : ଶିକ୍ଷା ବିଭାଗ ଓ ସର୍ବଶିକ୍ଷା ଅଭିଯାନର ମିଶ୍ରଣ କେବେ?

ପ୍ରତି ଜିଲ୍ଲାରେ ରହିବେ ୨ ଜଣ ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ

କଟକ : ସର୍ବଶିକ୍ଷା ଅଭିଯାନ ଓ ଶିକ୍ଷା ବିଭାଗ ଆଉ ଅଲଗା ହୋଇ ରହିବନି। ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ହାତରେ ରହିବ ଦୁଇଟି ଯାକ ବିଭାଗ। ଏଥିସହ ଉଭୟ ବିଭାଗର ଦାୟିତ୍ବରେ ରହିବେ ଜଣେ ଅଧିକାରୀ ଅର୍ଥାତ୍‌ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ହାତରେ ରହିବ। କିନ୍ତୁ ଏଥିରେ ସହଯୋଗ କରିବା ପାଇଁ ୨ଜଣ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକା‌ରୀ ରହିବେ। ଏ ସଂପର୍କରେ ସରକାରୀ ନିର୍ଦ୍ଦେଶନାମା ପାଖାପାଖି ବର୍ଷେ ହେଲାଣି ପ୍ରତି ଜିଲ୍ଲାକୁ ଗଲାଣି। ହେଲେ, ଆଜି ପର୍ଯ୍ୟନ୍ତ ତାହା କାର୍ଯ୍ୟକାରୀ ହୋଇପାରୁନି। ପ୍ରତି ଜିଲ୍ଲାକୁ ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଯାଇଥିବା ନିର୍ଦ୍ଦେଶନାମା ଓ କେବେଠାରୁ ଦୁଇଟିଯାକ ବିଭାଗ ମିଶ୍ରଣ ହେବ ସେ ନେଇ କୌଣସି ବିଜ୍ଞପ୍ତି ପ୍ରକାଶ ପାଇନାହିଁ। କିନ୍ତୁ ଉଭୟ ବିଭାଗ ବିଜ୍ଞପ୍ତି ଆସିବା ପରଠାରୁ ପ୍ରସ୍ତୁତ ହୋଇ ରହିଥିବା ଜଣାପଡ଼ିଛି।

ପୂର୍ବରୁ ଶିକ୍ଷା ବିଭାଗର ଅନେକ ତଥ୍ୟ ଡିପିସି ଅଫିସ ବା ସର୍ବଶିକ୍ଷା ଅଭିଯାନରେ ରହୁଥିବାବେଳେ ଅଧା ଶିକ୍ଷା ବିଭାଗ ପାଖରେ ରହୁଥିଲା। କୌଣସି ତଥ୍ୟ ପାଇବା ପାଇଁ ନାନାଦି ସମସ୍ୟା ସୃଷ୍ଟି ହେଉଥିଲା। ଉଭୟ ବିଭାଗରେ ୨ଜଣ ଅଧିକାରୀ ରହୁଥିବାରୁ ଅନେକ ଅସୁବିଧା ଉପୁଜୁଥିଲା ଓ ବିଭାଗଦ୍ବୟ ସମନ୍ବୟ ମଧ୍ୟ ରହୁ ନଥିଲା। ଫଳରେ ଗୋଟିଏ ବିଭାଗ ପାଖରେ ମଧ୍ୟାହ୍ନା‌ଭୋଜନ ଓ ସ୍କୁଲ ଗୃହ ନିର୍ମାଣ ତଥ୍ୟ ରହୁଥିବା ବେଳେ ଅନ୍ୟ ବିଭାଗ ପାଖରେ ଶିକ୍ଷକ, ସ୍କୁଲ ଓ ଅନ୍ୟାନ୍ୟ ତଥ୍ୟ ରହୁଥିଲା। ଦେଖା ଦଯାଉଥିବା ସମସ୍ୟା ଦୂର କରିବା ପାଇଁ ଦୁଇଟି ଯାକ ବିଭାଗର ମିଶ୍ରଣ କରିବାକୁ ସ୍କୁଲ ଓ ଗଣଶିକ୍ଷା ବିଭାଗ ଯୋଜନା କରିଥିଲା। ଏହି ଆଧାରରେ ବିଭାଗ ପକ୍ଷରୁ ପ୍ରତି ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଚିଠି ଲେଖାଯାଇଥିଲା। ହେଲେ, ଉକ୍ତ ଚିଠିକୁ ବର୍ଷାଧିକ ସମୟ ବିତିଥିଲେ ବି ଆଜି ପର୍ଯ୍ୟନ୍ତ ତାହା କାର୍ଯ୍ୟକାରୀ ହୋଇ ପାରୁନି କି ମିଶ୍ରଣ ହୋଇପାରୁନି। ଏ ସଂପର୍କରେ ଶିକ୍ଷା ବିଭାଗର ଜନୈକ ବରିଷ୍ଠ ଅଧିକାରୀଙ୍କ କହିବା କଥା ହେଲା, ‘ଆମେ ଚିଠି ପାଇଛୁ’, କିନ୍ତୁ କେବେଠାରୁ ଦୁଇ ବିଭାଗର ମିଶ୍ରଣ କରାଯିବ ସେ ସଂପର୍କରେ ଚିଠିରେ ତାରିଖ ଉଲ୍ଲେଖ କରାଯାଇନି।

ସମ୍ବନ୍ଧିତ ଖବର