ସର୍ବଶିକ୍ଷା ନିର୍ମାଣ କାମରେ ଅନିୟମିତତା : ଡିପିସିଙ୍କ ସହ ସମସ୍ତ ଯନ୍ତ୍ରୀଙ୍କ ଦରମା ବନ୍ଦ

୫ ବର୍ଷ ହେଲା ଅଛନ୍ତି ପ୍ରକଳ୍ପ ସଂଯୋଜିକା

ପୁରୀ :ପୁରୀ ସର୍ବଶିକ୍ଷା ଅଭିଯାନରେ ବ୍ୟାପକ ଆର୍ଥିକ ଅନିୟମିତତା ହୋଇଛି। କୋଟି କୋଟି ଟଙ୍କା ତୋଷାରପାତ ହୋଇଛି। ଯନ୍ତ୍ରୀଙ୍କ ନାମରେ ଲକ୍ଷ ଲକ୍ଷ ଟଙ୍କା ଅଗ୍ରୀମ ଗଡ଼ୁଛି। କାମ ହେଉଥିବା ଖାତାରେ ହିସାବ ରହିଛି। ହେଲେ ୟୁସି ଆସୁନାହିଁ। ନିକଟ ଅତୀତରେ ହୋଇଥିବା ସମୀକ୍ଷାରେ ଏହା ଧରାପଡ଼ିଛି। ଏଣୁ ସର୍ବଶିକ୍ଷା ଅଭିଯାନ ପ୍ରକଳ୍ପ ସଂଯୋଜିକା ସୌନ୍ଦର୍ଯ୍ୟା ମଞ୍ଜରୀ ଦାସଙ୍କ ସମେତ ବରିଷ୍ଠ ଯନ୍ତ୍ରୀ(ଏସ୍‍ଟିସି) ଓ ସମସ୍ତ ଯନ୍ତ୍ରୀ(ଟିସି)ଙ୍କର ଦରମା ବନ୍ଦ କରାଯାଇଛି। ନଭେମ୍ବର ମାସ ଠାରୁ ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ସେମାନଙ୍କର ଦରମା ବନ୍ଦ ରହିବ। ଏ ନେଇ ଜିଲ୍ଲା କୋଷାଗାରକୁ ମଧ୍ୟ ଜିଲ୍ଲାପାଳ ଅରବିନ୍ଦ ଅଗ୍ରଓ୍ଵାଲ ଅବଗତ(ଚିଠି ସଂଖ୍ୟା:୨୦୩୬/୧୦.୧୧.୧୭) କରାଇଛନ୍ତି।

ସର୍ବଶିକ୍ଷା ଅଭିଯାନରେ ବ୍ୟାପକ ଅନିୟମିତତା କଥା ସମସ୍ତେ ଜାଣନ୍ତି। ନିକଟ ଅତୀତରେ ବସିଥିବା ଜିଲ୍ଲା ପରିଷଦ ବୈଠକ ଓ ଦିଶା ବୈଠକରେ ଏହି ଅନିୟମିତତାକୁ ନେଇ ବ୍ୟାପକ ହୋ ହଲ୍ଲା ହୋଇଛି। ୫ ବର୍ଷ ହେଲା ଏଠାରେ ସର୍ବଶିକ୍ଷା ଅଭିଯାନର ଡିପିସି ଭାବେ ସୌନ୍ଦର୍ଯ୍ୟା ମଞ୍ଜରୀ ରହିଛନ୍ତି। ନୂତନ ସ୍କୁଲ ଗୃହ ନିର୍ମାଣ ଓ ମରାମତି ବାବଦକୁ ଲକ୍ଷ ଲକ୍ଷ ଟଙ୍କା ହେରଫେର ହୋଇଥିବାରୁ ଦିଶା ଓ ଜିଲ୍ଲା ପରିଷଦ ବୈଠକରେ ତୁମୁଳକାଣ୍ଡ ହୋଇଥିଲା। କେଉଁଥିରେ କଣ ଖର୍ଚ୍ଚ ହେଉଛି ତାହା ଲୋକପ୍ରତିନିଧିଙ୍କୁ ଅବଗତ କରାଇବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା। ହେଲେ ଏହା ହେଉନାହିଁ। ଟିସିଙ୍କ ନାମରେ ଲକ୍ଷ ଲକ୍ଷ ଟଙ୍କା ଅଗ୍ରୀମ ଗଡ଼ୁଥିବାରୁ ଲୋକପ୍ରତିନିଧିମାନେ ବିରୋଧ କରିଥିଲେ। ଯେତିକି ଅର୍ଥ ଖର୍ଚ୍ଚ ହେଉଛି ତାହାର ୧୦ ପ୍ରତିଶତ ୟୁସି ଆସୁଛି। ଏଭଳି ବିଭିନ୍ନ ଅନିୟମିତତାକୁ ନେଇ ଲୋକପ୍ରତିନିଧିମାନେ ଡିପିସିଙ୍କ ବଦଳି ଦାବି କରିଥିଲେ। ସେବେଠାରୁ ଆଉ ଦ୍ଵିତୀୟ ବୈଠକ ବସିନାହିଁ। ଇତିମଧ୍ୟରେ ଜିଲ୍ଲାପାଳ ସମୀକ୍ଷା କରି ଏହି ଦରମା ବନ୍ଦ କରିଛନ୍ତି। ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ଏହା ବଳବତ୍ତର ରହିବ। ଟାର୍ଗେଟ ପୂରଣ ସହ ସମସ୍ତ କାର୍ଯ୍ୟର ୟୁସି ଆସିବା ପରେ ଯାଇ ଦରମା ରିଲିଜ୍‍ ହେବ ବୋଲି ଜଣାପଡ଼ିଛି।

୫ ବର୍ଷରୁ ଊଦ୍ଧ୍ଵର୍ ସମୟ ଧରି ଡିପିସି ଏଠାରେ ରହିଛନ୍ତି। ଅଧସ୍ତନ କର୍ମଚାରୀମାନେ ତାଙ୍କ ନିର୍ଦ୍ଦେଶ ମାନୁ ନାହାନ୍ତି। ନିକଟ ଅତୀତରେ ସିଆରସିସିମାନେ ଦକ୍ଷତା ପରୀକ୍ଷା ଦେବା ପାଇଁ ଯୋଜନା ହୋଇଥିଲା। ହେଲେ ସେମାନେ ପରୀକ୍ଷା ଦେଲେନାହିଁ। ଅଧିକାରୀଙ୍କ କଥା ମାନିଲେ ନାହିଁ। ହେଲେ ଡିପିସି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରିଲେ ନାହିଁ। ୨୦ରୁ ଊଦ୍ଧ୍ଵର୍ ଶିକ୍ଷକ କାମ କରିବା ପାଇଁ ଟଙ୍କା ନେଇଥିବା ବେଳେ କାମ କରିନାହାନ୍ତି। ସେମାନଙ୍କ ଉପରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ହୋଇ ପାରିନାହିଁ। ୨୦୧୬ ଏପ୍ରିଲ ସୁଦ୍ଧା ୧୫ଟି ନୂଆ ପ୍ରାଥମିକ ବିଦ୍ୟାଳୟ ନିର୍ମାଣ ପାଇଁ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିବା ବେଳେ ମାତ୍ର ୩ଟି ନିର୍ମାଣ ହୋଇଛି ବୋଲି ସରକାରୀ ଭାବେ ଦର୍ଶାଯାଉଛି। ହେଲେ ୟୁସି ଆସିନାହିଁ। ସେହିଭଳି ୨୦୧୫-୧୬ ଓ ୨୦୧୬-୧୭ ବର୍ଷ ପାଇଁ ୮୮ଟି ଅତିରିକ୍ତ ଶ୍ରେଣୀଗୃହ ନିର୍ମାଣ ପାଇଁ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିବା ବେଳେ ୩୮ଟି ନିର୍ମାଣ ହୋଇଛି। ବାଳକ ଶୌଚାଳୟ ୨୭ ଟାର୍ଗେଟରୁ ୩ଟି ହୋଇଥିବା ବେଳେ ବାଳିକା ଶୌଚାଳୟ ୩୩ରୁ ମାତ୍ର ୪ଟି ହୋଇଛି। ଅଷ୍ଟମ ଶ୍ରେଣୀ ପାଇଁ ଅତିରିକ୍ତ ଶ୍ରେଣୀଗୃହ ୨୮ଟି ଟାର୍ଗେଟ ଥିବା ବେଳେ ୧୩ଟି ନିର୍ମାଣ ହୋଇଛି। ୨୦୧୫-୧୬ର ବଳକା ଅନୁଦାନ ଓ ୨୦୧୬-୧୭ ଆର୍ଥିକ ବର୍ଷରେ ଆସିଥିବା ଅନୁଦାନ ମୋଟ ଅନୁଦାନ ୫୨କୋଟି ୧୨ ଲକ୍ଷରୁ ୪୫ କୋଟି ୫ ଲକ୍ଷ ଖର୍ଚ୍ଚ ହୋଇଛି। ଏବେ ଜିଲ୍ଲାପାଳ ଏହି ପ୍ରାଥମିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ଏଥିରେ ନ ସୁଧୁରିଲେ ଦୃଢ କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର