ବିଧାନସଭା ସୁପରିଚାଳନା ପାଇଁ ହେବ ସର୍ବଦଳୀୟ ବୈଠକ: ବାଚସ୍ପତି

ଭୁବନେଶ୍ବର : ୨୫ ତାରିଖରୁ ଆରମ୍ଭ ହେବାକୁ ଥିବା ବିଧାନସଭା ବଜେଟ ଅଧିବେଶନ ପୂର୍ବରୁ ସର୍ବଦଳୀୟ ବୈଠକ ହେବ। ଗୃହ ସୁପରିଚାଳନା ପାଇଁ ସମସ୍ତଙ୍କ ସହଯୋଗ କାମନା କରି ପ୍ରଥମ ଥର ପାଇଁ ସର୍ବଦଳୀୟ ବୈଠକ ଡାକିଛନ୍ତି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର। ଏଥିପାଇଁ ସବୁ ଦଳର ନେତାଙ୍କୁ ବିଧାନସଭା ପକ୍ଷରୁ ଚିଠି କରାଯାଇଛି।

ସର୍ବଦଳୀୟ ବୈଠକ ସମ୍ପର୍କରେ ସୂଚନା ଦେଇ ବାଚସ୍ପତି ଶ୍ରୀ ପାତ୍ର କହିଛନ୍ତି, ଷୋଡ଼ଶ ବିଧାନସଭାର ପ୍ରଥମ ବଜେଟ ଅଧିବେଶନ ଆରମ୍ଭ ହେବାକୁ ଯାଉଛି। ନିର୍ବାଚନ ପରେ ପ୍ରଥମ କରି ଏହି ଲମ୍ବା ଅବଧିର ଅଧିବେଶନ ପାଇଁ ସମସ୍ତଙ୍କ ସହଯୋଗ ଏକାନ୍ତ ଜରୁରୀ। ଗୃହରେ ଗଠନମୂଳକ ପ୍ରସଙ୍ଗରେ ଯେପରି ସ୍ବର ଉଠାଇବା ପାଇଁ ସମସ୍ତଙ୍କୁ ସୁଯୋଗ ମିଳିବ ସେଥିପାଇଁ ଏହି ବୈଠକର ଆବଶ୍ୟକତା ରହିଛି। ବିଶେଷ କରି ବିରୋଧୀ ଦଳର ସଦସ୍ୟମାନେ ଯେପରି ଗୃହ ପରିଚାଳନା କରିବାରେ ସହଯୋଗ କରିବେ ସେସବୁ ଦୃଷ୍ଟିରୁ ବୈଠକରେ ଆଲୋଚନା କରାଯିବ। ଏ ନେଇ ସବୁ ବିରୋଧୀ ଦଳ ନେତାମାନଙ୍କୁ ବିଧାନସଭା ପକ୍ଷରୁ ଚିଠି ଲେଖି ଜଣାଇଦିଆଯାଇଛି। ବିଧାନସଭା ଆରମ୍ଭ ହେବାର ଦିନେ କିମ୍ବା ଦୁଇ ଦିନ ପୂର୍ବରୁ ଏହି ବୈଠକ ବସିବ ବୋଲି କହିଛନ୍ତି ବାଚସ୍ପତି ଶ୍ରୀ ପାତ୍ର।

ବାଚସ୍ପତିଙ୍କ ଏହି ପଦକ୍ଷେପକୁ ସ୍ବାଗତ କରିଛନ୍ତି ବରିଷ୍ଠ ବିଜେପି ବିଧାୟକ ଜୟନାରାୟଣ ମିଶ୍ର। ଶ୍ରୀ ମିଶ୍ର କହିଛନ୍ତି, ସଂସଦର ଅଧିବେଶନ ଆରମ୍ଭ ହେବା ପୂର୍ବରୁ ସର୍ବଦଳୀୟ ବୈଠକ ଡକାଯିବାର ପରମ୍ପରା ରହିଛି। ଏବେ ଓଡ଼ିଶା ବିଧାନସଭାରେ ଏହି ବ୍ୟବସ୍ଥା ଆରମ୍ଭ ହେବା ସ୍ବାଗତଯୋଗ୍ୟ। ପୂର୍ବତନ ବିରୋଧୀ ଦଳ ନେତା ତଥା କଂଗ୍ରେସ ବିଧାୟକ ନରସିଂହ ମିଶ୍ର ବାଚସ୍ପତିଙ୍କ ଏହି ପଦକ୍ଷେପକୁ ସ୍ବାଗତ କରି କହିଛନ୍ତି, ସର୍ବଦଳୀୟ ବୈଠକ ଡାକିବା ନେଇ ସେ ଗତ ୫ ବର୍ଷ ଧରି ପ୍ରସ୍ତାବ ଦେଇଆସିଥିଲେ। ଲୋକସଭାରେ ଏହି ପରମ୍ପରା ଦେଖିବାକୁ ମିଳେ। ତେବେ ବିଳମ୍ବରେ ହେଲେ ବି ଓଡ଼ିଶା ବିଧାନସଭା ବାଚସ୍ପତି ଏହି ପରମ୍ପରାକୁ ଆପଣାଇଥିବାରୁ ଶ୍ରୀ ମିଶ୍ର ଧନ୍ୟବାଦ ଦେଇଛନ୍ତି।

ସମ୍ବନ୍ଧିତ ଖବର