ଅଧିକ ଜରିମାନା ଆଦାୟ ମହଙ୍ଗା ପଡ଼ିଲା : ଫେଲ୍ ମାରିଲା ସର୍ବକ୍ଷମା ଯୋଜନା

ବିଡିଏରେ ୨୫୦, ସିଡିଏରେ ୨୫ଜଣ ଆବେଦନକାରୀ, ବେଆଇନ୍ ଭାବେ ଆଦାୟ ହେଉଛି ଏଫ୍‌ଏଆର୍ ଫି’

ଭୁବନେଶ୍ବର : ରାଜ୍ୟର ୯ଟି ଉନ୍ନୟନ କର୍ତ୍ତୃପକ୍ଷଙ୍କ ଅଧୀନରେ ବେଆଇନ ନିର୍ମାଣକୁ ଆଇନସମ୍ମତ ବା ରେଗୁଲାରାଇଜ୍‌ କରିବା ପାଇଁ ସରକାରଙ୍କ ସର୍ବକ୍ଷମା ‌େଯାଜନା ଫେଲ୍ ମାରିଛି। କାରଣ ଏସଂକ୍ରାନ୍ତ ବିଜ୍ଞପ୍ତି ଜାରି ହେବାକୁ ୫ମାସ ପୂରିଥିଲେ ମଧ୍ୟ ଅଧିକାଂଶ ସ୍ଥାନରେ ବେଆଇନ ନିର୍ମାଣକାରୀ ଆବେଦନ କରୁନାହାନ୍ତି। ୯ଟି ଉନ୍ନୟନ କର୍ତ୍ତୃପକ୍ଷ ଏବଂ ଭୁବନେଶ୍ବର ମହାନଗର ନିଗମ ଅଞ୍ଚଳରେ ୨୯୦ରୁ କମ୍ ଆବେଦନ ଆସିଥିବାରୁ ଯୋଜନାର ସଫଳତା ନେଇ ଆଶଙ୍କା ପ୍ରକାଶ ପାଇଛି।

ସର୍ବକ୍ଷମା‌ ଯୋଜନାରେ ବେଆଇନ ନିର୍ମାଣକୁ ଆଇନସମ୍ମତ କରିବା ପାଇଁ ଭୁବନେଶ୍ବର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) ଅଧୀନରେ ସର୍ବାଧିକ ୨୫୦ଜଣ ଆବେଦନ କରିଥିବା ବେଳେ କଟକରେ ୨୫ଜଣ ଆବେଦନ କରିଛନ୍ତି। ଏହି ଦୁଇଟି ଉନ୍ନୟନ କର୍ତ୍ତୃପକ୍ଷଙ୍କ ଅଞ୍ଚଳକୁ ଛାଡ଼ିଦେଲେ ବ୍ରହ୍ମପୁର ଉନ୍ନୟନ କର୍ତ୍ତୃପକ୍ଷ, ରାଉରକେଲା ଉନ୍ନୟନ କର୍ତ୍ତୃପକ୍ଷ, ସମ୍ବଲପୁର ଉନ୍ନୟନ କର୍ତ୍ତୃପକ୍ଷ, ପୁରୀ-କୋଣାର୍କ ଉନ୍ନୟନ କର୍ତ୍ତୃପକ୍ଷ, କଳିଙ୍ଗ ନଗର ଉନ୍ନୟନ କର୍ତ୍ତୃପକ୍ଷ, ତାଳଚେର-ଅନୁଗୁଳ-ମେରାମଣ୍ତଳି ଉନ୍ନୟନ କର୍ତ୍ତୃପକ୍ଷଙ୍କ ଅଧୀନ‌େର କେଉଁଠି ଜଣେ କି ଦୁଇ ଜଣ ଆବେଦନ କରିଛନ୍ତି। ପାରାଦୀପ ଉନ୍ନୟନ କର୍ତ୍ତୃପକ୍ଷଙ୍କ ଅଧୀନରେ କେହି ଆବେଦନ କରିନାହାନ୍ତି। ଭୁବନେଶ୍ବର ମହାନଗର ନିଗମ ଅଞ୍ଚଳରେ ତିନି ଜଣ ‌ଏହି ଯୋଜନାରେ ଆବେଦନ କରିଛନ୍ତି। ବିଡିଏକୁ ଛାଡ଼ି ଦେଲେ ଅନ୍ୟ କୌଣସି ସ୍ଥାନରେ ଆଶାନୁରୂପ ଆବେଦନ ନହେବା ସର୍ବକ୍ଷମା ଯୋଜନା ପ୍ରସ୍ତୁତ କରିଥିବା ଅଧିକାରୀଙ୍କ ପାରଙ୍ଗମତା ପ୍ରତି ପ୍ରଶ୍ନ ଉଠାଇଛି।

ଲୋକଙ୍କୁ ସୁବିଧାରେ ଓ କମ୍ ଅର୍ଥରେ ବେଆଇନ ନିର୍ମାଣକୁ ଆଇନସମ୍ମତ କରିବାକୁ ସର୍ବକ୍ଷମା ଯୋଜନା ହୋଇଥିଲେ ହେଁ ରା‌ଜ୍ୟ ସରକାରଙ୍କ ଅର୍ଥ ଆଦାୟ ଚିନ୍ତା ଏହି ଯୋଜନାକୁ ବିଫଳ କରିଦେଲା ବୋଲି କୁହାଯାଉଛି।

୨୦୦୭-୦୮ ମସିହାରେ ସର୍ବକ୍ଷମା ଯୋଜନାରେ ଆବେଦନ ସରଳ ଥିଲେ ‌େହଁ ଏଥିରେ ପ୍ରାୟ ୪ହଜାର ଲୋକ ଆବେଦନ କରିଥିଲେ। ଏହି ସମୟରେ ସର୍ବକ୍ଷମା ଯୋଜନା ଫେଲ୍ ମାରିଲା ବୋଲି ନଗର ଉନ୍ନୟନ ବିଭାଗ ସ୍ବୀକାର କରିଥିଲା। କିନ୍ତୁ ୨୦୧୮ରେ ଯେଉଁ ନିୟମ ଆଣିଲେ ସେଥିରେ ଆବେଦନ ପ୍ରକ୍ରିୟା ଅଧିକ ଜଟିଳ କରିବା ସହ ଅଧିକ ଜରିମାନା ଗ୍ରାହକଙ୍କ ଉପରେ ଲଦି ଦେବାରୁ ବେଆଇନ ନିର୍ମାଣକାରୀ ସରକାରଙ୍କୁ ଖୋଲା ଚ୍ୟାଲେଞ୍ଜ ଦେବା ଭଳି ଆବେଦନ ନକରିବାକୁ ମନସ୍ଥ କରିନେଇଛନ୍ତି।

ନଗର ଉନ୍ନୟନ ବିଭାଗର ଜଣେ ବରିଷ୍ଠ ଅଧିକାରୀଙ୍କ ସୂଚନା ଅନୁଯାୟୀ, ଏଥରର ସର୍ବକ୍ଷମା ଯୋଜନାରେ ମହାନଗର ନିଗମ, ମ୍ୟୁନିସପାଲ୍‌ଟି, ଏନ୍‌ଏସି ଓ ଗ୍ରାମାଞ୍ଚଳ ଭଳି ଚାରିଟି ଭାଗରେ ବିଭକ୍ତ କରାଯାଇଛି। ଏହାସହ କମ୍ପାଉଣ୍ଡିଂ ଫି’, ଏଫ୍‌ଏଆର୍‌ ମୂଲ୍ୟ (ବେଞ୍ଚମାର୍କ ମୂଲ୍ୟ ଉପରେ) ଏବଂ ପାର୍କିଂ ଫି’କୁ ହିସାବ କରି ଜରିମାନା ଧାର୍ଯ୍ୟ ହେଉଛି। ଯାହା ୧୦ବର୍ଷ ତଳେ ଆସିଥିବା ଯୋଜନାରେ ଧାର୍ଯ୍ୟ ହୋଇଥିବା ଫି’ ଠାରୁ ବହୁଗୁଣା ଅଧିକ।

ଏଥର ଯେଉଁ ଉନ୍ନୟନ କର୍ତ୍ତୃପକ୍ଷଙ୍କ ଅଞ୍ଚଳରେ ଯେତେ କମ୍ପାଉଣ୍ତି˚ ଫି’ (ପ୍ଲାନ୍‌ ଅନୁମୋଦନ ପାଇଁ ବର୍ଗମିଟର ପିଛା ଦେଉଥିବା ଫି’) ଅଛି ତାହାର ୧.୧ଗୁଣାରୁ ୧.୪ଗୁଣା ପର୍ଯ୍ୟନ୍ତ ଜରିମାନା ଦେଇ ରେଗୁଲାରାଇଜ୍‌ କରିପାରିବେ। ରାଜ୍ୟର ୫ଟି ଯାକ ମହାନଗର ନିଗମ ଅଞ୍ଚଳରେ ଯେତିକି କମ୍ପାଉଣ୍ତି˚ ଫି’ ଅଛି ତା’ର ୧.୪ଗୁଣ ଫି’ ଦେବେ। ସେହିପରି ମ୍ୟୁନିସପାଲଟି ଅଞ୍ଚଳ ପାଇଁ ୧.୩ ଗୁଣା, ଏନ୍‌ଏସି ଅଞ୍ଚଳ ପାଇଁ ୧.୨ଗୁଣା, ଗ୍ରାମାଞ୍ଚଳ ପାଇଁ ୧.୧ଗୁଣା ଫି’ ଦେଇ ନିଜର ଘରକୁ ରେଗୁଲାରାଇଜ୍‌ କରିପାରିବେ।

ସେହିପରି ଯେଉଁମାନେ ସେମି କମର୍ସିଆଲ, କମର୍ସିଆଲ୍ ବିଲଡିଂ ପ୍ଲାନ୍‌ ନେଇଥିବେ, ଆପାର୍ଟମେଣ୍ଟ ନିର୍ମାଣ କରିଥିବେ ସେଥିପାଇଁ ମହାନଗର ନିଗମ ଅଞ୍ଚଳରେ ଯଦି ନିୟମ ଅନୁଯାୟୀ ପାର୍କି˚ ପାଇଁ ଜାଗା ଛଡ଼ାଯାଇନଥିବ ତେବେ ଆବାସିକ ଘର (ଆପାର୍ଟମେଣ୍ଟ) ପାଇଁ ବର୍ଗମିଟର ପିଛା ୧୦ହଜାର ଟଙ୍କା, ଅଣ ଆବାସିକ ପାଇଁ ୧୭,୫୦୦ଟଙ୍କ ଧାର୍ଯ୍ୟ ହୋଇଛି। ମ୍ୟୁନିସପାଲଟିରେ ଏହା ବର୍ଗମିଟର ପିଛା ଯଥାକ୍ରମେ ୮ହଜାର ଓ ୧୫ହଜାର, ଏନ୍‌ଏସିରେ ୬ହଜାର ଓ ୧୩ହଜାର ଏବ˚ ଗ୍ରାମାଞ୍ଚଳରେ ୫ହଜାର ଓ ୧୦ହଜାର ଟଙ୍କା ଧାର୍ଯ୍ୟ ହୋଇଛି।

ଏତିକି ଦେବାରେ ବେଆଇନ ନିର୍ମାଣକାରୀଙ୍କୁ ଅସୁବିଧା ହେଉନି। ସବୁଠୁ ବାଧୁଛି ଏଫ୍ଏଆର୍ ମୂଲ୍ୟ ଆଦାୟ। ଏଥିରେ ଯେତିକି ଜମିରେ ଯେତିକି ଘର କରିବାକୁ ଅନୁମତି ମିଳିବା କଥା ବା ଏଫ୍‌ଏଆର୍ (ଫ୍ଲୋର୍ ଏରିଆ ରେସିଓ) ଠାରୁ ଅଧିକ ଅଞ୍ଚଳରେ ଘର ନିର୍ମାଣ ‌କରିଥିଲେ ସେତିକି ଅଞ୍ଚଳ ପାଇଁ ସ୍ଥାନୀୟ ଅଞ୍ଚଳର ବେଞ୍ଚ୍‌ମାର୍କ ମୂଲ୍ୟର ଅଧା ମୂଲ୍ୟ ଦେବାକୁ ପଡ଼ିବ। ଯେଉଁଥିପାଇଁ ଲୋକମାନେ ଏହି ଯୋଜନାରେ ସାମିଲ୍ ହେଉନାହାନ୍ତି। ଉଦାହରଣ ସ୍ବରୂପ ଯଦି ଜଣେ ରାଜଧାନୀରେ ଆଇଆର୍‌ସି ଭିଲେଜ ଅଞ୍ଚଳରେ ୨୦ଫୁଟ ରାସ୍ତା ଥିବା ୧୨୦୦ ବର୍ଗଫୁଟର ଜମି ଉପରେ ଦୁଇ ହଜାର ବର୍ଗଫୁଟର ଘର ନିର୍ମାଣ କରିଛନ୍ତି ତେବେ ତାଙ୍କୁ ଏକ ଲକ୍ଷରୁ ଅଧିକ ଟଙ୍କା ଜରିମାନା ଦେଇ ରେଗୁଲାରାଇଜ୍ କରିବାକୁ ପଡ଼ୁଛି। ପଟିଆ, ସହିଦନଗର, ପାଣ୍ଡରା ମୌଜା, ଜୟଦେବ ବିହାର, ଅଶୋକ ନଗର, ଖାରବେଳ ନଗର ଅଦି ଅଞ୍ଚଳରେ ତ ଦୁଇ ମହଲା ବିଶିଷ୍ଟ ଘର ପାଇଁ ଏହା ୨ଲକ୍ଷ ପାଖାପାଖି ଛୁଉଁଛି। ତେଣୁ ଏପରିସ୍ଥଳେ ଲୋକ ଏତେ ଟଙ୍କା ଦେଇ ରେଗୁଲାରାଇଜ୍ କରିବାକୁ ଚାହୁଁନାହାନ୍ତି।

ସର୍ବକ୍ଷମା‌ ଯୋଜନା ଫେଲ୍ ମାରିବା ଏକପ୍ରକାରର ନିଶ୍ଚିତ ହେବା ପରେ ନଗର ଉନ୍ନୟନ ବିଭାଗ ଚିନ୍ତାରେ ପଡ଼ିଛି। ଏହି ଅବଧି ୬ମାସରୁ ଅଧିକ ବଢ଼ାଯିବ କି କିପରି ଲୋକ ସହଜରେ ଆବେଦନ କରିବେ, କେଉଁ ମୂଲ୍ୟ କମାଯିବା ଦରକାର ସେ‌େନଇ ଆଲୋଚନା କରିବାକୁ ନଗର ଉନ୍ନୟନ ବିଭାଗ ସଚିବ ଆସନ୍ତା ୨୨ତାରିଖରେ ଏକ ବୈଠକ ଡାକିଛନ୍ତି। ଏଥିରେ କିଛି ଠୋସ୍ ନିଷ୍ପତ୍ତି ନିଆଯାଇପାରେ ବୋଲି ଆଶା କରାଯାଉଛି।

ସୂଚନାଯୋଗ୍ୟ, ନଗର ଉନ୍ନୟନ ବିଭାଗ ପକ୍ଷରୁ ଜୁନ୍‌ ୨୦ତାରିଖରେ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଏଥିରେ ଉନ୍ନୟନ କର୍ତ୍ତୃପକ୍ଷଙ୍କ ଅଧୀନରେ ଯଦି କେହି କର୍ତ୍ତୃପକ୍ଷଙ୍କ ବିନା ଅନୁମୋଦନରେ ବା ଅନୁମୋଦନ ଠାରୁ ଅଧିକ ଅଞ୍ଚଳରେ ଆବାସିକ ଘର, ଆପାର୍ଟମେଣ୍ଟ, ହସ୍ପିଟାଲ, ସରକାରୀ କିମ୍ବା ବେସରକାରୀ କାର୍ଯ୍ୟାଳୟ ବା କୌଣସି ପ୍ରକାରର ନିର୍ମାଣ କରିଛନ୍ତି ସେମାନଙ୍କୁ କ୍ଷମା କରିବାକୁ ଯୋଜନା ହୋଇଛି। ଏଥିପାଇଁ ୬ମାସ ସମୟ ବି ଦିଆଯାଇଛି।

ସମ୍ବନ୍ଧିତ ଖବର