ରଣପୁର : ରାଜ୍ୟରେ କେହି ନିରକ୍ଷର ନରହିବା ଉଦ୍ଦେଶ୍ୟରେ କେନ୍ଦ୍ର ତଥା ରାଜ୍ୟ ସରକାର “ସଭିଁଏ ପଢ଼ନ୍ତୁ ,ସଭିଁଏ ବଢ଼ନ୍ତୁ” ନାରା ଦେଇ ସର୍ବଶିକ୍ଷା ଅଭିଯାନରେ ବାର୍ଷିକ ରାଜସ୍ବରୁ କୋଟିକୋଟି ଟଙ୍କା ବ୍ୟୟ କରୁଛନ୍ତି। ହେଲେ ସରକାରୀ କଳର ମନମୁଖୀ କାର୍ଯ୍ୟ ଓ ରାଜନେତାଙ୍କ ଇଚ୍ଛାଶକ୍ତିର ଅଭାବ ଯୋଗୁ ଅନେକ ଯୋଜନାର ସଫଳ ରୂପାୟନ ହେବା ପରିବର୍ତ୍ତେ ସେସବୁ ଅଧପନ୍ତରିଆ ଭାବେ ଚାଲୁଥିବା ଦେଖିବାକୁ ମିଳିଛି। ରାଜ୍ୟରେ ପଞ୍ଚମ ଥର ପାଇଁ ବିଜେଡି ସରକାର ଗଠନ କରିଥିଲେ ମଧ୍ୟ ଯେଉଁ ତିମିରେକୁ ସେଇ ତିମିରେ ସଦୃଶ ଯୋଜନା ପ୍ରଣୟନ ହେଉଥିବା ଦେଖିବାକୁ ମିଳିଛି। ଏହାର ଜ୍ବଳନ୍ତ ଉଦାହରଣ ହେଉଛି ରଣପୁର ବ୍ଲକ୍ରେ ସର୍ବଶିକ୍ଷା ଅଭିଯାନ।
ସୂଚନା ଥାଉକି, ନିରୀହ ଗରିବ ପରିବାରର ପିଲାମାନେ ଶିକ୍ଷାଦାନରୁ ବଞ୍ଚିତ ନହେବା ଉଦ୍ଦେଶ୍ୟରେ ରାଜ୍ୟ ସରକାର ସର୍ବଶିକ୍ଷା ଅଭିଯାନ ପ୍ରଣୟନ କରିଛନ୍ତି। ଏ ନେଇ ଅଞ୍ଚଳରେ ଥିବା ନିରକ୍ଷର ପିଲାମାନଙ୍କୁ ସ୍ବାକ୍ଷର କରିବା ପାଇଁ ପ୍ରତ୍ୟେକ ବ୍ଲକ୍ ଶିକ୍ଷା ଅଧିକାରୀ କାର୍ଯ୍ୟାଳୟକୁ ନିର୍ଦ୍ଦେଶାନାମା ରହିଛି। ହେଲେ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ବନ୍ଧମୁଣ୍ତା ପଞ୍ଚାୟତରେ ଏବେବି ଅନେକ ପରିବାରର ପିଲାମାନେ ଶିକ୍ଷା ପରିବର୍ତ୍ତେ ବିଭିନ୍ନ କାମଧନ୍ଦାରେ ନିୟୋଜିତ ରହି ପରିବାର ପୋଷଣ କରୁଥିବା ଦେଖିବାକୁ ମିଳିଛି। ଏପରିକି ରଣପୁର ବ୍ଲକ୍ ସଦରମହକୁମା ଉପକଣ୍ଠ ବାମଡ଼ା ଅଞ୍ଚଳରେ ଅନେକ ପିଲା ଶିକ୍ଷା ପରିବର୍ତ୍ତେ ଜରି, କାଗଜ, ବୋତଲ ଓ କାଚ ଆଦି ବର୍ଜ୍ୟବସ୍ତୁ ସଂଗ୍ରହ କରି ନିକଟତମ କବାଡ଼ିଆ ଗୋଦାମଗୁଡ଼ିକରେ ଜମା ଦେଇ ଅର୍ଥ ଉପାର୍ଜନ କରୁଛନ୍ତି। ବିଶେଷ କରି ଜେଲ୍ ଛକଠାରେ ଥିବା ଏକ କବାଡ଼ିଆ ଗୋଦାମ ଉକ୍ତ ପିଲାମାନଙ୍କୁ ବ୍ୟବହାର କରୁଥିବା ଅଭିଯୋଗ ହେଉଛି। ଏପରିକି ଅନେକ ସମୟରେ ଚୋରା ସାମଗ୍ରୀ ମଧ୍ୟ ସେଠାରେ କାରବାର ହେଉଥିବା ଚର୍ଚ୍ଚା ହେଉଛି।
ଅପରପକ୍ଷେ ନିରକ୍ଷର ବୃଦ୍ଧବୃଦ୍ଧାଙ୍କୁ ସ୍ବାକ୍ଷର କରିବା ପାଇଁ ପ୍ରୌଢ଼ଶିକ୍ଷା ଅଭିଯାନ ମାଧ୍ୟମରେ ଶିକ୍ଷା ଦାନ ବ୍ୟବସ୍ଥା ଥିଲେ ମଧ୍ୟ ରଣପୁର ବ୍ଲକ୍ରେ ଏହା ସମ୍ପୂର୍ଣ୍ଣ ଫେଲ୍ ମାରିଥିବା ଜଣାଯାଇଛି। ଫଳରେ ଆବଶ୍ୟକ ସ୍ଥଳେ ସରକାରୀ କାର୍ଯ୍ୟରେ ଦସ୍ତଖତ ପରିବର୍ତ୍ତେ ଟିପ ଚିହ୍ନ ଦେଉଥିବା ଦେଖିବାକୁ ମିଳୁଛି। ତୁରନ୍ତ ଏହାର ପ୍ରତିକାର କରିବାକୁ ବୁଦ୍ଧିଜୀବୀ ମହଲରେ ଦାବୀ ହେଉଛି। ତେବେ ସମସ୍ତଙ୍କୁ ଶିକ୍ଷା ଦାନ କରିବା ଆମର କର୍ତ୍ତବ୍ୟ। ଯଦି ଏଥିରୁ କେହି ବଞ୍ଚିତ ରହୁଛନ୍ତି, ସେମାନଙ୍କୁ ଖୋଜି ବାହାର କରିବା ଆମର ଦାୟିତ୍ବ ବୋଲି ବ୍ଲକ୍ ଶିକ୍ଷାଧିକାରୀ ଉପେନ୍ଦ୍ର ସାହୁ କହିଛନ୍ତି।