ଜାଲରେ ପଡ଼ିଲା ୯ ଫୁଟ୍‌ର ସାର୍କ 

ଭୋଗରାଇ: ପଶ୍ଚିମବଙ୍ଗ ଦୀଘା ମୁହାଣ ନିକଟ ପେଟୁଆଘାଟଠାରେ ମତ୍ସ୍ୟଜୀବୀଙ୍କ ଜାଲରେ ଏକ ସାର୍କ ମାଛ ଲାଗିଥିବା ଜଣାପଡ଼ିଛି। ସ୍ଥାନୀୟ ମତ୍ସ୍ୟଜୀବୀ ସମବାୟ ସମିତି ନିୟନ୍ତ୍ରିତ ବଜାରରେ ମାଛଟିକୁ ଲକ୍ଷାଧିକ ଟଙ୍କାରେ ବିକ୍ରି କରିଛନ୍ତି।

ସୂଚନା ଅନୁସାରେ, ପଶ୍ଚିମବଙ୍ଗ କାନ୍ଥିମହକୁମା ପେଟୁଆଘାଟସ୍ଥିତ ସମୁଦ୍ରରୁ ଏକ ଟ୍ରଲର ଦୁଇଦିନ ତଳେ ଗଭୀର ସମୁଦ୍ରକୁ ମାଛ ଧରିବାକୁ ଯାଇଥିବା ବେଳେ ଜାଲରେ ୧ କୁଇଣ୍ଟାଲ ୭୦ କିଲୋ ଓଜନ ଓ ୯ ଫୁଟ ଲମ୍ବ ୪ଫୁଟ ଓସାରର ଏକ ସାର୍କ ମାଛ ଲାଗିଥିଲା। ମାଛଟିକୁ ବିକ୍ରି ପାଇଁ ଦୀଘା ମୁହାଣ ମତ୍ସ୍ୟ ଅବତରଣ କେନ୍ଦ୍ରକୁ ନିଆଯାଇଥିଲା। ସାର୍କ ମାଛକୁ ଦେଖିବା ଲାଗି ସେଠାରେ ସ୍ଥାନୀୟ ଲୋକଙ୍କ ସହ ମତ୍ସ୍ୟଜୀବୀ ଓ ପର୍ଯ୍ୟଟକଙ୍କର ଭିଡ଼ ଜମିଥିଲା। ଶେଷରେ ଉକ୍ତ ମାଛଟିକୁ କୋଲକାତାର ଏକ କମ୍ପାନି ଲକ୍ଷାଧିକ ଟଙ୍କାରେ କିଣି ନେଇଥିବା ଜଣାଯାଇଛି। ଉକ୍ତ ସାର୍କ ମାଛକୁ ସ୍ଥାନୀୟ ମତ୍ସ୍ୟଜୀବୀ ଭିନ୍ନ ପ୍ରଜାତିର ମଗର ମାଛ କହୁଥିବା ବେଳେ କେହି କେହି ଏହାକୁ କଣ୍ଟୁଆ ମେଦା ମାଛ ବୋଲି ମଧ୍ୟ କହିଛନ୍ତି।

ସମ୍ବନ୍ଧିତ ଖବର