ପୁରୀ : ଶ୍ରୀନଅରଠାରେ ଗୁରୁବାର ଦିନ ଦଇତାପତି ସେବକଙ୍କ ଶାଢ଼ିବନ୍ଧା ନୀତି ଅନୁଷ୍ଠିତ ହୋଇଯାଇଛି। ରଥଯାତ୍ରା ପୂର୍ବରୁ ଗଜପତିଙ୍କ ହସ୍ତ ସ୍ପର୍ଶ ଶାଢ଼ି ଦଇତାପତିମାନେ ମସ୍ତକରେ ବାନ୍ଧିଛନ୍ତି। ଏ ସମ୍ପର୍କରେ ଶ୍ରୀନଅର ରାଜଗୁରୁ ଦେବୀପ୍ରସାଦ ରାଜଗୁରୁ କହିଛନ୍ତି, ଶ୍ରୀମନ୍ଦିରର ସେବାୟତଙ୍କ ଶାଢ଼ି ବନ୍ଧା ନୀତି ରହିଛି। ଏଥିପାଇଁ ଥରେ ଶାଢ଼ି ନୀତି ସମ୍ପନ୍ନ ହୋଇଥାଏ। କିନ୍ତୁ ଦଇତାପତିମାନଙ୍କ ଶାଢ଼ି ବନ୍ଧା ନୀତି ନାହିଁ। ଦଇତାପତିମାନେ ପ୍ରତିବର୍ଷ ରଥଯାତ୍ରା ସମୟରେ ମସ୍ତକରେ ଶାଢ଼ି ବନ୍ଧାଇଥାନ୍ତି।

Advertisment

publive-image

ଶ୍ରୀନଅରକୁ ରାଜପ୍ରସାଦ ବିଜେ ଅବସରରେ ଦଇତାପତିମାନେ ଶାଢ଼ି ବନ୍ଧାଇଥାନ୍ତି। ତିନି ବାଡ଼ର ଦଇତାପତିମାନଙ୍କୁ ଶାଢ଼ି ବନ୍ଧାଯାଇଥାଏ। ଶ୍ରୀ ରାଜଗୁରୁ କହିଛନ୍ତି, ଗଜପତି ମହାରାଜ ମହାପ୍ରଭୁଙ୍କ ଆଦ୍ୟ ସେବକ। ରାଜଗୁରୁ ଗଜପତିଙ୍କ ସ୍ବହସ୍ତ ଛୁଆଁ ପାଟଶାଢ଼ି ଶ୍ରୀନଅର ପାଟ୍ଟଶାଣୀଙ୍କୁ ଦେବା ପରେ ପାଟ୍ଟଶାଣୀ ସମସ୍ତଙ୍କୁ ଶାଢ଼ି ବନ୍ଧାଇଛନ୍ତି। ଆଜି ତିନିବାଡ଼ର ଦଇତାପତିଙ୍କ ସହ ତଳୁଚ୍ଛ, ବେହେରା ଖୁଣ୍ଟିଆ, ଦେଉଳକରଣଙ୍କର ବି ଶାଢ଼ି ବନ୍ଧାଯାଇଛି ବୋଲି ଶ୍ରୀ ରାଜଗୁରୁ କହିଛନ୍ତି। ଆଜି ଶ୍ରୀନଅର ରାଜଗୁରୁ ଶ୍ରୀ ରାଜଗୁରୁଙ୍କ ସହ ସୁଧାଂଶୁ ଶେଖର ରାଜଗୁରୁ, ପଟ୍ଟଶାଣୀ ସତ୍ୟସୁନ୍ଦର ଚ୍ୟାଉପଟ୍ଟନାୟକ, ଶ୍ରୀନଅର ପୁଷ୍ପାଳକ ମନୋଜ ପୁଷ୍ପାଳକ ଏହି କାର୍ଯ୍ୟ ସମ୍ପନ୍ନ କରିଛନ୍ତି।