ସମ୍ବଲପୁର : ‘ସମ୍ବାଦ’ର ବାର୍ଷିକ ଉତ୍ସବ ଉପ‌ଲକ୍ଷେ ମହାବିଦ୍ୟାଳୟ ଓ ବିଶ୍ବବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ମଧ୍ୟରେ ସାରେଗାମା (ଲଘୁ କଣ୍ଠ ସଂଗୀତ) ଓ ବିତର୍କ ପ୍ରତିଯୋଗିତା ଆସନ୍ତା ୧୮ ତାରିଖ ରବିବାର ଦିନ ସମ୍ବଲପୁରରେ ଅନୁଷ୍ଠିତ ହେବ। ଏଥିରେ +୨ ବା ଏକାଦଶ ଶ୍ରେଣୀରୁ ନେଇ ଉପର ଶ୍ରେଣୀ ଗୁଡ଼ିକରେ ପାଠ ପଢ଼ୁଥିବା ସମସ୍ତ ସାଧାରଣ, ବୈଷୟିକ, ଡାକ୍ତରୀ, ମ୍ୟାନେଜ୍‌ମେଣ୍ଟ, କୃଷି ଆଦି ସମସ୍ତ ପ୍ରକାର ମହାବିଦ୍ୟାଳୟ ଓ ବିଶ୍ବବିଦ୍ୟାଳୟର ଛାତ୍ରଛାତ୍ରୀ ଭାଗ ନେଇ ପାରିବେ। ସମ୍ବାଦର ସମ୍ବଲପୁର ଜୋନ୍‌ସ୍ତରୀୟ ଏହି ପ୍ରତିଯୋଗିତାରେ ସମ୍ବଲପୁର ସଂସ୍କରଣ ଅଧୀନସ୍ଥ ୯ଟି ଜିଲ୍ଲା ଯଥା ସମ୍ବଲପୁର, ଝାରସୁଗୁଡ଼ା, ଦେବଗଡ଼, ବରଗଡ଼, ସୁବର୍ଣ୍ଣପୁର, ବୌଦ୍ଧ, ବଲାଙ୍ଗୀର, ନୂଆପଡ଼ା ଓ କଳାହାଣ୍ଡିର ଛାତ୍ରଛାତ୍ରୀ ଭାଗ ନେବେ। ଏଥି‌ ପାଇଁ ସେମାନେ ଅନ୍‌ଲାଇନ୍ ପଞ୍ଜୀକରଣ କରି ପାରିବେ। ଅନ୍‌ଲାଇନ୍‌ ଆବେଦନ କରି ନଥିବା ପ୍ରତିଯୋଗୀ ଉକ୍ତ ଦିନ ନିଜ କଲେଜ୍ ପରିଚୟପତ୍ର ସହ ପ୍ରତିଯୋଗିତା ସ୍ଥଳରେ ପହଞ୍ଚି ସିଧାସଳଖ ପଞ୍ଜୀକରଣ କରି ପ୍ରତିଯୋଗିତାରେ ଭାଗ ନେବେ। ଏଥିରେ ଯେକୌଣସି ଶିକ୍ଷାନୁଷ୍ଠାନରୁ ଯେତେ ସଂଖ୍ୟକ ପ୍ରତିଯୋଗୀ ଚାହିଁଲେ ଭାଗ ନେଇ ପାରିବେ। ବିଜୟୀ ପ୍ରତିଯୋଗୀଙ୍କୁ ପ୍ରମାଣପତ୍ର ସହ ନଗଦ ଅର୍ଥ ପୁରସ୍କାର ପ୍ରଦାନ କରାଯିବ। ସେମାନେ ମଧ୍ୟ ୯ଟି ଜୋନ୍‌ର ବିଜୟୀ ପ୍ରତିଯୋଗୀଙ୍କୁ ନେଇ ଭୁବନେଶ୍ବରରେ ହେବାକୁ ଥିବା ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ଭାଗ ନେବାକୁ ଯୋଗ୍ୟ ବିବେଚିତ ହେବେ।

Advertisment

ଆସନ୍ତା ରବିବାର ଦିନ ୧୦ଟା ବେଳେ ସମ୍ବଲପୁର ପାନ୍ଥନିବାସ ନିକଟ ତପସ୍ବିନୀ ଜିଲ୍ଲା‌ ପ୍ରେକ୍ଷାଳୟରେ ସାରେଗାମା ତଥା ସାକ୍ଷୀପଡ଼ାସ୍ଥିତ ସମ୍ବାଦ ଭବନରେ ବିତର୍କ ପ୍ରତିଯୋଗିତା ଆରମ୍ଭ ହେବ। ବିତର୍କର ବିଷୟବସ୍ତୁ ୧ ଘଣ୍ଟା ପୂର୍ବରୁ ପ୍ରଦାନ କରାଯିବ। ଉଭୟ ପ୍ରତିଯୋଗିତା ପାଇଁ ସକାଳ ୯ଟାରୁ ପଞ୍ଜୀକରଣ ଆରମ୍ଭ ହେବ। ଏହି ପ୍ରତିଯୋଗିତାରେ ଅଧିକରୁ ଅଧିକ ସଂଖ୍ୟାରେ ପ୍ରତିଯୋଗୀ ଭାଗ ନେଇ ନିଜ ପ୍ରତିଭାର ନିଦର୍ଶନ କରିବାକୁ ‘ସମ୍ବାଦ’ ପଶ୍ଚିମ ଓଡ଼ିଶା ସଂସ୍କରଣର ଉପମହାପ୍ରବନ୍ଧକ (ବାର୍ତ୍ତା) ସୁବ୍ରତ ନାୟକ ଅନୁରୋଧ କରିଛନ୍ତି।