ଶେଷ ହେଲା ‘ସାରେଗାମା’, ‘ବିତର୍କ’ ପ୍ରତିଯୋଗିତା

ଭୁବନେଶ୍ୱର : ‘ସମ୍ବାଦ’ ‌ଓ ‘ରେଡିଓ ଚକ୍‌ଲେଟ୍‌’ ଆୟୋଜିତ ରାଜ୍ୟସ୍ତରୀୟ ସଂଗୀତ ପ୍ରତିଯୋଗିତା ‘ସାରେଗାମା’ ଶେଷ ହୋଇଛି। ସଂଗୀତର ସାତସୁରକୁ କଣ୍ଠରେ ଆୟତ୍ତପୂର୍ବକ ଏହି ସ୍ବର ସଂଗ୍ରାମରେ ଅବତୀର୍ଣ୍ଣ ହୋଇଥିଲେ ରାଜ୍ୟର ୯ଟି ଜୋନ୍‌ରେ ବିଜୟୀ ହୋଇଥିବା ୨୭ଜଣ ପ୍ରତିଯୋଗୀ। ଏଥିସହ ‘ସମ୍ବାଦ’ ଓ ‘କନକ ନ୍ୟୁଜ୍‌’ ପକ୍ଷରୁ ଆୟୋଜିତ ରାଜ୍ୟସ୍ତରୀୟ ବିତର୍କ ପ୍ରତିଯୋଗିତାରେ ୯ଟି ଜୋନ୍‌ରୁ ୨୮ ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଛନ୍ତି। ଏହା ପୂର୍ବରୁ ହସ୍ତାକ୍ଷର, ଚିତ୍ରାଙ୍କନ ଓ କୁଇଜ୍‌ ପ୍ରତିଯୋଗିତାର ମୂଲ୍ୟାୟନ ହୋଇସାରିଛି।

ଜୋନ୍‌ସ୍ତରୀୟ ପ୍ରତିଯୋଗିତା ପରେ ସାରେଗାମା ଓ ବିତର୍କ ପ୍ରତିଯୋଗିତାର ଚୂଡ଼ାନ୍ତ ବିଚାର କରାଯାଇଛି। ପ୍ରତିଯୋଗୀମାନେ ଘରେ ନିଜର ଗୀତ ରେକର୍ଡ କରି ତା’ର ଭିଡିଓ କ୍ଲିପ୍ ପଠାଇବା ପରେ ଆଜି ମୂଲ୍ୟାୟନ କରାଯାଇଥିଲା। ବିଶିଷ୍ଟ ଗୀତିକାର ତଥା ସଂଗୀତ ନିର୍ଦ୍ଦେଶକ ଓ ଅଭିନେତା ଶ୍ରୀକାନ୍ତ ଗୌତମ, କଣ୍ଠଶିଳ୍ପୀ ତଥା ଉତ୍କଳ ସଂଗୀତ ମହାବିଦ୍ୟାଳୟର ଓଡ଼ିଶୀ କଣ୍ଠ ସଂଗୀତ ବିଭାଗର ଅଧ୍ୟାପକ ନିମାକାନ୍ତ ରାଉତରାୟ ଏବଂ ଲୋକପ୍ରିୟ କଣ୍ଠଶିଳ୍ପୀ ଅସୀମା ପଣ୍ଡା ବିଚାରକ ଭାବେ ଯୋଗଦେଇ ଗୀତ ଶୁଣି ମୂଲ୍ୟାୟନ କରିଥିଲେ। ଏହି କାର୍ଯ୍ୟକ୍ରମକୁ ରେଡିଓ ଚକ୍‌ଲେଟ୍‌ର ସୌମିତ୍ରୀ ପଲାଇ, ସତ୍ୟବ୍ରତ ମହାନ୍ତି ଓ ସୁବ୍ରତ ସ୍ବାଇଁ ପରିଚାଳନା କରିଥିଲେ। ସେହିଭଳି ବିତର୍କ ‘ପ୍ରତିଯୋଗିତା’ର ମୂଲ୍ୟାୟନ କରାଯାଇଛି। ସମସ୍ତ ପ୍ରତିଯୋଗିତାର ଚୂଡ଼ାନ୍ତ ଫଳାଫଳ ଖୁବଶୀଘ୍ର ସମ୍ବାଦରେ ପ୍ରକାଶ ପାଇବ।

ସମ୍ବନ୍ଧିତ ଖବର