‘ସମ୍ବାଦ’ ଓ ରେଡିଓ ଚକଲେଟ୍‌ ପକ୍ଷରୁ ‘ସାରେଗାମା’ ସଙ୍ଗୀତରେ ଛାତ୍ରୀଙ୍କ ବାଜିମାତ୍‌ : ପାୟଲ, ସ୍ମରଣିକା ଓ ସୁପାଲି ପିନ୍ଧିଲେ ବିଜୟ ମୁକୁଟ

ଭୁବନେଶ୍ବର : ମହାପ୍ରସାଦ ଛୁଇଁ କହ ଚକାନୟନ…, ମୌଲା ମୌଲା ମୌଲା ମେରେ ମୌଲା…, ଏ ଦୁଆ ହୈ ମେରେ ରବ୍‌ ସୈ… ଆଦି ଭିନ୍ନ ଭିନ୍ନ ସ୍ବାଦ‌ର ଗୀତରେ ଝୁମୁଥିଲା ଜୟଦେବ ଭବନ ପ୍ରେକ୍ଷାଳୟ। ସେମିକ୍ଲାସିକାଲ, ଭଜନ, ରୋମାଣ୍ଟିକ୍‌ ସଙ୍ଗୀତରେ ମନ୍ତ୍ରମୁଗ୍ଧ ହେଉଥିଲେ ଶ୍ରୋତା। ରାଗ, ତାଳ ଓ ସ୍ବରର ମହାସଂଗ୍ରାମରେ ଜଣେ ଜଣକୁ ପଛରେ ପକାଇ ବିଜୟ ମୁକୁଟ ପିନ୍ଧିବା ପାଇଁ ଚାଲିଥିଲା କଡ଼ା ପ୍ରତିଯୋଗିତା। ଅବସର ଥିଲା, ‘ସମ୍ବାଦ’ର ୩୫ତମ ଜନ୍ମ ବାର୍ଷିକ ଅବସରରେ ‘ସମ୍ବାଦ’ ଓ ‘ରେଡିଓ ଚକ୍‌ଲେଟ୍‌’ ପକ୍ଷରୁ ଆୟୋଜିତ ରାଜ୍ୟସ୍ତରୀୟ ସଙ୍ଗୀତ ପ୍ରତିଯୋଗିତା ‘ସାରେଗାମା’ର।

ଏଥିରେ ରମାଦେବୀ ମହିଳା ବିଶ୍ବବିଦ୍ୟାଳୟର ଛାତ୍ରୀ ପାୟଲ ମହାନ୍ତି ସମସ୍ତଙ୍କୁ ପଛରେ ପକାଇ ବିଜୟ ମୁକୁଟ ପିନ୍ଧିଛନ୍ତି। ସେହିପରି ରମାଦେବୀ ମହିଳା ବିଶ୍ବବିଦ୍ୟାଳୟର ଛାତ୍ରୀ ସ୍ମରଣିକା ତ୍ରିପାଠୀ ଦ୍ବିତୀୟ ଓ ବାଲେଶ୍ବର ଗୁରୁଜୀ ହରିକୃଷ୍ଣ ବେହେରା ମହାବିଦ୍ୟାଳୟର ଛାତ୍ରୀ ସୁପାଲି ମହାପାତ୍ର ତୃତୀୟ ସ୍ଥାନ ଅଧିକାର କରିଛନ୍ତି।

ପ୍ରତିଯୋଗିତାରେ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ଆସିଥିବା ୨୭ଜଣ ଯୁବ କଣ୍ଠଶିଳ୍ପୀ ସେମାନଙ୍କ ପ୍ରତିଭା ପ୍ରଦର୍ଶନ କରିଥିଲେ। ପ୍ରତିଯୋଗିତାରେ ଦୁ‌ଲ୍‌ହେ କା ସେହେରା…, ରାମ୍‌ ତେରି ଗଙ୍ଗା ମୈଲି…., ତେରେ ନାମ୍‌ ସେ ଜିଉଁ…, ଆଜ୍‌ ସେ ତେରି ସାରି ଗଲିଆଁ ମେରି ‌ହୋ ଗୟି… ଆଦି ଚିରସବୁଜ ଗୀତ ଶ୍ରୋତାଙ୍କୁ ମନ୍ତ୍ରମୁଗ୍ଧ କରୁଥିଲା। ସମ୍ବଲପୁର, ରାଉରକେଲା, ଅନୁଗୁଳ, ବାଲେଶ୍ବର, ବ୍ରହ୍ମପୁର, ଜୟପୁର, କଟକ, ଯାଜପୁର ଓ ଭୁବନେଶ୍ବର ଆଦି ୯ଟି ସ୍ଥାନରେ ହୋଇଥିବା ଜୋନ୍‌ସ୍ତରୀୟ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀମାନେ ଆଜିର ଚୂଡ଼ାନ୍ତ ପର୍ଯ୍ୟାୟରେ ଭାଗ ନେଇଥିଲେ। ଓଡ଼ିଆ ସ˚ଗୀତ ଜଗତର ଲବ୍ଧପ୍ରତିଷ୍ଠ ସଙ୍ଗୀତ ନିର୍ଦ୍ଦେଶକ ଆଶା ମୁକୁଲ୍‌ ବାରିକ, ସଙ୍ଗୀତ ନିର୍ଦ୍ଦେଶକ ତଥା ପରିଚାଳକ ପ୍ରଫୁଲ୍ଲ ବେହେରା ଓ ଯୁବ କଣ୍ଠଶିଳ୍ପୀ ଦୀପ୍ତିରେଖା ପାଢ଼ୀ ପ୍ରମୁଖ ଏଥିରେ ବିଚାରକ ଭାବେ ଯୋଗ ଦେଇ ମୂଲ୍ୟାୟନ କରିଥିଲେ। ବାଦ୍ୟଯନ୍ତ୍ରରେ ସହଯୋଗ କରିଥିଲେ ଅଜୟ ଚୌଧୁରୀ (ତବଲା), ବସନ୍ତ ତିଆଡ଼ି (ଅକ୍ଟୋପ୍ୟାଡ୍‌), ଚିତ୍ତର˚ଜନ ପ୍ରଧାନ(ସିନ୍ଥେସାଇଜର୍‌), ରମେଶ କୁମାର (କି-ବୋର୍ଡ) ଓ ସଞ୍ଜୟ ରାଉତ (ଢୋଲକ)। କୃତୀ ପ୍ରତିଯୋଗୀଙ୍କୁ ଆସନ୍ତାକାଲି (ଶୁକ୍ରବାର) ‘ସମ୍ବାଦ’ର ବାର୍ଷିକ ଉତ୍ସବରେ ପୁରସ୍କୃତ କରାଯିବ। ଆର‌୍‌.ଜେ ସଂଗ୍ରାମ କାର୍ଯ୍ୟକ୍ରମ ସ˚ଚାଳନ କରିଥିଲେ।

ସମ୍ବନ୍ଧିତ ଖବର