ବାଲେଶ୍ବରରେ ‘ସମ୍ବାଦ’ ଓ ‘ରେଡିଓ ଚକୋଲେଟ୍‌’ ସାରେଗାମା ପ୍ରତିଯୋଗିତା: ଝୁମାଇଲେ ପ୍ରତିଯୋଗୀ

ବାଲେଶ୍ବର: ବାଲେଶ୍ବର: ଷାଠିଏ ପଉଟି ଭୋଗରୁ ତୁମର କାଢ଼ି ତ ନେଇନି ହରି…. ରାମ ତେରୀ ଗଙ୍ଗା ମୈଲି… ମାଆ ଖୋଜ ମମତା…. ଅଭିମନ୍ୟୁ… ଓ ସଜନା… ପରି ଗୀତ ଗାଇ ମନ ମୋହିନେଲେ ପ୍ରତିଯୋଗୀ। ଆଜି ସାରା ରାଜ୍ୟରେ ‘ସମ୍ବାଦ’ ଓ ‘ରେଡିଓ ଚକୋଲେଟ୍‌’ ପକ୍ଷରୁ ଜୋନ୍‌ସ୍ତରୀୟ ସାରେଗାମା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଏହି କ୍ରମରେ ବାଲେଶ୍ବର ‘ସମ୍ବାଦ’ ଉତ୍ତର ଓଡ଼ିଶା ସଂସ୍କରଣ କାର୍ଯ୍ୟାଳୟରେ ପ୍ରତିଯୋଗିତା ସରିଛି। ଏଥିରେ ଭଦ୍ରକ, ବାଲେଶ୍ବର ଓ ମୟୂରଭଞ୍ଜ ଜିଲ୍ଲାର ମୋଟ ୪୩ ଜଣ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ।

ସାରେଗାମା ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରୁ ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟର ଛାତ୍ର ଲେଖକ ଦାସ ପ୍ରଥମ, ସତ୍ୟସାଇ ଇଞ୍ଜିନିୟରିଂ କଲେଜର ଛାତ୍ର ଆକାଶ କୁମାର ପଣ୍ଡା ଦ୍ବିତୀୟ ଏବଂ ମହାରାଜା ପୂର୍ଣ୍ଣଚନ୍ଦ୍ର ସ୍ବୟଂଶାସିତ ମହାବିଦ୍ୟାଳୟର ଛାତ୍ର ରୁଦ୍ର ନାରାୟଣ ସାହୁ ତୃତୀୟ ସ୍ଥାନ ଅଧିକାର କରିଛନ୍ତି। ଯେଉଁ ପ୍ରତିଯୋଗୀମାନେ କୃତକାର୍ଯ୍ୟ ହୋଇ ନଥିଲେ, ଏହି ପ୍ରତିଯୋଗିତା ସେମାନଙ୍କ ସଫଳତାର ମାର୍ଗ ପ୍ରଶସ୍ତ କରିବ ବୋଲି କହିଥିଲେ।

‘ସମ୍ବାଦ’ ଉତ୍ତର ଓଡ଼ିଶା ସଂସ୍କରଣର ମୁଖ୍ୟ ଗୌତମ ଶଙ୍କର ସ୍ବାଇଁଙ୍କ ମାର୍ଗଦର୍ଶନରେ ଏବଂ ସଂପାଦନା ବିଭାଗ ମୁଖ୍ୟ ସୁଦାମବନ୍ଧୁ ଭଟ୍ଟମିଶ୍ରଙ୍କ ତତ୍ତ୍ବାବଧାନରେ ଆୟୋଜିତ ସାରେଗାମା ପ୍ରତିଯୋଗିତାରେ ବିଚାରକ ଭାବେ ସଂଗୀତ ନିର୍ଦେଶକ ଉଜ୍ଜ୍ବଳ ଚାନ୍ଦ, କଣ୍ଠଶିଳ୍ପୀ ସୁଜିତ ଭୋଇ ଏବଂ କଣ୍ଠଶିଳ୍ପୀ ସୁଦୀପ୍ତା ଦାସ ଯୋଗଦେଇଥିଲେ। ସେମାନେ ପ୍ରତିଯୋଗୀ ଗାଇଥିବା ଗୀତର ପ୍ରଶଂସା କରିବା ସହ ଭଲ ଗୀତ ପରିବେଷଣର ବିଭିନ୍ନ ‌କଳା ଶିଖାଇଥିଲେ।
‘ସମ୍ବାଦ’ ଓ ‘ରେଡିଓ ଚକୋଲେଟ୍‌’ ଜୋନ୍‌ସ୍ତରୀୟ ସାରେଗାମା ପ୍ରତିଯୋଗିତା ପାଇଁ ପ୍ରତିଯୋଗୀଙ୍କ ମଧ୍ୟରେ ବିପୁଳ ଉତ୍ସାହ ଦେଖିବାକୁ ମିଳିଥିଲା। ନିର୍ଦ୍ଧାରିତ ସମୟରେ ସମସ୍ତେ ନାମ ପଞ୍ଜୀକରଣ କରିଥିଲେ ଏବଂ ପ୍ରତିଯୋଗିତା ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଥିଲେ।

ସମ୍ବନ୍ଧିତ ଖବର