ସାରେଗାମାରେ ସୁପାଲି ପ୍ରଥମ

ଭୁବନେଶ୍ୱର : ମିଠେ ବୋଲ୍‌ ବୋଲ୍‌…, ଦୁଲ୍‌ହେ କା ସେହେରା ସୁହାନା ଲଗ୍‌ତା ହୈ…, ଜହ୍ନ ଗୋ ତୁମେ ଝୁରନା… ଆଦି ସଙ୍ଗୀତ ଜୟଦେବ ଭବନ ପ୍ରେକ୍ଷାଳୟରୁ ଭାସି ଆସୁଥିଲା। ସ୍ୱରର ମହାସଂଗ୍ରାମ ଚାଲିଥିଲା ପ୍ରତିଯୋଗୀଙ୍କ ମଧ୍ୟରେ। ଶାସ୍ତ୍ରୀୟ ସଙ୍ଗୀତ ପୁଣି ଭଜନ, କେବେ କୃଷ୍ଣ ପୁଣି କେବେ ଆଲ୍ଲା। କେ‌ବେ ‌ପ୍ରେମ ତ କେବେ ପ୍ରଣୟ। ଏମିତି ସଂଗୀତର ସ୍ୱର‌ର ଝଙ୍କାରରେ ମନ୍ତ୍ରମୁଗ୍ଧ ହେଉଥିଲେ ଶ୍ରୋତା। ଚିରସବୁଜ ଗୀତର ମଧୁମୟ ଆସରରେ ବେଶ୍‌ ଜମିଥିଲା ପ୍ରେକ୍ଷାଳୟ ପରିସର। ଅବକାଶ ଥିଲା ‘ସମ୍ବାଦ’ର ୩୪ତମ ବାର୍ଷିକ ଉତ୍ସବର ଅବ୍ୟବହିତ ପୂର୍ବରୁ ‘ସମ୍ବାଦ’ ଓ ‘ରେଡିଓ ଚକ୍‌ଲେଟ୍‌’ ପକ୍ଷରୁ ଆୟୋଜିତ ରାଜ୍ୟସ୍ତରୀୟ ସ˚ଗୀତ ପ୍ରତିଯୋଗିତା ‘ସାରେଗାମା’। ଏହି ମହାସଂଗ୍ରାମର ପ୍ରଥମ ହୋଇଥିଲେ ବାଲେଶ୍ୱରସ୍ଥିତ ଗୁରୁଜୀ ହରେକୃଷ୍ଣ ବେହେରା ମହାବିଦ୍ୟାଳୟର ଛାତ୍ରୀ ସୁପାଲି ମହାପାତ୍ର। ଖଲ୍ଲିକୋଟ ଜୁନିୟର ମହାବିଦ୍ୟାଳୟର ଛାତ୍ରୀ ସାଇନା ରଥ ଦ୍ବିତୀୟ ଓ ସମ୍ବଲପୁର ବିଶ୍ୱବିଦ୍ୟାଳୟ, ବୁର୍ଲାର ଛାତ୍ର ସୋମ୍‌ ପଣ୍ଡା ତୃତୀୟ ସ୍ଥାନ ଅଧିକାର କରିଛନ୍ତି।

ପ୍ରତିଯୋଗିତାରେ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ଆସିଥିବା ୨୭ଜଣ ଯୁବ କଣ୍ଠଶିଳ୍ପୀ ସେମାନଙ୍କ ପ୍ରତିଭାର ପ୍ରଦର୍ଶନ କରିଥିଲେ। ସମ୍ବଲପୁର, ରାଉରକେଲା, ଅନୁଗୁଳ, ବାଲେଶ୍ବର, ବ୍ରହ୍ମପୁର, ଜୟପୁର, କଟକ, ଯାଜପୁର ଓ ଭୁବନେଶ୍ୱର ଆଦି ୯ଟି ସ୍ଥାନରେ ହୋଇଥିବା ଜୋନ୍‌ସ୍ତରୀୟ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀମାନେ ଆଜିର ଚୂଡ଼ାନ୍ତ ପର୍ଯ୍ୟାୟରେ ଭାଗ ନେଇଥିଲେ।

ଓଡ଼ିଆ ସ˚ଗୀତ ଜଗତର ଲବ୍ଧପ୍ରତିଷ୍ଠିତ କଣ୍ଠଶିଳ୍ପୀ ପ୍ରଣବ ପଟ୍ଟନାୟକ, ଗୀତା ପଟ୍ଟନାୟକ ଓ ପଙ୍କଜ ଜାଲ୍ ପ୍ରମୁଖ ବିଚାରକ ଭାବେ ଯୋଗ ଦେଇଥିଲେ। ବାଦ୍ୟଯନ୍ତ୍ରରେ ସହଯୋଗ କରିଥିଲେ ଅଜୟ ଚୌଧୁରୀ (ତବଲା), ଆଲୋକ କୁମାର ପୃଷ୍ଟି (ଅକ୍ଟୋପ୍ୟାଡ୍‌), ଚିତ୍ତର˚ଜନ ପ୍ରଧାନ(କି-ବୋର୍ଡ) ଏବ˚ ରମେଶ କୁମାର (କି-ବୋର୍ଡ)। କାର୍ଯ୍ୟକ୍ରମ ସ˚ଚାଳନ କରିଥିଲେ ଆର‌୍‌ ଜେ ଅନିଲ୍‌ ଓ ଆର‌୍‌ଜେ କୋମଲ୍‌। କୃତୀ ପ୍ରତିଯୋଗୀଙ୍କୁ ଆସନ୍ତାକାଲି ‘ସମ୍ବାଦ’ର ବାର୍ଷିକ ଉତ୍ସବ ଅବସରରେ ପୁରସ୍କୃତ କରାଯିବ।

ଓଡ଼ିଶାର ଯୁବପିଢ଼ିଙ୍କ ପାଇଁ ଏକ ବଡ଼ ମଞ୍ଚ
ପିଲା ଦିନୁ ମୁଁ ଗୀତ ଗାଏ। ‘ପ୍ରାର୍ଥନା ପ୍ରତିଭା’ ପ୍ରତିଯୋଗିତାରେ ମଧ୍ୟ ମୁଁ ପ୍ରଥମ ହୋଇଥିଲି। କିନ୍ତୁ ଏତେ ବଡ଼ ମଞ୍ଚ ମୋ ଜୀବନର ପ୍ରଥମ ଥିଲା। ରାଜ୍ୟସ୍ତରର ସମସ୍ତ ବଛାବଛା ୨୭ ଜଣଙ୍କୁ ନେଇ ହୋଇଥିବା ଏହି ପ୍ରତିଯୋଗିତା ମୋତେ ଓଡ଼ିଶାର ପ୍ରତିଭା ସହ ଅବଗତ କରାଇଛି। ସମସ୍ତେ ଜଣକରୁ ବଳି ଜଣେ ଥିଲେ। ‘ସମ୍ବାଦ’ ଏଭଳି ଏକ ପ୍ରତିଯୋଗିତାର ଆୟୋଜନ କରି ଯୁବପିଢ଼ିଙ୍କୁ ଓ ଓଡ଼ିଶାର ପ୍ରତିଭାକୁ ଯେଉଁ ସୁଯୋଗ ଦେଉଛି, ତାହା ନିହାତି ପ୍ରଶଂସନୀୟ।
ସୁପାଲି ମହାପାତ୍ର, ପ୍ରତିଯୋଗୀ

ବହୁତ କିଛି ଶିଖିବାକୁ ମିଳୁଛି
ଗତ ଦୁଇ ବର୍ଷ ହେଲା ମୁଁ ‘ସମ୍ବାଦ’ ସାରେଗାମା ପ୍ରତିଯୋଗିତାରେ ଭାଗ ନେଉଛି। ଏଠାରୁ ବହୁତ କିଛି ଶିଖିବାକୁ ମିଳୁଛି। ଆଜିର ପ୍ରତିଯୋଗିତା ବହୁତ କଡ଼ା ଥିଲା। ଲାଗୁଥିଲା ଏଠି ‌ଯେମିତି ପ୍ରତିଭାର ମହାସଂଗମ ଘଟିଛି। ‘ସମ୍ବାଦ’କୁ ଧନ୍ୟବାଦ ଆମକୁ ଏତେ ବଡ଼ ମଞ୍ଚ ଯୋଗାଇଥିବାରୁ।
ମୃଦୁଳା ଘୋ‌ଷ, ପ୍ରତିଯୋଗୀ, ସମ୍ବଲପୁର

ଆମ ପାଖକୁ କେହି ବି ଏଭଳି ମଞ୍ଚର ସୁଯୋଗ ଆଣି ନଥିଲେ
୨ ବର୍ଷ ଧରି ମୁଁ ଏହି ସାରେଗାମା ପ୍ରତି‌େଯାଗିତାରେ ଭାଗ ନେଉଛି। ବହୁତ ଭଲ ଲାଗୁଛି। ପୁଣି ବହୁତ ଲୋକଙ୍କ ସହ ମିଶିବାର ସୁଯୋଗ ମିଳୁଛି। ମୁଁ ନବରଙ୍ଗପୁରରୁ ଆସିଛି। ସେଠାରେ କେହି ବି ଏଭଳି ପ୍ରତିଯୋଗିତାର ଆୟୋଜନ କରି ଆମକୁ ସୁଯୋଗ ଦେବା କଥା କେବେ ଚିନ୍ତା କରିନାହାନ୍ତି। କିନ୍ତୁ ଆମ ପାଖରେ ‘ସମ୍ବାଦ’ ପହଞ୍ଚି ଏଭଳି ଏକ ମଞ୍ଚ ଯୋଗାଇ ଦେଇଥିବାରୁ ହୃଦୟରୁ କୃତଜ୍ଞତା ଜଣାଉଛି।
ରୋଶନ ସୁନା, ପ୍ରତିଯୋଗୀ

ଏଭଳି ପ୍ରତିଯୋଗିତାରେ ଭାଗ ନେଇ ଗର୍ବିତ
ପ୍ରଥମ ଥର ପାଇଁ ଏଭଳି ପ୍ରତିଯୋଗିତାରେ ଭାଗ ନେଇଛି। ଓଡ଼ିଶାର ବଛାବଛା ୨୭ ପିଲା କେହି କାହାଠୁ କମ୍‌ ନଥିଲେ। ଏମିତି ପିଲାଙ୍କ ଭିତରେ ଥିବାରୁ ଗର୍ବ ଅଭୁଭବ ହେଉଥିଲା। ଡର ବି ସେତିକି ଲାଗୁଥିଲା। ପୁଣି ବିଚାରକ ଭାବେ ଓଡ଼ିଶାର ପ୍ରତିଷ୍ଠିତ ସଙ୍ଗୀତଜ୍ଞଙ୍କ ଉପସ୍ଥିତି ପ୍ରତିଯୋଗିତାକୁ ଆହୁରି ଉପରସ୍ତରକୁ ନେଇଯାଇଛି।
ଆକାଶ ପଣ୍ଡା, ବାଲେଶ୍ୱର, ପ୍ରତିଯୋଗୀ

ସମ୍ବନ୍ଧିତ ଖବର