ଅବ୍ୟବସ୍ଥା ଘେରରେ ସରଗଡ଼ା ସରକାରୀ ଉଚ୍ଚବିଦ୍ୟାଳୟ ଛାତ୍ରୀନିବାସ

ପାଣି ପାଇଁ ଛାତ୍ରୀ ହଟହଟା, ଶୌଚ ପାଇଁ ଯାଉଛନ୍ତି ଜଙ୍ଗଲ

ବିଶୋଇ/ବିଜାତଳା: ଉପାନ୍ତ ଅଞ୍ଚଳର ଆଦିବାସୀ ଛାତ୍ରଛାତ୍ରୀମାନଙ୍କୁ ଉତ୍ତମ ଶିକ୍ଷା ବ୍ୟବସ୍ଥା ପ୍ରଦାନ କରି ସେମାନଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ କରିବା ପାଇଁ ସରକାରଙ୍କ ପକ୍ଷରୁ ବିଭିନ୍ନ ଯୋଜନା କାର୍ଯ୍ୟକାରୀ ହେଉଛି। ସ୍କୁଲ ପ୍ରତି ଆକୃଷ୍ଟ କରିବା ପାଇଁ ଛାତ୍ରଛାତ୍ରୀମାନଙ୍କ ଲାଗି ସରକାରଙ୍କ ପକ୍ଷରୁ ହଷ୍ଟେଲର ମଧ୍ୟ ବ୍ୟବସ୍ଥା କରାଯାଇଛି। ତେବେ ବିଜାତଳା ବ୍ଲକ ସରଗଡ଼ା ସରକାରୀ ଉଚ୍ଚବିଦ୍ୟାଳୟର ଛାତ୍ରୀନିବାସରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି। ଏହି ଛାତ୍ରୀନିବାସଟି ବର୍ତ୍ତମାନ ଅବ୍ୟବସ୍ଥା ଘେରରେ ଗତି କରୁଛି।

ସୂଚନାଥାଉକି, ୧୦୦ ଶଯ୍ୟା ବିଶିଷ୍ଟ ଏହି ଛାତ୍ରୀନିବାସରେ ବର୍ତ୍ତମାନ ପାଣି ମୁଖ୍ୟ ସମସ୍ୟା ପାଲଟିଛି। ଛାତ୍ରୀନିବାସରେ ବୋରୱେଲ ଥିଲେ ସୁଦ୍ଧା ଗତ ୨ ମାସ ହେଲା ଏହା ଅଚଳ ହୋଇପଡ଼ିଛି। ଫଳରେ ଛାତ୍ରୀମାନେ ସ୍କୁଲ ପରିସରରେ ଥିବା ପାଇପ ଜଳକୁ ଆଣି ନିଜର ନିତ୍ୟ ବ୍ୟବହାର୍ଯ୍ୟ କାର୍ଯ୍ୟରେ ଲଗାଉଛନ୍ତି। ସବୁଠୁ ବିଡ଼ମ୍ବନାର ବିଷୟ ହେଉଛି, ପାଣି ଅଭାବରୁ ଛାତ୍ରୀମାନେ ସକାଳେ ଶୌଚ ହେବା ପାଇଁ ବାଲତିରେ ପାଣି ଧରି ବିଦ୍ୟାଳୟ ନିକଟସ୍ଥ ଜଙ୍ଗଲକୁ ଯାଉଛନ୍ତି। ଯାହା ଫଳରେ ଛାତ୍ରୀମାନେ ନିଜକୁ ଅସୁରକ୍ଷିତ ମନେ କରୁଛନ୍ତି। ସେହିପରି ଛାତ୍ରୀନିବାସ ପରିସରରେ ଥିବା ଡ୍ରେନ୍‌ ପରିତ୍ୟକ୍ତ ଅବସ୍ଥାରେ ରହିଥିବାବେଳେ ପାଇଖାନା ଟାଙ୍କି ଜାମ୍‌ ହୋଇ ଅସ୍ବାସ୍ଥ୍ୟକର ପରିବେଶ ସୃଷ୍ଟି ହୋଇଛି। ସ୍ଥିତି ଏମିତି ଯେ, ଦୁର୍ଗନ୍ଧରେ ନାକ ଫାଟି ପଡୁଛି ହଷ୍ଟେଲ ପରିସର।

ଏହିଭଳି ଅନେକ ସମସ୍ୟା ଥିବାରୁ ହଷ୍ଟେଲରେ ରହି ପାଠ ପଢ଼ିବା ଛାତ୍ରୀମାନଙ୍କ ପକ୍ଷରେ କଷ୍ଟକର ବ୍ୟାପାର ହୋଇପଡ଼ିଛି। ଏ ସଂପର୍କରେ ଉଚ୍ଚବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ ହୀରାମଣି ହେମ୍ବ୍ରମ୍‌ଙ୍କ ସହ ଯୋଗା‌ଯୋଗ କରିବାରୁ ସେ କହିଲେ, ଏହି ସମସ୍ୟା ସଂପର୍କରେ ପୂର୍ବରୁ ବ୍ଲକ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀଙ୍କଠାରେ ଅଭିଯୋଗ କରାଯାଇଛି। ଅଭିଯୋଗ ପରେ ବୋରୱେଲକୁ ମରାମତି କରାଯାଇଥିଲେ ସୁଦ୍ଧା ବାରମ୍ବାର ଖରାପ ହୋଇପଡୁଛି। ପାଇଖାନା ଟାଙ୍କି ସଫା ନିମନ୍ତେ ରାଇରଙ୍ଗପୁର ପୌରପାଳିକା କର୍ତ୍ତୃପକ୍ଷଙ୍କୁ ଅବଗତ କରାଯାଇଛି। ହେଲେ ଏଯାବତ୍‌ ଏହାର ସମାଧାନ ହୋଇ ପାରିନାହିଁ। ବିଭାଗୀୟ କର୍ତ୍ତୃପକ୍ଷ ତୁରନ୍ତ ଏଥିପ୍ରତି ଧ୍ୟାନ ଦେଇ ଯଥାଶୀଘ୍ର ଏହାର ସମାଧାନ କରିବା ପାଇଁ ସ୍ଥାନୀୟ ଅଞ୍ଚଳବାସୀ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର