ସର୍ଗିପାଲି ଫମ୍ଫା ସୀସାଖଣି: ଭବିଷ୍ୟତ ବିପଦ ଆଶଙ୍କାରେ ଅଞ୍ଚଳବାସୀ

ଲେଫ୍ରିପଡ଼ା (ସୁନ୍ଦରଗଡ଼) : ଖଣି ବିଭାଗର ଅବହେଳା ଯୋଗୁ ହିନ୍ଦୁସ୍ଥାନ ଜିଂକ୍ ଲିଃ ଦ୍ୱାରା ପରିଚାଳିତ ସର୍ଗିପାଲି ସୀସାଖଣି ୨୦୦୦ ମସିହାରେ ବନ୍ଦ ଘୋଷଣା କରିଥିଲା। ସ୍ଥାନୀୟ ସ୍ଥାବର ସଂପତ୍ତି ସବୁ ରାଜ୍ୟ ସରକାରଙ୍କୁ ହସ୍ତାନ୍ତର କରି କଂପାନି ପ୍ରକଳ୍ପର ଶ୍ରମିକମାନଙ୍କୁ ମୋଟା ଅର୍ଥ ଦେଇ ପ୍ରକଳ୍ପକୁ କ୍ଷତିଗ୍ରସ୍ତ ଖଣି ଭାବେ ଦର୍ଶାଇ ଚାଲି ଯାଇଥିଲା। ସେତେବେଳେ ଏକ ବଡ଼ ଧରଣର କିକ୍ ବ୍ୟାକ୍ କାରବାର ମଧ୍ୟ ହୋଇଥିବା ଅଭିଯୋଗ ଉଠିଥିଲା। ଅଞ୍ଚଳରେ ଉପଯୁକ୍ତ ନେତୃତ୍ୱର ଏବଂ ରାଜନୈତିକ ଇଚ୍ଛାଶକ୍ତି ଅଭାବ ଯୋଗୁ କମ୍ପାନି ନିର୍ବିଘ୍ନରେ ଖଣି ପ୍ରକଳ୍ପକୁ ବନ୍ଦ କରିଦେଲା। ଏଠାରେ ବହୁ ପରିମାଣର ଖଣିଜ ମହଜୁଦ ରହିଯାଇ ଥିଲେ ସୁଦ୍ଧା ସରକାରଙ୍କ ଅବହେଳା ତଥା ଖଣି ବିଭାଗର ଖାମଖିଆଲି କାରବାର ପାଇଁ ରାଜ୍ୟର ଏକମାତ୍ର ସୀସାଖଣି ସବୁଦିନ ପାଇଁ ବନ୍ଦ ହୋଇଗଲା। ଏହାଦ୍ୱାରା ଅଞ୍ଚଳରେ ବେକାରି, ଦାରିଦ୍ର‌୍ୟ, ଅସାମାଜିକ କାର୍ଯ୍ୟକଳାପ ବୃଦ୍ଧି ପାଇଛି। ଏଭଳିକି କଂପାନିର ଅନେକ ସ୍ଥାବର ଓ ଅସ୍ଥାବର ସଂପତ୍ତି ରାଜ୍ୟ ସରକାରଙ୍କୁ ହସ୍ତାନ୍ତର କରାଯାଇଥିଲେ ହେଁ ସରକାର ତା’ର ସୁରକ୍ଷା ଓ ସଦ୍‌ବିନିଯୋଗ କରିବାରେ ବିଫଳ ହେବା ସଂଗେ ସଂଗେ ପ୍ରକଳ୍ପର କୋଟି କୋଟି ଟଙ୍କାର ସଂପତ୍ତି ଚୋରିହେବା ଉଦ୍‌ବେଗର ବିଷୟ। ଖଣି ଓ ଶିଳ୍ପାୟନକୁ ବିଶେଷ ଗୁରୁତ୍ୱ ଦେଇ ଆସୁଥିବା ରାଜ୍ୟ ସରକାରଙ୍କ ଏଭଳି ଅପରିଣାମଦର୍ଶିତାକୁ ନେଇ ବୁଦ୍ଧିଜୀବୀ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇବା ସଙ୍ଗେ ସଙ୍ଗେ ଭବିଷ୍ୟତରେ ବିପଦର ଆଶଙ୍କା ପ୍ରକଟ କରାଯାଇଥିଲା।

୬୦ ଦଶକରେ ସର୍ଗିପାଲି ଅଞ୍ଚଳରେ ପ୍ରାୟ ଶହେ ବର୍ଗ କି.ମି. ସର୍ବେକ୍ଷଣ କରାଯାଇ ସୀସାପଥରର ଏକ ସ୍ତର ଏକାନ୍ତ ଭାବେ ସ୍ଥାନୀୟ ଲୋକଡ଼େଗାଠାରୁ ଲେଫ୍ରିପଡ଼ା ପର୍ଯ୍ୟନ୍ତ ସୁଦୀର୍ଘ ୩୫ କି.ମି.ରହିଥିବା ଜଣା ପଡ଼ିଥିଲା। ସେଠାରେ ୫.୭୭ ପ୍ରଶିଶତ ସୀସା ବିଶିଷ୍ଟ ୬.୨ ନିୟୁତ ଟନ୍ ପରିମାଣର ଖଣିଜପଥର ଗଚ୍ଛିତ ହୋଇ ରହିଥିବା ଆକଳନ କରାଯାଇଥିଲା। ସେତେବେଳେ ଖଣି ପ୍ରକଳ୍ପ ଇଲାକାରେ ଭୂନିମ୍ନ ଭାଗର ୨୨୦ ମିଟର ଆର୍‌.ଏଲ୍‌. ଓ ୬୦ ମିଟର ଆର୍‌.ଏଲ୍‌. ମଧ୍ୟଭାଗରେ ତଥା ଭୂପୃଷ୍ଠର ପ୍ରାୟ ୨୦ରୁ ୧୮୦ ମିଟର ଗଭୀରତା ମଧ୍ୟରେ ଏହି ସୀସାପଥର ଗଚ୍ଛିତ ରହିଥିବା ପ୍ରମାଣିତ ହୋଇଥିଲା। ୧୯୭୪ ମସିହାରେ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ହିନ୍ଦୁସ୍ଥାନ ଜିଂକ୍ ଲିଃ ଏଠାରେ ଖଣି ଉତ୍ତୋଳନ ନିମିତ୍ତ ରାଜ୍ୟ ସରକାରଙ୍କଠାରୁ ୫୦୦ ହେକ୍ଟର ଜମି ୨୦ ବର୍ଷ ପାଇଁ ଲିଜ୍‌ସୂତ୍ରରେ ନେଇ କାର୍ଯ୍ୟ ଆରମ୍ଭ କରିଥିଲେ। ୧୯୭୫ରେ ପ୍ରସ୍ତୁତ ଏକ ପ୍ରାଞ୍ଜଳ ପ୍ରକଳ୍ପ ରିପୋର୍ଟ ଅନୁସାରେ ୨ ପ୍ରତିଶତ କଟ୍ ଅଫ୍ ଗ୍ରେଡ୍‌ରେ ପ୍ରତ୍ୟହ ୭୫୦ ଟନ୍ ଉତ୍ପାଦନ କ୍ଷମତାକୁ ନେଇ ଏଠାରେ ୪.୬୩ ପ୍ରତିଶତ ସୀସା ଧାତୁ ବିଶିଷ୍ଟ ୪.୦୧ ନିୟୁତ ଟନ୍‌ ଖଣିଜପଥର ରହିଥିବା ଦର୍ଶାଗଲା। କିନ୍ତୁ କଂପାନି କର୍ତ୍ତୃପକ୍ଷ ପରେ ଏହି ପ୍ରକଳ୍ପ ଲାଭଜନକ ହୋଇ ନ ଥିବା ଦର୍ଶାଇବାରୁ ପୁଣି ଆକଳନ କରାଯାଇ ପ୍ରତ୍ୟହ ୫୦୦ ଟନ୍ ଉତ୍ପାଦନ ହିସାବରେ ଏଠାରେ ୭.୪୯ ପ୍ରତିଶତ ସୀସା ଧାତୁ ବିଶିଷ୍ଟ ୨.୧୭ ନିୟୁତ ଟନ୍ ଖଣିଜପଥର ରହିଥିବା ଧାର୍ଯ୍ୟ କରାଗଲା।

୧୯୭୨ ମସିହା ୨୧ ନଭେମ୍ବରରେ କେନ୍ଦ୍ର ଖଣିମନ୍ତ୍ରୀ ଏହି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ୧୯୭୮ ବର୍ଷରୁ ଏହି ପ୍ରକଳ୍ପରେ ପରୀକ୍ଷାମୂଳକ ଭାବେ ଖଣିଜ ଉତ୍ପାଦନ ଆରମ୍ଭ କରାଯାଇଥିବା ବେଳେ ୧୯୮୦ ମସିହାରେ ୨.୬୩ ନିୟୁତ ଟନ୍ ସୀସାପଥର ଗଚ୍ଛିତ ଥିବା ପୁଣି ଆକଳନ କରାଯାଇ ଥିଲା ଏବଂ ସେହିବର୍ଷ କେନ୍ଦ୍ର ଖଣିମନ୍ତ୍ରୀ ପ୍ରକଳ୍ପକୁ ଉଦ୍‌ଘାଟନ କରିଥିଲେ। ୧୯୮୩ ବର୍ଷରୁ ନିୟମିତ ଭାବେ ଖଣିଜ ଉତ୍ତୋଳନ କରାଯିବା ସହିତ ପ୍ରକଳ୍ପରେ ଏକ ସୀସା ବିଶୋଧନାଗାର ସ୍ଥାପନ କରାଯାଇ କଞ୍ଚା ଖଣିଜପଥରକୁ ଏଠାରେ ଗୁଣ୍ଡ କରିବା ସଂଗେ ସଂଗେ ବିଶୋଧନ କରି ଧାତବପିଣ୍ଡକୁ ରାଜ୍ୟ ବାହାରକୁ ପଠାଗଲା। ତେବେ ୧୯୭୮ରୁ ୨୦୦୦ ମଧ୍ୟରେ ଏହି ପ୍ରକଳ୍ପରୁ ପ୍ରାୟ ୧.୧୪ ନିୟୁତ ଟନ୍ ସୀସାପଥର ଉତ୍ତୋଳିତ ହୋଇଥିବା ବେଳେ ତନ୍ମଧ୍ୟରୁ ୬୧.୫ ପ୍ରତିଶତ ସୀସା ଉତ୍ପାଦିତ ହୋଇପାରିଛି। ହେଲେ କଂପାନି କର୍ତ୍ତୃପକ୍ଷ ଅତି ଖାମଖିଆଲି ଭାବେ ଖଣିଟିକୁ କ୍ଷତିଗ୍ରସ୍ତ ଦର୍ଶାଇ ୨୦୦୦ରେ ବନ୍ଦ ଘୋଷଣା କରିଦେଲେ। କିନ୍ତୁ କଂପାନିର ନିଜସ୍ୱ ଆକଳନ ମୁତାବକ ୨.୦୬ ନିୟୁତ ଟନ୍ ସୀସାପଥର ଖଣିରେ ମହଜୁଦ ଥିବା ଜଣାପଡ଼ିଥିବା ବେଳେ ଏବେ ବି ଆହୁରି ପ୍ରାୟ ୩.୬ ଲକ୍ଷ ଟନ୍ ସୀସା ପଥର ଅଣଉତ୍ତୋଳିତ ହୋଇ ରହିଯାଇଛି।

ଅପରପକ୍ଷରେ ଖଣିର ମୁହଁକୁ ଲୁହା ପ୍ଲେଟ୍ ସାହାଯ୍ୟରେ ବନ୍ଦ କରି ହିନ୍ଦୁସ୍ଥାନ ଜିଂକ୍ ଚାଲିଯାଇଥିଲା। ଏଠାରେ ଆହୁରି ଖଣିଜ ମହଜୁଦ ରହିଥିବା ଦୃଷ୍ଟିରୁ ଭବିଷ୍ୟତରେ ଉତ୍ତୋଳନ କରାଯିବାର ଆଶା ରଖାଯାଇ ଖଣିକୁ ବାଲି ଫିଲିଂ କରାଯାଇ ନ ଥିବା ନେଇ ସେତେବେଳେ କମ୍ପାନିର ଜନୈକ ଅଧିକାରୀ ଗଣମାଧ୍ୟମରେ ପ୍ରକାଶ କରିଥିଲେ। ତେବେ ଅଗଭୀର ଫମ୍ଫାଖଣିଟି ଏବେ ଦୀର୍ଘ ୨୨ ବର୍ଷ ହେବ ପଡ଼ିରହିଛି। ଏନେଇ ବାରମ୍ବାର ବିଭିନ୍ନ ଗଣମାଧ୍ୟମରେ ସମ୍ବାଦ ମଧ୍ୟ ପ୍ରକାଶ ପାଇବା ସହ ଅଞ୍ଚଳବାସୀ ନିଜର ଆଶଙ୍କା ଓ ଉଦ୍‌ବେଗ ପ୍ରକଟ କରି ଆସୁଛନ୍ତି। ଏଭଳି କି ପୁନରୁତ୍ତୋଳନ ନେଇ ସରକାର ଆଉ ଚିନ୍ତା କରି ନ ଥିବା ବେଳେ ଫିଲିଂ ମଧ୍ୟ ନ କରିବା ପରିତାପର ବିଷୟ। କେତେବେଳେ କେଉଁ ଅଘଟଣ ଘଟିବ କହିହେଉନି। ଏଣୁ ସ୍ଥାନୀୟ ଲୋକଙ୍କ ବିପଦ ଆଶଙ୍କାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପଦକ୍ଷେପ ଗ୍ରହଣ କରିବାକୁ ଦାବି ହେଉଛି।

ସମ୍ବନ୍ଧିତ ଖବର