ବାଲେଶ୍ବର : ହାତୀ କରିଡର୍ ଅଞ୍ଚଳରେ ପଥର ଖାଦାନ କାର୍ଯ୍ୟ ବନ୍ଦ ରଖ। ଇକୋ ସେନ୍ସିଟିଭ୍ ଜୋନ୍ରେ ଏଭଳି କାର୍ଯ୍ୟ କରାଯାଇପାରିବନି ବୋଲି ସ୍ପଷ୍ଟ କରିଛନ୍ତି ଜାତୀୟ ଗ୍ରୀନ୍ ଟ୍ରିବ୍ୟୁନାଲ୍। ବାଲେଶ୍ୱର ଜିଲ୍ଲା ଖଇରା ତହସିଲର ଶାରୀଶୁଆ ଗାଁ ପଥର ଖଣି ଲିଜ୍ ଅନୁମୋଦନ ପ୍ରସଙ୍ଗରେ ଏଭଳି ରାୟ ଶୁଣାଇଛନ୍ତି ଏନ୍ଜିଟି।
ରୁରାଲ୍ ଅର୍ଗାନାଇଜେସନ୍ ଫର୍ ସୋସିଆଲ୍ ଏମ୍ପାୱାରମେଣ୍ଟ ଓ ଆସୋସିଏଟେଡ୍ ସୋସିଆଲ୍ ସର୍ଭିସ୍ ଏଜେନ୍ସି ପକ୍ଷରୁ ଖଣି ଲିଜ୍ ବିରୋଧରେ ଏନ୍ଜିଟିରେ ଆବେଦନ କରାଯାଇଥିଲା। ଆବେଦନରେ ଦର୍ଶାଯାଇଥିଲା କି ସଂପୃକ୍ତ ପଥର ଖଣି କୁଲଡ଼ିହା ଅଭୟାରଣ୍ୟ ମଧ୍ୟରେ ଆସୁଛି। ତେଣୁ ସେଠାରେ ପଥର ଖନନ ବନ୍ୟଜନ୍ତଙ୍କୁ ପ୍ରତି ବିପଦ ସୃଷ୍ଟି କରିବ। କେବଳ ସେତିକି ନୁହେଁ, ଏହା ଶିମିଳିପାଳ-ହଦଗଡ଼-କୁଲଡିହା ଅନ୍ତଃଜିଲ୍ଲା ବନ୍ୟପ୍ରାଣୀ କରିଡର୍ ଅନ୍ତର୍ଗତ ଏକ ଗୁରୁତ୍ୱପୂର୍ଣ୍ଣ ଅଞ୍ଚଳ। ପ୍ରାକୃତିକ ଜଳ ଉତ୍ସ ସହ ହାତୀଙ୍କ ଚଲାବାଟ ମଧ୍ୟ। ଏହାକୁ ଦୃଷ୍ଟିରେ ରଖି ଏନ୍ଜିଟି ପିସିସିଏଫ୍ଙ୍କୁ ଏ ସଂପର୍କରେ ଅନୁଧ୍ୟାନ କରି ରିପୋର୍ଟ ଦେବାକୁ କହିଥିଲେ। ରିପୋର୍ଟରେ ଏହା ସ୍ପଷ୍ଟ ହୋଇଥିଲା ୮୬ଟି ପଥର ଖାଦାନ ହାତୀ କରିଡର୍ ସଂଲଗ୍ନ ଅଞ୍ଚଳରେ ରହିଛି।
ସୂଚନାଯୋଗ୍ୟ, ବାଲେଶ୍ବର ଜିଲ୍ଲା ନୀଳଗିରି ଅନ୍ତର୍ଗତ କୁଲଡ଼ିହା ଅଭୟାରଣ୍ୟ ୨୭୨.୭୫ ବର୍ଗ କିଲୋମିଟର ଅଞ୍ଚଳ ଯାଏ ପରିବ୍ୟାପ୍ତ। ବିେଶଷ କରି ଏଠାରେ ରହୁଥିବା ୧୦୦ରୁ ଉର୍ଦ୍ଧ୍ବ ହାତୀ ପୂର୍ବରୁ ଶିମିଳିପାଳ ଅଭୟାରଣ୍ୟ ଅଞ୍ଚଳକୁ ମୁକ୍ତ ଭାବେ ଆତଯାତ ହେଉଥିଲେ। ତେବେ ୧୯୯୦ ମସିହାରେ ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ନିକଟରେ ସୁନେଇ ଡ୍ୟାମ୍ ନିର୍ମାଣ ତଥା ଏହାର ଆଖପାଖରେ ବିସ୍ଥାପନ ଓ ଜବରଦଖଲ ହେବା ଫଳରେ ହାତୀଙ୍କ ଶିମିଳିପାଳ ଚଲାବାଟ ବନ୍ଦ ହୋଇଯାଇଛି। ବର୍ତମାନ କେନ୍ଦୁଝର ଜିଲ୍ଲା ହାଟଡ଼ିହି ବ୍ଲକର ହଦଗଡ଼ ଅଭୟାରଣ୍ୟକୁ ଯେଉଁ ହାତୀ ଚଲାପଥ ବା କରିଡର୍ ରହିଛି, ସେହି ଅଞ୍ଚଳ ଉପରେ ମଧ୍ୟ ପଥର ମାଫିଆଙ୍କ ନଜର ପଡ଼ିଛି।
ଏହାଦ୍ବାରା ହାତୀମାନଙ୍କ ବିଚରଣରେ ବ୍ୟାଘାତ ସୃଷ୍ଟି ସହ ପ୍ରାକୃତିକ ବାସସ୍ଥାନ ପ୍ରଭାବିତ ହେବ ବୋଲି ବନ୍ୟପ୍ରେମୀ ଅଭିଯୋଗ କରି ଏ ନେଇ ଏନ୍ଜିଟିରେ ଫେରାଦ ହୋଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/10/ngt.jpg)