ବାଲେଶ୍ବରରେ ସାର୍କ ଦିବସ ପାଳିତ, ‘ନୀଳରକ୍ତ କଙ୍କଡ଼ାକୁ ଜୈବ ଐତିହ୍ୟ ଘୋଷଣା କରାଯାଉ’

ରେମୁଣା: ବାଲେଶ୍ବର ସହର ଉପକଣ୍ଠ ନୋସି ଉତ୍କଳା ମୁକ୍ତମଞ୍ଚରେ ନୋସି କଲ୍‌ଚ୍ୟୁରାଲ୍‌ ଏକାଡେମି ଓ କନ୍ୟା ଅନ୍‌ମୋଲ୍‌ ଦ୍ବାରା‌ ସାର୍କ ଦିବସ ପାଳନ ହୋଇଛି। ଗୋବିନ୍ଦ ବଲ୍ଲଭ ଦଳାଇଙ୍କ ତତ୍ତ୍ବାବଧାନରେ ଅନୁଷ୍ଠିତ ଏକ ଆଲୋଚନାଚକ୍ରରେ ମୁଖ୍ୟ ଅତିଥି ଭାବେ ଡ. ରବି ନାରାୟଣ ଦାସ ଯୋଗଦେଇ ସାର୍କ ଦିବସର ଗୁରୁତ୍ବ ବର୍ଣ୍ଣନା କରିବା ସହ ନୀଳରକ୍ତ କଙ୍କଡ଼ାକୁ ଜୈବ ଐତିହ୍ୟ ରୂପେ ଓଡ଼ିଶା ସରକାର ଘୋଷଣା କରନ୍ତୁ ବୋଲି ଦାବି କରିଥିଲେ। ଫକୀରମୋହନ ବିଶ୍ବବିଦ୍ୟାଳୟ ଜୈବ ବିଜ୍ଞାନ ପ୍ରଯୁକ୍ତି ବିଭାଗର ପ୍ର‌େଫସର ଡ. ବିଷ୍ଣୁ ପ୍ରସାଦ ଦାସ, ସିଦ୍ଧେଶ୍ବର ମହାବିଦ୍ୟାଳୟର ଅଧ୍ୟାପକ ଗୋବିନ୍ଦ ଚନ୍ଦ୍ର ବିଶ୍ବାଳ ଓ ଏବିସିର ମୁଖ୍ୟ ଡ. ସିଦ୍ଧାର୍ଥ ପତି ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ଏହି ଅବସରରେ ପ୍ରଥମ ଥର ପାଇଁ କବି ସୁଧାକର ସେଠୀଙ୍କ ସଂଯୋଜନାରେ ନୀଳରକ୍ତ କଙ୍କଡ଼ା ଆଧାରିତ କବିତା ଆସର ଆୟୋଜିତ ହୋଇଥିଲା।ସେହିପରି ଆସୋସିଏସନ୍‌ ଫର୍‌ ବାୟୋ ଡାଇଭର୍ସିଟି କଞ୍ଜର୍ଭେସନ୍‌ ପକ୍ଷରୁ ନୀଳରକ୍ତ କଙ୍କଡ଼ା ଆଧାରିତ ଚିତ୍ରକଳା ପ୍ରତିଯୋଗିତା ମଧ୍ୟ ହୋଇଥିଲା। ଏଥିରେ ଅଂଶଗ୍ରହଣ କରିଥିବା ପ୍ରତିଯୋଗୀଙ୍କ ମଧ୍ୟରୁ କୃତିତ୍ବ ହାସଲ କରିଥିବା ବିନ୍ଦୁ ସୁକେଶିନୀ ଦାସ, ବର୍ଣ୍ଣାଳି ଘଢ଼େଇ, ନମିତା ମହନ୍ତ, ଗାୟତ୍ରୀ ମହାକୁଡ଼ ଓ ଶିବୁ ସିଂଙ୍କ ପୁରସ୍କାର ପ୍ରଦାନ କରାଯାଇଥିଲା। ଏହାସହ ପ୍ରିତମ ନାୟକ, କେଶୁ ଦାସ ଓ ଦେବାଶିଷ ପତିଙ୍କ ଚିତ୍ରକଳା ପ୍ରଦର୍ଶନୀ ମଧ୍ୟ ହୋଇଥିଲା। ସମାଜସେବୀ ବିଜୟ କୁମାର ଆଚାର୍ଯ୍ୟ ତଥା ଅନ୍ୟମାନଙ୍କ ଦ୍ବାରା ସମସ୍ତ କାର୍ଯ୍ୟକ୍ରମ ପରିଚାଳିତ ହୋଇଥିଲା।

ସମ୍ବନ୍ଧିତ ଖବର