ଭୁବନେଶ୍ବର: ସୂଚନା ଓ ଲୋକସମ୍ପର୍କ ବିଭାଗର ନିର୍ଦ୍ଦେଶକ ଭାବେ ସରୋଜ ସାମଲଙ୍କୁ ନିଯୁକ୍ତି ଦିଆଯାଇଛି। ଶ୍ରୀ ସାମଲ ପୂର୍ବରୁ ଝାରସୁଗୁଡ଼ା ଜିଲ୍ଲାପାଳ ଥିଲେ। ଝାରସୁଗୁଡ଼ା ଉପନିର୍ବାଚନ ପରିପ୍ରେକ୍ଷୀରେ ତାଙ୍କର ସେଠାରୁ ବଦଳି ହୋଇଥିଲା। ବର୍ତ୍ତମାନର ସୂଚନା ଓ ଲୋକସମ୍ପର୍କ ନିର୍ଦ୍ଦେଶକ ଇନ୍ଦ୍ରମଣି ତ୍ରିପାଠୀଙ୍କୁ ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ବିଭାଗର ଅତିରିକ୍ତ ସଚିବ ଭାବେ ବଦଳି କରାଯାଇଛି। ସେ ଅନୁସୂଚିତ ଜାତି ଓ ଜନଜାତି ଗବେଷଣା ଓ ତାଲିମ ପ୍ରତିଷ୍ଠାନର ନିର୍ଦ୍ଦେଶକ ଭାବେ ଅତିରିକ୍ତ ଦାୟିତ୍ବ ତୁଲାଇବେ। ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଆଜି ଏ ସଂକ୍ରାନ୍ତରେ ବିଜ୍ଞପ୍ତି ଜାରି ହୋଇଛି।
ନୂଆ ନିଯୁକ୍ତି ପରେ ଶ୍ରୀ ସାମଲ ଆଜି ପୂର୍ବତନ ନିର୍ଦ୍ଦେଶକ ଇନ୍ଦ୍ରମଣି ତ୍ରିପାଠୀଙ୍କ ଠାରୁ ଦାୟିତ୍ବ ଗ୍ରହଣ କରିଛନ୍ତି। ବିଭାଗ ତରଫରୁ ଯୁଗ୍ମ ଶାସନ ସଚିବ ବିଷ୍ଣୁପ୍ରିୟା ସାହୁ ତାଙ୍କୁ ସ୍ବାଗତ କରିଥିଲେ। ଏହି ଅବସରରେ ଶ୍ରୀ ସାମଲ କହିଥିଲେ, ସୂଚନା ଓ ଲୋକସମ୍ପର୍କ ବିଭାଗ ରାଜ୍ୟ ସରକାରଙ୍କ ମୁଖପତ୍ର ସଦୃଶ। ବିଭିନ୍ନ ବିଭାଗର ଯୋଜନା ଓ କାର୍ଯ୍ୟକ୍ରମଗୁଡ଼ିକୁ ଏହି ବିଭାଗ ପ୍ରଚାର କରି ସରକାରଙ୍କ ଭାବମୂର୍ତ୍ତି ଗଠନରେ ଏକ ପ୍ରମୁଖ ଭୂମିକା ନିର୍ବାହ କରିଥାଏ। ୫-ଟି ମନ୍ତ୍ର ଆଧାରରେ ବିଭାଗର ଗୌରବ ବୃଦ୍ଧି କରିବାକୁ ସେ ସମସ୍ତଙ୍କ ସହଯୋଗ କାମନା କରିଥିଲେ। ଏହି କାର୍ଯ୍ୟକ୍ରମକୁ ବିଭାଗର ନିର୍ଦ୍ଦେଶକ(ବୈଷୟିକ) ସୁରେନ୍ଦ୍ରନାଥ ପରିଡ଼ା ସଂଯୋଜନା କରିଥିଲେ।