ଅନୁଗୁଳ: ଢେଙ୍କାନାଳ ଜିଲ୍ଲାପାଳ ଥିବା ସରୋଜ ସେଠୀଙ୍କୁ ନେଇ ଚର୍ଚ୍ଚା ଥମିବାର ନାଁ ଧରୁନାହିଁ। ନୀଳଗିରି ନବଯୌବନ ସନ୍ଧ୍ୟାର ସଭାପତି ଥିବା ସରୋଜ ସେଠୀଙ୍କ ନାମରେ କିଛିଦିନ ପୂର୍ବରୁ ଶାରଦୀୟ ଶୁଭେଚ୍ଛା ପୋଷ୍ଟର୍‌ ରେମୁଣାରେ ଲାଗିଥିବା ଦେଖିବାକୁ ମିଳିଥିଲା। ୨୦୨୩ ନବବର୍ଷ ଅବସରରେ ବି ତାଙ୍କର ଶୁଭେଚ୍ଛା ବାର୍ତ୍ତାର ପୋଷ୍ଟର୍‌ ରେମୁଣା ନିର୍ବାଚନ ମଣ୍ଡଳୀରେ ଛାଇଯାଇଥିଲା। ଏହାକୁ ନେଇ ବେଶ୍‌ କିଛିଦିନ ହେଲା ବିଭିନ୍ନ ମହଲରେ ଚର୍ଚ୍ଚା ହେଉଥିଲା। ତେବେ ଢେଙ୍କାନାଳ ଜିଲ୍ଲାପାଳ ପଦରୁ ବୁଧବାର ଶ୍ରୀ ସେଠୀଙ୍କୁ ଅବ୍ୟାହତି ଦେଇ ତାଙ୍କ ସ୍ଥାନରେ ଇଡ୍‌କୋ (ଲ୍ୟାଣ୍ଡ) ସିଜିଏମ୍‌ ଥିବା ବରିଷ୍ଠ ଓଏଏସ୍‌ ଅଧିକାରୀ ମନୋରଞ୍ଜନ ମଲ୍ଲିକଙ୍କୁ ନିଯୁକ୍ତି ମିଳିବା ପରେ ଶ୍ରୀ ସେଠୀ ପ୍ରଶାସକରୁ ରାଜନେତା ସାଜୁଥିବା ଖବର ବିଜୁଳି ବେଗରେ ପ୍ରଚାରିତ ହୋଇଯାଇଛି। ଏକ ନିର୍ଭରଯୋଗ୍ୟ ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ, ଶ୍ରୀ ସେଠୀ କିଛି ଦିନ ପୂର୍ବରୁ ସ୍ବେଚ୍ଛାକୃତ ଅବସର ପାଇଁ ଆବେଦନ କରିଛନ୍ତି। ରାଜ୍ୟ ସରକାରଙ୍କ ପାଖରେ ତାଙ୍କର ଏହି ଆବେଦନ ବିଚାରାଧୀନ ଥିବା ବେଳେ ଖୁବଶୀଘ୍ର ତାହାକୁ ଅନୁମୋଦନ ମିଳିପାରେ। ସେହି ସମୟ ପର୍ଯ୍ୟନ୍ତ ଶ୍ରୀ ସେଠୀଙ୍କୁ ଲୋକସେବା ଭବନକୁ ବଦଳି କରାଯାଇଥିବା କୁହାଯାଉଛି। ତେବେ ଏନେଇ କୌଣସି ସରକାରୀ ନିର୍ଦ୍ଦେଶନାମା ବୁଧବାର ରାତି ପର୍ଯ୍ୟନ୍ତ ପ୍ରକାଶିତ ହୋଇ ନଥିବା ଜଣାପଡ଼ିଛି। ଯାହା ତାଙ୍କର ସ୍ବେଚ୍ଛାକୃତ ଅବସର ଆବେଦନ ଚର୍ଚ୍ଚାକୁ ଖୋରାକ୍ ଯୋଗାଇଛି।

Advertisment

ରେମୁଣାରେ ଲାଗିଛି ଶାରଦୀୟ ଶୁଭେଚ୍ଛା ପୋଷ୍ଟର୍‌, ନୂଆବର୍ଷ ଅଭିନନ୍ଦନ ବି ଲାଗିଥିଲା
ଭିଆର୍‌ଏସ୍‌ ଆବେଦନ ଚର୍ଚ୍ଚାକୁ ଖଣ୍ଡନ କଲେ ସରୋଜ

ଚର୍ଚ୍ଚା ହେଉଛି, ଶ୍ରୀ ସେଠୀ ରେମୁଣା ଆସନରୁ ବିଜେଡି ଟିକେଟ୍‌ରେ ବିଧାୟକ ପ୍ରାର୍ଥୀ ହୋଇପାରନ୍ତି। ଏଥିପାଇଁ ସମସ୍ତ ପ୍ରସ୍ତୁତି ସରିଥିବା ବେଳେ ଦଳ ମଧ୍ୟ ସବୁଜ ସଙ୍କେତ ଦେଇସାରିଛି। ନିକଟରେ ରେମୁଣା ବିଧାୟକ ଥିବା ସୁଧାଂଶୁ ପରିଡ଼ାଙ୍କୁ ବିଜେଡି ସଭାପତି ନବୀନ ପଟ୍ଟନାୟକ ଜନବିରୋଧୀ କାର୍ଯ୍ୟକଳାପ ଅଭିଯୋଗରେ ଦଳରୁ କାଢ଼ି ଦେଇଛନ୍ତି। ତେଣୁ ସେଠାରେ ଦଳ ସରୋଜ ସେଠୀଙ୍କୁ ପ୍ରୋଜେକ୍ଟ୍‌ କରିପାରେ ବୋଲି ରେମୁଣାରେ ଚର୍ଚ୍ଚା ଲାଗି ରହିଛି। ରାଜ୍ୟ ପାନୀୟଜଳ ନିଗମର ପରିଚାଳନା ନିର୍ଦ୍ଦେଶକ ଥିବା ଶ୍ରୀ ସେଠୀ ୨୦୨୧ ମସିହା ଅଗଷ୍ଟ ୧୬ ତାରିଖରେ ଢେଙ୍କାନାଳ ଜିଲ୍ଲାପାଳ ଭାବେ ଯୋଗ ଦେଇଥିଲେ। ଗତବର୍ଷ ତାଙ୍କୁ ରାଜ୍ୟ ସରକାର ଆଇଏଏସ୍‌ ପଦକୁ ପଦୋନ୍ନତି ଦେଇଥିଲେ। ୨୦୧୯ ସାଧାରଣ ନିର୍ବାଚନ ସମୟରେ କିଛି ପ୍ରଶାସକ ଚାକିରି ଛାଡ଼ି ବିଜେଡିରେ ସାମିଲ୍‌ ହୋଇଥିବା ବେଳେ ସାଂସଦ ଓ ବିଧାୟକ ଭାବେ ନିର୍ବାଚନ ମଧ୍ୟ ଲଢ଼ିଥିଲେ। ତେଣୁ ଶ୍ରୀ ସେଠୀଙ୍କ କ୍ଷେତ୍ରରେ ଏଭଳି ଚର୍ଚ୍ଚା କିଛି ନୂଆ କଥା ନୁହେଁ। ତେବେ ଏ ସମ୍ପର୍କରେ ଶ୍ରୀ ସେଠୀଙ୍କୁ ମତାମତ ଲୋଡ଼ିବାରେ, ଲୋକସେବା ଭବନକୁ ତାଙ୍କର ବଦଳି ହୋଇଛି ଓ ରାଜନୀତି କିମ୍ବା ଭିଆର୍‌ଏସ୍‌ ଚର୍ଚ୍ଚା କଥା ସେ ଜାଣନ୍ତି ନାହିଁ ବୋଲି ତାଙ୍କ ପ୍ରତିକ୍ରିୟା ଦେଇ କହିଛନ୍ତି।