ପରୀ ହତ୍ୟା ମାମଲାରେ ସରୋଜ ସେଠୀର ଭିଡିଓକୁ ଜନମତ, ବିଚାର ପ୍ରକ୍ରିୟାକୁ ପ୍ରଭାବିତ କରିବା ପାଇଁ ଭାଇରାଲ କରାଯାଇଛି : ବି‌ଜେପି

ମୁଖ୍ୟ ଅପରାଧୀଙ୍କୁ ସୁରକ୍ଷା ଦିଆଯାଉଥିବା ଅଭିଯୋଗ

ଭୁବନେଶ୍ୱର : ବିଧାନସଭାରେ ଚାଷୀ ସମସ୍ୟା, ସୀମା ବିବାଦ, କୋଟିଆରେ ଆନ୍ଧ୍ର ନିର୍ବାଚନ କରାଇବା, ଆଇନ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ଆଦି ପ୍ରସଙ୍ଗ ଥିବା ସମୟରେ ରାଜ୍ୟ ସରକାର ଜାଣିଶୁଣି ଏସ୍‌ଆଇଟିକୁ ଲଗାଇ ପରୀ ହତ୍ୟାକାଣ୍ଡ ସମ୍ପର୍କିତ ଏକ ଭିଡିଓ ଗଣମାଧ୍ୟମରେ ରିଲିଜ କରାଇଲେ। ତଦନ୍ତ ପ୍ରକ୍ରିୟା ଚାଲିଥିବା ବେଳେ ପଚରାଉଚରା ସମୟରେ ଅଭିଯୁକ୍ତର ପ୍ରାଇଭେଟ ଭିଡିଓକୁ ଭାଇରାଲ କରିବା ଆଇନ ଅସଙ୍ଗତ। ରାଜ୍ୟର ଜନମତ ଓ ବିଚାର ପ୍ରକ୍ରିୟାକୁ ପ୍ରଭାବିତ କରିବା ପାଇଁ ଏସ୍‌ଆଇଟି ଏହି ଷଡ଼ଯନ୍ତ୍ର ରଚିଛି ବୋଲି ବିଜେପି ଅଭିଯୋଗ କରିଛି।

ବିଜେପିର ରାଜ୍ୟ ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି ‌ଯେ ଯେତେବେଳେ ମାମଲା ହାଇକୋର୍ଟ ଓ ସୁପ୍ରିମକୋର୍ଟରେ ବିଚାରଧୀନ ଅଛି ଏବଂ ସୁପ୍ରିମକୋର୍ଟ ପରୀ ହତ୍ୟାକାଣ୍ଡ ସଂକ୍ରାନ୍ତରେ ସିବିଆଇ ଓ ରାଜ୍ୟ ସରକାରଙ୍କୁ ନୋଟିସ କରିଛନ୍ତି, ସେହି ସମୟରେ ଇଣ୍ଟର୍‌ନାଲ୍‌ ଇଣ୍ଟରୋଗେସନ୍‌ ଫରେନ୍ସିକ ଲ୍ୟାବ ଭିତରେ ଅଭିଯୁକ୍ତର କଥାକୁ ସାର୍ବଜନୀନ କରିବା ଏବଂ ଏହାକୁ କିଛି ନିର୍ଦ୍ଦିଷ୍ଟ ଗଣମାଧ୍ୟମରେ ପ୍ରସାରଣ କରାଯିବା ସଂପୂର୍ଣ୍ଣ ଭାବେ ବେଆଇନ ଓ ଧର୍ତ୍ତବ୍ୟ ଅପରାଧ। ଏହା ପୂର୍ବରୁ ପରୀ ହତ୍ୟାକାଣ୍ଡରେ ଯେତେବେଳେ ଏସ୍‌ଆଇଟି ପ୍ରଥମ ଷ୍ଟାଟସ୍‌ ରିପୋର୍ଟ ହାଇକୋର୍ଟରେ ଦାଖଲ କରିଥିଲା, ସେ ସମୟରେ ବନ୍ଦ ଲଫାଫାେରେ ଥିବା ରିପୋର୍ଟ ହାଇକୋର୍ଟଙ୍କ ପାଖରେ ପହଞ୍ଚିବା ପୂର୍ବରୁ କିଛି ନିର୍ଦ୍ଦିଷ୍ଟ ଗଣମାଧ୍ୟମରେ ପ୍ରସାରଣ ହୋଇଥିଲା। ସାମ୍ବିଧାନିକ ବିଧି ବ୍ୟବସ୍ଥା ଅନୁଯାୟୀ ଏହି ରିପୋର୍ଟ କେବଳ ଯାଞ୍ଚ୍‌ ଏଜେନ୍ସି ଓ ହାଇକୋର୍ଟ ମଧ୍ୟରେ ରହିବା କଥା । କିନ୍ତୁ ରାଜ୍ୟ ସରକାରଙ୍କ ଏସ୍‌ଆଇଟି ଏହାକୁ ଜାଣିଶୁଣି ପୂର୍ବରୁ ପ୍ରଘଟ କରିଥିଲେ। ଗତକାଲିର ଭିଡିଓ ମଧ୍ୟ ଏସ୍‌ଆଇଟି ପ୍ରଘଟ କରିଛି। ପରୀ ହତ୍ୟାକାଣ୍ଡ ଘଟଣାରେ ଏସ୍‌ଆଇଟି ମୁଖ୍ୟ ଅରୁଣ ବୋଥ୍ରା ଠିକ ଭାବେ ତଦନ୍ତ କରି ନାହାନ୍ତି। ବୋଥ୍ରା ବାବୁ ଏକ କାହାଣୀ ରଚନା କରି ରାଜ୍ୟବାସୀଙ୍କୁ ଭ୍ରମିତ କରିଛନ୍ତି। ସରୋଜ ସେଠୀକୁ ଦୋଷୀ ସାବ୍ୟସ୍ତ କରିବା ପାଇଁ ଏସ୍‌ଆଇଟି ହାତରେ କୌଣସି ପ୍ରମାଣ ନାହିଁ। ମୁଖ୍ୟ ଅଭିଯୁକ୍ତକୁ ଏସ୍‌ଆଇଟି ଗିରଫ ନ କରି ନାବାଳକ ସରୋଜ ସେଠୀକୁ ଅପରାଧୀ ସଜାଇବା ପାଇଁ ରାଜ୍ୟ ସରକାର ସମସ୍ତ ଏଜେନ୍ସି ଲଗାଇଛନ୍ତି। ପରୀର ବାପା ମା’ଙ୍କ ଅଭିଯୋଗ ଅନୁଯାୟୀ କାହିଁକି ବାବୁଲି ନାୟକକୁ ପୁଲିସ ତଦନ୍ତ ପରିସରଭୁକ୍ତ କରୁ ନାହିଁ ? ବାବୁଲି ନାୟକ ବିଜେଡିର ସଦସ୍ୟ ଓ ମନ୍ତ୍ରୀ ଅରୁଣ ସାହୁଙ୍କ ପାଖ ଲୋକ ହୋଇଥିବାରୁ ଏସ୍‌ଆଇଟି ତାକୁ ତଦନ୍ତ ପରିସରକୁ ଆଣୁ ନାହିଁ ବୋଲି ଶ୍ରୀମତୀ ସାମନ୍ତସିଂହାର ଅଭିଯୋଗ କରିଛନ୍ତି।

ଅପରାଧୀ ସପକ୍ଷରେ ବିଜେପିର ଓକିଲାତି ଲଜ୍ଜାଜନକ : ବିଜେଡି
ଘୃଣ୍ୟ ରାଜନୀତିର ଜବାବ ଦେଉଛନ୍ତି ରାଜ୍ୟବାସୀ
ଭୁବନେଶ୍ବର : ପରୀ ହତ୍ୟା ପ୍ରସଙ୍ଗରେ ବିଜେପିର ଅଭିଯୋଗର କଡ଼ା ଜବାବ ରଖିଛି ବିଜେଡି। ଦଳ ପକ୍ଷରୁ କୁହାଯାଇଛି ଯେ ବିଜେପି ନେତ୍ରୀଙ୍କ ମନ୍ତବ୍ୟ ଯେତିକି ଆଶ୍ଚର୍ଯ୍ୟଜନକ ସେତିକି ଯନ୍ତ୍ରଣାଦାୟକ। ସେ ଭୁଲି ଯାଉଛନ୍ତି ଯେ ପରୀ ଘଟଣା ଅତ୍ୟନ୍ତ ସ୍ପର୍ଶକାତର ଓ ଏକ ଜଘନ୍ୟ ଅପରାଧ। ଏହି ଘଟଣାର ତଦନ୍ତ ତାଙ୍କ ଇଚ୍ଛା ଅନୁଯାୟୀ ନୁହେଁ, ବରଂ ବିଭିନ୍ନ ତଥ୍ୟ ପ୍ରମାଣକୁ ନେଇ କରାଯାଇଛି। ଜଣେ ଅପରାଧୀ ସପକ୍ଷରେ ବିଜେପିର ଓକିଲାତି ଲଜ୍ଜାଜନକ।

ବିଜେଡି ମୁଖପାତ୍ର ଇପ୍ସିତା ସାହୁ କହିଛନ୍ତି ଯେ ପ୍ରଥମ ଦିନରୁ ଲକ୍ଷ୍ୟ କରାଯାଉଛି ଯେ ବିଜେପି ବିଶେଷ କରି ଶ୍ରୀମତୀ ସାମନ୍ତସିଂହାର ତଦନ୍ତକୁ ବାଟବଣା ପାଇଁ ଉଦ୍ୟମ କରିବା ସହିତ ଅଭିଯୁକ୍ତକୁ ବଞ୍ଚାଇବା ପାଇଁ ବ୍ୟକ୍ତିଗତ ସ୍ତରରେ ଅତ୍ୟନ୍ତ ଅଶାଳୀନ ଶବ୍ଦ ପ୍ରୟୋଗ କରୁଛନ୍ତି। ଏପରି ଆଚରଣ ଓ ଉଚ୍ଚାରଣ ପାଇଁ ତାଙ୍କୁ ଲଜ୍ଜା ଲାଗିବା କଥା। ଅତୀତରେ ରାଜ୍ୟ ରାଜନୀତିରେ କେବେ ହେଲେ ଏପରି ଶବ୍ଦ ବ୍ୟବହାର ଦେଖାଯାଇ ନ ଥିଲା, ଯାହା କି ଓଡ଼ିଆ ସଂସ୍କୃତି ଓ ନୀତିର ପରିପନ୍ଥୀ। ବିଜେପି ହାତରେ ଯଦି ‌େସପରି କିଛି ତଥ୍ୟ ପ୍ରମାଣ ରହିଛି ତେବେ ସେମାନେ ତାହାକୁ ଏସ୍‌ଆଇଟି କିମ୍ବା ଅଦାଲତ ନିକଟରେ ଦାଖଲ କରନ୍ତୁ। ପ୍ରଥମେ ସେମାନେ ଏସ୍‌ଆଇଟିକୁ କୌଣସି ତଥ୍ୟ ପ୍ରମାଣ ଦେଲେ ନାହିଁ, ବରଂ ଘଟଣାକୁ ରାଜନୀତିର ରଙ୍ଗ ଦେଲେ। ଏବେ ଏହାର ଚାର୍ଜସିଟ୍‌ ହୋଇସାରିଛି। ଯଦି କିଛି ତଥ୍ୟ ପ୍ରମାଣ ଥାଏ, ତେବେ ତାହା ବିଜେପି ଅଦାଲତରେ ମଧ୍ୟ ଦାଖଲ କରିପାରିବ। ମାତ୍ର ବିଜେପି ତାହା କରିବା ବଦଳରେ ଡାହା ମିଛ ଓ ମନଗଢ଼ା କଥା କହି କେବଳ ରାଜ୍ୟବାସୀଙ୍କୁ ଭ୍ରମିତ କରିବାରେ ଲାଗିଛି। ଜଣେ ମହିଳା ହିସାବରେ ଲେଖାଶ୍ରୀ ସାମନ୍ତସିଂହାର କିପରି ପରୀ କ୍ଷେତ୍ରରେ ସାଂଘାତିକ ଅନ୍ୟାୟ କରୁଛନ୍ତି ଓ ଏପରି ସ୍ପର୍ଶକାତର ଘଟଣାରେ ହୀନ ରାଜନୀତି କରୁଛନ୍ତି। ସେ ଓ ବିଜେପିର ଅନ୍ୟ ନେତାମାନେ ଅତୀତରେ କୁନ୍ଦୁଲି ଓ ଟିକିରି ପରି ଏହି ଘଟଣାକୁ ମଧ୍ୟ ରାଜନୀତିର ରଙ୍ଗ ଦେବା ପାଇଁ ଉଦ୍ୟମ କରୁଛନ୍ତି। ଏପରି ଘୃଣ୍ୟ ରାଜନୀତି ପାଇଁ ରାଜ୍ୟବାସୀ ମଧ୍ୟ ସେମାନଙ୍କୁ ଉଚିତ ଜବାବ ଦେଉଛନ୍ତି ବୋଲି ସୁଶ୍ରୀ ସାହୁ କହିଛନ୍ତି।

ସମ୍ବନ୍ଧିତ ଖବର