ଭୁବନେଶ୍ବର: ବିଶିଷ୍ଟ ଲେଖିକା ସରୋଜିନୀ ସାହୁ ଚଳିତ ବର୍ଷର ମର୍ଯ୍ୟାଦାଜନକ ‘ଶାରଳା ପୁରସ୍କାର’ ପାଇଁ ମନୋନୀତ ହୋଇଛନ୍ତି। ଜଣେ ଉଚ୍ଚାଭିଳାଷୀ ଯୁବକର କାହାଣୀ ଥିବା ଏବଂ ୨୦୧୯ ମସିହାରେ ପ୍ରକାଶିତ ଉପନ୍ୟାସ ‘ଅସ୍ଥିର ପାଦ’ ପାଇଁ ସେ ଏହି ପୁରସ୍କାର ଲାଭ କରିବେ। ଇମ୍ଫା ଚାରିଟେବଲ ଟ୍ରଷ୍ଟ (ଇମ୍ପାକ୍ଟ) ପକ୍ଷରୁ ଆଜି ଶ୍ରୀମତୀ ସାହୁଙ୍କ ନାମ ଘୋଷଣା ହେବାପରେ ତାଙ୍କ ପାଖକୁ ପାଠକ ଓ ପ୍ରଶଂସକଙ୍କ ଶୁଭେଚ୍ଛାର ସୁଅ ଛୁଟିଛି। ସେହିପରି ବିଖ୍ୟାତ ଭାସ୍କର୍ଯ୍ୟଶିଳ୍ପୀ ସୁଦର୍ଶନ ସାହୁ ଓ ବରିଷ୍ଠ କଣ୍ଠଶିଳ୍ପୀ ତାନସେନ୍‍ ସିଂଙ୍କୁ ‘ଇଲା-ବଂଶୀଧର ପଣ୍ଡା କଳା ସମ୍ମାନ’ ପ୍ରଦାନ କରାଯିବ ବୋଲି ଘୋଷଣା କରାଯାଇଛି।

Advertisment

ଓଡ଼ିଆ ଭାଷାରେ ଶ୍ରେଷ୍ଠ ସାହିତ୍ୟ କୃତି ପାଇଁ ପ୍ରତିବର୍ଷ ଇମ୍ଫା ଚାରିଟେବଲ ଟ୍ରଷ୍ଟ ପକ୍ଷରୁ ଶାରଳା ପୁରସ୍କାର ପ୍ରଦାନ କରାଯାଉଛି। ଆଗାମୀ ଅକ୍ଟୋବର ୨୬ ତାରିଖରେ ଏକ ବର୍ଣ୍ଣାଢ଼୍ୟ ସମାବେଶରେ ଉତ୍ତରୀୟ, ସମ୍ମାନପତ୍ର, ଫଳକ ସହିତ ଶ୍ରୀମତୀ ସାହୁଙ୍କୁ ୫ଲକ୍ଷ ଟଙ୍କାର ଅର୍ଥରାଶି ପ୍ରଦାନ କରାଯିବ। ଶ୍ରୀମତୀ ସାହୁଙ୍କ ‘ଅସ୍ଥିର ପାଦ’ ସହିତ ଚଳିତ ବର୍ଷ ଚୂଡ଼ାନ୍ତ ପର୍ଯ୍ୟାୟ ବିଚାର ପ୍ରକ୍ରିୟାରେ ସାମିଲ ହୋଇଥିବା ଅନ୍ୟ ପୁସ୍ତକଗୁଡ଼ିକ ଥିଲା ଅପର୍ଣ୍ଣା ମହାନ୍ତିଙ୍କ ‘ଅଗ୍ନି କମଳିନୀ’, ଆଶୁତୋଷ ପରିଡାଙ୍କ ‘ଅପ୍ରସ୍ତୁତ ମୃତ୍ୟୁ’, ଦାଶ ବେନହୁରଙ୍କ ‘ଅବଧାରିତ ଓ ଅନ୍ୟାନ୍ୟ ଗଳ୍ପ’, ବିଜୟ କୁମାର ଶତପଥୀଙ୍କ ‘କଙ୍କଣଦାସୀ କଥା’, ବିୟତପ୍ରଜ୍ଞା ତ୍ରିପାଠୀଙ୍କ ‘ମାୟା’ ଏବଂ ପଦ୍ମଜ ପାଳଙ୍କ ‘ସୀତା ମୁଁ ସୀତା’।

 ଶିଳ୍ପୀ ସୁଦର୍ଶନ ସାହୁ ଓ କଣ୍ଠଶିଳ୍ପୀ ତାନସେନ୍‍ ସିଂଙ୍କୁ ଇଲା-ବଂଶୀଧର ପଣ୍ଡା କଳା ସମ୍ମାନ
୨୦୦୧ରେ ସରୋଜିନୀଙ୍କ ସ୍ବାମୀ ଜଗଦୀଶ ମହାନ୍ତି ମଧ୍ୟ ପାଇଥିଲେ ସମାନ ପୁରସ୍କାର 

ଏହି ଚୂଡ଼ାନ୍ତ ପର୍ଯ୍ୟାୟର ବିଚାରକମାନେ ଥିଲେ ଭଗବାନ ଜୟସିଂହ, କାଳୀଦାସ ମିଶ୍ର, ଗୌରହରି ଦାସ, ସଦାନନ୍ଦ ତ୍ରିପାଠୀ, ବୈଜୟନ୍ତୀ ମିଶ୍ର, ସଂଯୁକ୍ତା ମହାନ୍ତି ଓ ତାପସ କୁମାର ସାମନ୍ତରାୟ। ସେହିପରି ‘ଇଲା-ବଂଶୀଧର ପଣ୍ଡା କଳା ସମ୍ମାନ’ ବାବଦରେ ଉଭୟ ଭାସ୍କର୍ଯ୍ୟଶିଳ୍ପୀ ଶ୍ରୀ ସାହୁ ଓ କଣ୍ଠଶିଳ୍ପୀ ଶ୍ରୀ ସିଂଙ୍କୁ ୨ଲକ୍ଷ ଟଙ୍କା ଅର୍ଥରାଶି, ମାନପତ୍ର ଓ ଫଳକ ପ୍ରଦାନ କରାଯିବ। ସଙ୍ଗୀତ ବିଭାଗରେ ସୁସ୍ମିତା ଦାସ, ରତିକାନ୍ତ ଶତପଥୀ ଓ ଶରତ ନାୟକ ତଥା ଚିତ୍ରକଳା ବିଭାଗରେ ପଞ୍ଚମୀ ମାନୁ ଉକୀଲ, ସତ୍ୟଭୂଷଣ ହୋତା ଓ ବୀରେନ୍ଦ୍ର ପାଣି ବିଚାରକ ଥିଲେ।

ସୂଚନାଯୋଗ୍ୟ ଯେ ବିଶିଷ୍ଟ ଶିଳ୍ପପତି ବଂଶୀଧର ପଣ୍ଡା ଓ ତାଙ୍କ ସହଧର୍ମିଣୀ ଇଲା ପଣ୍ଡାଙ୍କର କଳାତ୍ମକ ଚେତନାର ଫଳଶ୍ରୁତି ହେଉଛି ଶାରଳା ପୁରସ୍କାର ଉତ୍ସବ। ୧୯୮୦ ମସିହାରୁ ପ୍ରଦାନ କରାଯାଇଥିବା ଶାରଳା ପୁରସ୍କାର ୪୫ ବର୍ଷ ଧରି ଏହାର ଯାତ୍ରା ଜାରି ରଖିଛି। ପରବର୍ତ୍ତୀ ସମୟରେ ଇଲା-ବଂଶୀଧର ପଣ୍ଡା କଳା ସମ୍ମାନ ଏହି ଗୌରବମୟ ପରମ୍ପରାରେ ସାମିଲ ହୋଇଛି।