ନବମ ଶ୍ରେଣୀ ଛାତ୍ରୀ ଗର୍ଭବତୀ, ଗର୍ଭ ନଷ୍ଟ କଲେ ଆବାସ ଯୋଜନାରେ ଘର ଦେବାକୁ ଲୋଭ ଦେଖାଇଲେ ସରପଞ୍ଚଙ୍କ ସ୍ବାମୀ

ଅଡ଼ବା : ଗଜପତି ଜିଲ୍ଲା ଅଡ଼ବା ଅଞ୍ଚଳରେ ଏକ ଲଜ୍ଜାଜନକ ଘଟଣା ଘଟିଛି। ସ୍ଥାନୀୟ ଥାନା ଅଞ୍ଚଳରେ ଜଣେ ଆଦିବାସୀ ନାବାଳିକା ଗର୍ଭବତୀ ହୋଇଥିବା ନେଇ ଅଭିଯୋଗ ଆସିଛି। ଏନେଇ ନାବାଳିକାର ପରିବାରବର୍ଗ ଥାନାରେ ଏତଲା ଦେଇଛନ୍ତି। ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି। ତେବେ ଏହି ଘଟଣାରେ ସ୍ଥାନୀୟ ସରପଞ୍ଚଙ୍କ ସ୍ବାମୀ ମାନସ ମଣ୍ଡଳଙ୍କ ନାମରେ ଥାନାରେ ଏତଲା ହୋଇଛି। ଘଟଣା ପରେ ସରପଞ୍ଚଙ୍କ ପରିବାର ଗାଁ’ରୁ ଫେରାର ହୋଇଯାଇଥିବା ଜଣାପଡ଼ିଛି। ଘଟଣାରେ ଏବେ ଗାଁରେ ଚାପା ଉତ୍ତେଜନା ଦେଖାଦେଇଛି। ମାନସ ତିନିଟି ସନ୍ତାନର ଜନକ ବୋଲି କୁହାଯାଇଥିବା ବେଳେ ଅଭିଯୁକ୍ତକୁ ଖୁବଶୀଘ୍ର ଗିରଫ କରାଯିବ ଥାନାଧିକାରୀ ଶୁଭ୍ରାନ୍ତ କୁମାର ପଣ୍ଡା ସୂଚନା ଦେଇଛନ୍ତି।

ଅଭିଯୋଗ ମୁତାବକ ହାବୁକାପଙ୍କା ପଞ୍ଚାୟତର ସରପଞ୍ଚଙ୍କ ସ୍ବାମୀ ମାନସ ମଣ୍ଡଳ ପରିବାର ସହ ପଦାଗାଁରେ ଆସି ରହୁଥିବା ‌ବେଳେ ନବମ ଶ୍ରେଣୀରେ ପଢ଼ୁଥିବା ଛାତ୍ରୀ ଜଣକଙ୍କୁ ଘରେ କେହି ନଥିବା ସୁଯୋଗରେ ବିଭିନ୍ନ ପ୍ରକାର ଧମକଚମକ ଦେଇ ବାରମ୍ବାର ଦୁଷ୍କର୍ମ କରିଥିଲେ। ଏଥିରେ ନାବାଳିକା ଜଣକ ଗର୍ଭବତୀ ହୋଇଥିବା ଜଣାପଡ଼ିବା ପରେ ଜୀବନରେ ମାରିଦେବା ଭୟ ଦେଖାଇଥିଲେ। ଏପରିକି ପତ୍ନୀ ସରପଞ୍ଚ ଦାୟିତ୍ବରେ ଥିବାରୁ ଗର୍ଭନଷ୍ଟ କଲେ ପରିବାରକୁ ଇନ୍ଦିରା ଆବାସ ଯୋଗାଇଦେବାକୁ ପ୍ରଲୋଭନ ଦେଖାଇଥିଲେ ବୋଲି ନାବାଳିକାର ବାପା ଆଜି ଥାନାରେ ଅଭିଯୋଗ କରିଛନ୍ତି।

ସମ୍ବନ୍ଧିତ ଖବର