ଚାଉଳ ଦାବିରେ ସରପଞ୍ଚ ଏବଂ ବ୍ଲକ କର୍ମଚାରୀଙ୍କୁ ତାଲା ଠୁଙ୍କିଲେ ଗ୍ରାମବାସୀ

ଝରିଗାଁ: ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଅନ୍ତର୍ଗତ ଇଚ୍ଛାପୁର ପଞ୍ଚାୟତ କାର୍ଯ୍ୟାଳୟରେ ସରପଞ୍ଚ ଓ ବ୍ଲକ କର୍ମଚାରୀଙ୍କୁ ଦୀର୍ଘ ସମୟ ପର୍ଯ୍ୟନ୍ତ ତାଲା ବନ୍ଦ କରି ଦିଆଯାଇଛି। ଆଜି ଦିନ ୧୧ଟା ସମୟରେ ପଞ୍ଚାୟତ ସ୍ତରରେ ରୋଜଗାର ଦିବସ ପାଳିତ ହେଉଥିବା ବେଳେ ଏହି କାର୍ଯ୍ୟକ୍ରମରେ ସରପଞ୍ଚ କାବେରୀ ସାନ୍ତା, ନୋଡ଼ାଲ ଅଧିକାରୀ ଦେବେନ୍ଦ୍ର କୁମାର ବେହେରା, ପଞ୍ଚାୟତ ଅଧିକାରୀ ପ୍ରସନ୍ନ ପଣ୍ଡା, ଜିଆରଏସ ପୀତାମ୍ବର ଜେନା ପ୍ରମୁଖ ଉପସ୍ଥିତ ରହିଥିବା ବେଳେ ନିଜ ପଞ୍ଚାୟତରେ ହିତାଧିକାରୀଙ୍କ ଚାଉଳ ପ୍ରଦାନ କରିବା ପାଇଁ ଦାବିରେ ସ୍ଥାନୀୟ ଜନସାଧାରଣ ସମସ୍ତଙ୍କୁ କାର୍ଯ୍ୟାଳୟ ଭିତରେ ରଖି ବାହାରୁ ତାଲା ପକାଇ ନିଜର ଦାବି ହାସଲ ପାଇଁ ଅଡ଼ି ବସିଥିଲେ।

ଗ୍ରାମବାସୀଙ୍କ ଅଭିଯୋଗ ପ୍ରକାରେ ଆଜକୁ ପାଞ୍ଚ ବର୍ଷ ହେଲା ଇଚ୍ଛାପୁରକୁ ନୂତନ ପଞ୍ଚାୟତ ଘୋଷଣା କରାଗଲା। ଆଉ ଗତ ମାସ ୧୧ତାରିଖରେ ନୂତନ ପଞ୍ଚାୟତ କାର୍ଯ୍ୟାଳୟର ଶୁଭ ଉଦଘାଟନ କରାଗଲା। ପଞ୍ଚାୟତର କରାଡ଼ଙ୍ଗରି, ଗୋଇଚଚରା, ବେନ୍ଦ୍ରାପାଣି, ଖୋଲିଆପାଣି, କେଵଡି, କରଲାପୋଡ଼ା ଆଦି ଗ୍ରାମର ଲୋକେ ଦୀର୍ଘ କିମି ଅତିକ୍ରମ କରି ଚଚ୍ଚା ପଞ୍ଚାୟତ ରୁ ଯାଇ ଖାଉଟି ସାମଗ୍ରୀ ଆଣିବାକୁ ବାଧ୍ୟ ହେଉଛନ୍ତି। ଏଥିପାଇଁ ବାରମ୍ବାର ବ୍ଲକ ପ୍ରଶାସନ ନିକଟରେ ଅଭିଯୋଗ କଲେବି କୌଣସି ସୁଫଳ ମିଳୁନାହିଁ। ଫଳରେ ଆଜି ପ୍ରଶାସନର ଦୃଷ୍ଟି ଆକର୍ଷଣ କରି ନିଜର ଦାବି ପୁରଣ କରିବା ପାଇଁ ସରପଞ୍ଚ ଏବଂ ବ୍ଲକ କର୍ମଚାରୀଙ୍କୁ ତାଲା ପକାଇ ରଖିଛନ୍ତି।

ଘଟଣା ସମ୍ପର୍କରେ ବିଡ଼ିଓ ସତ୍ୟ ନାରାୟଣ ମେହେରଙ୍କ ଦୃଷ୍ଟି ଆକର୍ଷଣ କରିବାରୁ ସେ ଜଣେଇ ଥିଲେ ଯେ ନୂତନ ପଞ୍ଚାୟତରେ ଚାଉଳ ଯୋଗାଣ ପାଇଁ ଆବଶ୍ୟକ ଲାଇସେନ୍ସ ପ୍ରଦାନରେ ବିଳମ୍ବ ଯୋଗୁଁ ପଞ୍ଚାୟତ ସ୍ତରରେ ଚାଉଳ ଦେବାରେ ଅସୁବିଧା ହେଉଥିବା ସହିତ ଇଚ୍ଛାପୁର ନୂତନ ପଞ୍ଚାୟତ ଘୋଷଣା ପରେ କାର୍ଯ୍ୟାଳୟ ସ୍ଥାନ ନିରୂପଣ ନେଇ ଗାଁ ଟି ଦୁଇଭାଗ ହେବା ଓ ଗୋଷ୍ଠୀ ସଂଘର୍ଷ ଘଟି ଦୁଇପକ୍ଷ ନ୍ୟାୟାଳୟର ଦ୍ୱାରସ୍ଥ ହୋଇଛନ୍ତି। ଏବେ ନୂତନ କାର୍ଯ୍ୟାଳୟ ଉଦଘାଟନ ହୋଇଛି ସତ କିନ୍ତୁ ଗୋଟିଏ ଗୋଷ୍ଠୀ ଏହାକୁ ଗ୍ରହଣ କରିନାହାଁନ୍ତି ।ତେଣୁ ଗାଁରେ ଦୁଇଗୋଷ୍ଠୀଙ୍କୁ ଏକତ୍ରିତ କରି  ଶାନ୍ତିକମିଟି ଗଠନ ସହିତ ଏକ ଶୃଙ୍ଖଳିତ ଉପାୟରେ ଏହାର ସ୍ଥାୟୀ ସମାଧାନ ପାଇଁ ସେ ସମସ୍ତଙ୍କ ସହଯୋଗ ଲୋଡ଼ିଥିଲେ ଏବଂ ଜିଲ୍ଲା ପ୍ରଶାସନର ଦୃଷ୍ଟି ଆକର୍ଷଣ କରି ଯଥାଶୀଘ୍ର ପଞ୍ଚାୟତ ସ୍ତରରେ ଚାଉଳ ଯୋଗାଣ ପାଇଁ ବ୍ୟବସ୍ଥା କରାଯିବ ବୋଲି କହିଥିଲେ। ଶେଷରେ ଦୀର୍ଘ ଛଅ ଘଣ୍ଟା ଧରି ବନ୍ଧକ ରହିଥିବା ସରପଞ୍ଚ ଏବଂ ସରକାରୀ କର୍ମଚାରୀଙ୍କୁ ସ୍ଥାନୀୟ ଥାନାଧିକାରୀ ନଟବର ନନ୍ଦ ଏକ ଟିମ ସହିତ ପହଞ୍ଚି ଗ୍ରାମବାସୀଙ୍କୁ ବୁଝାସୁଝା କରି ସମସ୍ତଙ୍କୁ ସୁରକ୍ଷିତ ମୁକୁଳାଇ ଥିଲେ।

ସମ୍ବନ୍ଧିତ ଖବର