୫ ଲକ୍ଷ ଦାବିରେ ସରପଞ୍ଚ ଓ ପୂର୍ବତନ ସମିତି ସଭ୍ୟଙ୍କୁ ବନ୍ଦ କଠୋରୀରେ ନିର୍ଯ୍ୟାତନା

ଚଣ୍ଡିଖୋଲ: ପାଞ୍ଚଲକ୍ଷ ଟଙ୍କା ଦାଦାବଟି ଦାବିକରି ଦୁଇ ଜନପ୍ରତିନିଧିଙ୍କୁ ବନ୍ଦ କୋଠରିରେ ଧମକ ଦେବା ଘଟଣା ବାଲିଚନ୍ଦ୍ରପୁର ଥାନା ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି କରିଛି। ବାଲିଚନ୍ଦ୍ରପୁର ଥାନା ଚାରିନଙ୍ଗଳ ବଜାର ନିକଟରେ ଗତକାଲି (ଶନିବାର) ରାତିରେ ଘଟିଛି ଏହି ଘଟଣା। ନଳିପୁର ସରପଞ୍ଚ ସେକ ଅବଦୁଲ ଗନି ଓ ନଳିପୁର ଗ୍ରାମର ପୂର୍ବତନ ସମିତି ସଭ୍ୟ ସେକ ଅବଦୁଲ ମଜିଦଙ୍କୁ ଅଟକ ରଖି ଏଭଳି ଧମକଚମକ ଦିଆଯାଇଥିବା ଅଭିଯୋଗ ହୋଇଛି। ଏ ଘଟଣାରେ ପୁଲିସ ଏକ ମାମଲା ରୁଜୁ କରି ଖାଦିମ ମହାଲା ଗ୍ରାମର ସେକ ମହେମୁଦକୁ ଥାନାକୁ ଉଠାଇ ନେବା ସହ ତା’ ପାଖରୁ ବନ୍ଧୁକ ଓ ଖଣ୍ଡା ଜବତ କରିଛି।

ପୁଲିସ ସୂଚନା ଅନୁସାରେ ନଳିପୁରର ପୂର୍ବତନ ସମିତି ସଭ୍ୟ ସେକ ଅବଦୁଲ ମଜିଦ ଗତ ୪ ତାରିଖ ରାତିରେ ଚାରିନଙ୍ଗଳ ବଜାରକୁ ଆସି ନିଜ ବାଇକ ଯୋଗେ ଘରକୁ ଫେରୁଥିଲେ। ବଜାରଠାରୁ କିଛି ବାଟ ଅତିକ୍ରମ କଲା ପରେ ସେକ ମେହେମୁଦ ତାଙ୍କୁ ଅଟକାଇଥିଲା। ଏହି ସମୟରେ ସେହି ବାଟ ଦେଇ ଯାଉଥିବା ନଳିପୁର ସରପଞ୍ଚ ସେକ ଅବଦୁଲ ଗନିଙ୍କୁ ମଧ୍ୟ ସେ ଅଟକାଇଥିଲା। ପରେ ଉଭୟଙ୍କୁ ଚାରିନଙ୍ଗଳ ବଜାରରେ କରିଥିବା ନିଜ ଅଫିସ ଭିତରକୁ ଡାକିନେଇ ଭିତରୁ କବାଟ ବନ୍ଦ କରି ଦେଇଥିଲା।

ପରେ ଦୁହିଁଙ୍କ ମୋବାଇଲ ଫୋନ ଛଡ଼ାଇ ନେଇ ବିଭିନ୍ନ ଧମକଚମକ ଦେବା ଆରମ୍ଭ କରିଦେଇଥିଲା। ତୁମେ ଦୁଇଜଣ ୫ ଲକ୍ଷ ଟଙ୍କା ଦିଅ, ନଚେତ ମୁଁ ତୁମଙ୍କୁ ମାରିଦେବି ବୋଲି ଧମକାଇଥିଲା। ସେମାନଙ୍କ ମୁଣ୍ଡରେ ବନ୍ଧୁକ ଓ ଖଣ୍ଡା ଲଗାଇ ଭୟଭୀତ କରାଇବାକୁ ପଛାଇ ନଥିଲା। ବିଧା ଚାପୁଡ଼ା ମଧ୍ୟ ମାରିଥିଲା। ୩ ଘଣ୍ଟା ଧରି ଏଭଳି ନିର୍ଯାତନା ଦେବାରୁ ଦୁହେଁ ଭୟଭୀତ ହୋଇ ପଡ଼ିଥିଲେ। ଅବଦୁଲ ମଜିଦଙ୍କ ଫେରିବା ବିଳମ୍ବ ହେବାରୁ ତାଙ୍କ ପତ୍ନୀ ଓ ଝିଆରୀ ତାଙ୍କୁ ଖୋଜିଖୋଜି ଚାରିନଙ୍ଗଳ ବଜାରରେ ପହଞ୍ଚିଥିଲେ।

ସେଠାରେ ସେକ ମେହମୁଦର ଅଫିସ ସାମ୍‌ନାରେ ମଜିଦଙ୍କ ବାଇକ ଥିବା ଦେଖି କବାଟ ବାଡ଼େଇଥିଲେ। ପରେ ସେଠାରେ ଲୋକ ରୁଣ୍ଡହୋଇ ଉଭୟଙ୍କୁ ଉଦ୍ଧାର କରିଥିଲେ। ଏ ସଂକ୍ରାନ୍ତରେ ବିଳମ୍ବିତ ରାତିରେ ସେକ ଅବଦୁଲ ମଜିଦ ବାଲିଚନ୍ଦ୍ରପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଏହାକୁ ଭିତ୍ତିକରି ପୁଲିସ ୨୧୨/୨୨ ନମ୍ବରରେ ଏକ ମାମଲା ରୁଜୁ କରି ଅଭିଯୁକ୍ତ ମେହେମୁଦକୁ ଥାନାକୁ ଉଠାଇ ନେଇଛି। ତାକୁ ଅଧିକ ପଚରାଉଚରା କରାଯାଉଛି। ଏ ଘଟଣା ପଛରେ ଥିବା କାରଣର ଖୋଳତାଡ଼ କରାଯାଉଛି ବୋଲି ଥାନା ଅଧିକାରୀ ରମାକାନ୍ତ ମୁଦୁଲି ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର