ରାଉରକେଲା: ଗ୍ରାମପଞ୍ଚାୟତରେ ସରପଞ୍ଚମାନଙ୍କ ଅଧିକାର କ୍ଷୁର୍ଣ୍ଣ ହେବା ପରେ ରାଜ୍ୟରେ ସରପଞ୍ଚ ସଂଘର ଆନ୍ଦୋଳନ ଜାରି ରହିଛି। ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ରେ ଜିଲ୍ଲା ସରପଞ୍ଚ ଏକାଠି ‌ହୋଇଛନ୍ତି। ଯାହାର ନେତୃତ୍ବ ନେଉଛନ୍ତି ଜିଲ୍ଲା ସରପଞ୍ଚ ସଂଘର ସଭାପତି ଉଗ‌୍ରସେନ କିସାନ ଓ ଉସଭାପତି ଅଜିତ ତିର୍କୀ। ଆଜି ନୂଆଗାଁ ବ୍ଲକ ସରପଞ୍ଚମାନଙ୍କୁ ନେଇ ଏକ ବୈଠକ ଖୁଣ୍ଟଗାଁ ପଞ୍ଚାୟତରେ ଅନୁଷ୍ଠିତ ହୋଇଯାଇଛି। ସଭାପତିତ୍ବ କରିଥିଲେ ଜିଲ୍ଲା ସରପଞ୍ଚ ସଂଘର ସଭାପତି ଉଗ୍ରସେନ କିସାନ ଓ ଉପସଭାପତି ତଥା ଝିରପାଣି ସରପଞ୍ଚ ଅଜିତ ତିର୍କୀ। ବୈଠକରେ ମହେଶ୍ବର ଏକ୍କା, ସୁରେନ୍ଦ୍ର ଓରାମ, ସୁଶୀଲ ଟପ୍ପୋ, ମାଇକେଲ ମିଞ୍ଜ, ମିନତୀ ତିଗ୍‌ଗା, ସୁମିତ୍ରା ଓରାମଙ୍କ ସମେତ ବହୁ ସରପଞ୍ଚ ସାମିଲ ଥିଲେ। ଖୁଣ୍ଟଗାଁ, ଲିମଡ଼ା ଓ ଫୁଲଝରରେ ରେଳବାଇ କାମରେ ବ୍ୟବହୃତ ସାମଗ୍ରୀଗୁଡ଼ିକ ୬ ବର୍ଷ ଧରି ପଡ଼ିରହିଛି।

Advertisment

ରେଳବାଇ ଆଦିବାସୀଙ୍କ ଜାଗାକୁ ଦଖଲ କରି ରଖିଥିବାରୁ ବୈଠକରେ କ୍ଷୋଭ ପ୍ରକାଶ ପାଇଥିଲା। ସ୍ଥାନୀୟ ରେଳ ଅଧିକାରୀଙ୍କ ଏଭଳି ନିଷ୍ପତ୍ତି ବିରୋଧରେ ସଂଘ ବିଭାଗୀୟ ଉଚ୍ଚ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିବେ ବୋଲି ବୈଠକରେ ନିଷ୍ପତ୍ତି ନିଆଯାଇଛି। ବୀରମିତ୍ରପୁର ବିଧାନସଭା କ୍ଷେତ୍ରରେ ସରପଞ୍ଚ ସଂଘ ପ୍ରାର୍ଥୀ ଦେବାକୁ ଘୋଷଣା କରିଛି। ସୁନ୍ଦରଗଡ଼ ଜିଲ୍ଲାର ୨୭୯ ସରପଞ୍ଚ ମଧ୍ୟରୁ ଜଣଙ୍କୁ ବିଧାୟକ ପ୍ରାର୍ଥୀ ଭାବେ ଛିଡା କରିବାକୁ ବୈଠକରେ ବିସ୍ତୃତ ଆଲୋଚନା କରାଯାଇଛି। ଜିଲ୍ଲାରେ ସରପଞ୍ଚମାନଙ୍କୁ ରାଜନୈତିକ ଦଳଗୁଡ଼ିକ ସହଯୋଗ କରୁ ନଥିବାରୁ ସଂଘ ଏଭଳି ନିଷ୍ପତ୍ତି ନେଇଛି।

ଜିଲ୍ଲାର କେଉଁ ପଞ୍ଚାୟତର ସରପଞ୍ଚଙ୍କୁ ବିଧାୟକ ପ୍ରାର୍ଥୀ କରାଯିବ, ପରବର୍ତ୍ତୀ ବୈଠକରେ ବିଧିବଦ୍ଧ ଭାବେ ଘୋଷଣା କରାଯିବ।‌ କେବଳ ଏତିକି ନୁହେଁ ବିଧାୟକ ପ୍ରାର୍ଥୀ ହେବାକୁ ଯାଉଥିବା ସରପଞ୍ଚଙ୍କୁ ଜିଲ୍ଲା ସରପଞ୍ଚ ସଂଘ ପକ୍ଷରୁ ସମସ୍ତ ପ୍ରକାର ସହାୟତା ଯୋଗାଇ ଦିଆଯିବ ବୋଲି ସଭାପତି ଶ୍ରୀ କିସାନ ଓ ଉପସଭାପତି ଶ୍ରୀ ତିର୍କୀ କହିଛନ୍ତି। ତାଙ୍କ ପ୍ରାର୍ଥୀଙ୍କୁ ଜିତାଇବାକୁ ସରପଞ୍ଚମାନେ କିପ୍ରକାର ରଣନୀତି ପ୍ରସ୍ତୁତ କରୁଛନ୍ତି, ତା’ଉପରେ ସମସ୍ତଙ୍କ ନଜର ରହିଛି। ସେପଟେ ସରପଞ୍ଚ ସଂଘର ଏଭଳି ନିଷ୍ପତ୍ତି ଆସନ୍ତା ବିଧାନସଭା ନିର୍ବାଚନରେ କଂଗ୍ରେସ, ବିଜେପି ଓ ବିଜେଡି ପାଇଁ ନିଶ୍ଚିତ ଭାବେ ଅଡୁଆ ପରିସ୍ଥିତି ସୃଷ୍ଟି କରିପାରେ। କାରଣ ପଞ୍ଚାୟତ ଭୋଟରଙ୍କ ମନ ଜିଣିବାକୁ ତିନି ପ୍ରମୁଖ ଦଳର ପ୍ରାର୍ଥୀଙ୍କ ଏତେଟା ସହଜ ହେବ ନାହିଁ।