ସରପଞ୍ଚ ଗଢ଼ୁଛନ୍ତି ଗରିବ ପିଲାଙ୍କ ଭବିଷ୍ୟତ, ମାଗଣାରେ ଯୋଗାଉଛନ୍ତି ବହି ଓ ଖାତା

ରାଉରକେଲା: ଆର୍ଥିକ ଅନଟନ ଅଭାବରୁ ପ୍ରାଥମିକ ଶିକ୍ଷାରେ ଡୋରି ବାନ୍ଧୁଥିବା ଆଦିବାସୀ ଗରିବ ପିଲାଙ୍କୁ ସ୍କୁଲ ମୁହାଁ କରିବା। ସେମାନଙ୍କୁ ବହି, ଖାତା ଓ ପେନ୍‌ସିଲ ସହ ମାଗଣାରେ ଟ୍ୟୁସନ୍‌ ଯୋଗାଇ ଦେବା। ୧୦ କି ୨୦ ପିଲା ନୁହେଁ ପୁରା ପଞ୍ଚାୟତର ପ୍ରାୟ ୩୦୦ ଗରିବ ପିଲାଙ୍କୁ ଏମିତି ସହାୟତା ଯୋଗାଇ ଦେଇ ଅନ୍ୟମାନଙ୍କ ପାଇଁ ପ୍ରେରଣା ସାଜିଛନ୍ତି ଝିରପାଣି ସରପଞ୍ଚ  ଅଜିତ ତିର୍କୀ। ପ୍ରାଥମିକ ପର୍ଯ୍ୟାୟରେ ପ୍ରାୟ ୩୦୦ ପିଲାଙ୍କ ପାଇଁ ବିଭିନ୍ନ ୱାର୍ଡରେ କୋଚିଂ ସେଣ୍ଟର ଖୋଲିଛନ୍ତି। କିଛି କୋଚିଂ ସେଣ୍ଟରରେ ପାଠ ପଢ଼ା ଆରମ୍ଭ ହୋଇ ଯାଇଥିବାବେଳେ ଅନ୍ୟ କିଛି ସ୍ଥାନରେ କୋଚିଂ ସେଣ୍ଟର ଖୋଲିବାକୁ ଯାଉଛନ୍ତି। ଯେଉଁଠି ସ୍ଥାନୀୟ ଅଞ୍ଚଳର ୧୫ରୁ ୨୦ ଜଣ ଲେଖାଏଁ ପିଲା ଟ୍ୟୁସନ୍‌ ହେଉଛନ୍ତି। ଏମାନଙ୍କୁ ପାଠ ପଢ଼ାଉଛନ୍ତି ସେହି ଅଞ୍ଚଳର କିଛି ବେକାର ଯୁବକଯୁବତୀ।

ଯେଉଁମାନେ ପାଠ ପଢ଼ି କର୍ମସଂସ୍ଥାନ ମିଳୁ ନଥିବାରୁ ବେକାର ହୋଇ ବୁଲୁଥିଲେ। ଅଜିତ ଏମାନଙ୍କୁ ମଧ୍ୟ ପାର୍ଟ ଟାଇମ୍‌ କର୍ମସଂସ୍ଥା ‌ଯୋଗାଇ ଦେଇଛନ୍ତି। ସମସ୍ତ  ଖର୍ଚ୍ଚ ବହନ କରୁଛନ୍ତି ସରପଞ୍ଚ ଅଜିତ ତାଙ୍କର କିଛି ଯୁବ ସହଯୋଗୀ। ସରପଞ୍ଚଙ୍କର ଏଭଳି ନିଆରା ପ୍ରୟାସକୁ ସ୍ଥାନୀୟ ଅଞ୍ଚଳବାସୀ ବେଶ୍‌ ପ୍ରଶଂସା କରିଛନ୍ତି। ସହର ଉପଖଣ୍ଡ ଝିରପାଣି ପଞ୍ଚାୟତରେ ୨୦ଟି ୱାର୍ଡରେ ଅନେକ ବସ୍ତି ରହିଛି। ବସ୍ତିରେ ପ୍ରାୟ ଅଧିକାଂଶ ଗରିବ ଆଦିବାସୀ ଦିନ ମଜୁରିଆ କାମ କରି ପରିବାର ପ୍ରତିପୋଷଣ କରିଛନ୍ତି। କାମ ପାଇଲେ ସେମାନଙ୍କ ପରିବାର ପେଟକୁ ଦାନା ମିଳେ। ନ ହେଲେ ଭୋକ ଉପାସରେ ଦିନ କାଟନ୍ତି। ଏଭଳି ଆର୍ଥିକ ସଙ୍କଟ ମଧ୍ୟରେ କିଛି ଆଦିବାସୀ ସେମାନଙ୍କ ପିଲାମାନଙ୍କୁ ପ୍ରାଥମିକ ଶିକ୍ଷା ଦେବାରୁ ବଞ୍ଚିତ ହେଉଛନ୍ତି।

ଖାତା, ପେନ୍‌ସିଲ୍ ଓ କଲମ ନଥିବାରୁ  ସେମାନେ ସ୍କୁଲକୁ ପାଠ ପଢ଼ିବାକୁ ଯାଆନ୍ତି। ବସ୍ତିର ଏଭଳି ପିଲାଙ୍କୁ ଚିହ୍ନଟ କରି ସରକାରୀ ସ୍କୁଲରେ ନାମ ଲେଖାଇବା। ସେମାନଙ୍କୁ ମାଗଣାରେ ଖାତା, କଲମ, ପୋଷାକ ଆଦି ଯୋଗାଇ ଦେଉଛନ୍ତି। ବସ୍ତିର ପ୍ରାୟ ୨୯୪ରୁ ଅଧିକ ଅଭିଭାବକ  ଝିରପାଣି ସରପଞ୍ଚ କାର୍ଯ୍ୟାଳୟରେ ପହଞ୍ଚି ଅଜିତଙ୍କୁ  ମାଗଣାରେ ଟ୍ୟୁସନ୍‌ ଯୋଗାଇ ଦେବାକୁ ଅନୁରୋଧ କରିଥିଲେ। ପୁଣି କିଏ ଖାତା, ବହି ଓ କଲମ ତ ଅନ୍ୟ କିଏ ପୋଷାକ ଯୋଗାଇ ଦେବାକୁ ସରପଞ୍ଚକୁ ଗୁହାରି କରୁଛନ୍ତି। ଅଜିତ ନିଜ ଖର୍ଚ୍ଚରେ କିଛି ପିଲାଙ୍କୁ ଖାତା, ପେନ୍‌ସିନ୍‌ ଓ ବହି ଆଦି ଯୋଗାଇ ଦେଇ ସାରିଛନ୍ତି। ଆଗାମୀ ଦିନରେ ତାଙ୍କର ଏଭଳି ଜନକଲ୍ୟାଣକାରୀ କାର୍ଯ୍ୟକ୍ରମ ଜାରି ରହିବ ବୋଲି କହିଛନ୍ତି ଅଜିତ ।‌ ସେ କହିଛନ୍ତି, ତାଙ୍କ ପଞ୍ଚାୟତ ଅଧୀନରେ ଅନେକ ବସ୍ତିର ଗରିବ ପିଲା ଖାତା, ବହି ଓ କଲମ ନଥିବାରୁ ସ୍କୁଲ ଯାଉ ନାହାନ୍ତି। ଏମାନେ କିପରି ଅନ୍ୟମାନଙ୍କ ପରି ପାଠ ପଢ଼ିବେ। ଭବିଷ୍ୟତରେ ଭଲ ମଣିଷ ହେବ, ତାହା ତାଙ୍କର ଲକ୍ଷ୍ୟ କହିଛନ୍ତି। ଆବଶ୍ୟକ ଅର୍ଥରୁ କିଛି ନିଜ ପକେଟ୍‌ରୁ ଓ ଅବଶିଷ୍ଟ ଅର୍ଥ ତାଙ୍କୁ ଯୁବକର୍ମୀମାନେ ଦେଉଛନ୍ତି। ବାସ୍ତବରେ ସରପଞ୍ଚ ଅଜିତ  ତିର୍କୀ ଅନ୍ୟମାନଙ୍କ ପାଇଁ ପ୍ରେରଣା ନିଶ୍ଚିତ।

ସମ୍ବନ୍ଧିତ ଖବର