ଗୋପ : ନିର୍ବାଚନ ଆସିଲେ ଭୋଟରଙ୍କୁ ପ୍ରଭାବିତ କରିବାକୁ ନେତାମାନେ ଟଙ୍କା ବାଣ୍ଟିବାର ନଜିର ରହିଛି। କିନ୍ତୁ ଭୋଟରଙ୍କୁ ପ୍ରଭାବିତ କରିବା ପାଇଁ ବ୍ୟାଙ୍କ ଚେକ୍ ବାଣ୍ଟିବା ଆଶ୍ଚର୍ଯ୍ୟ ଲାଗିପାରେ। ଆଜି କିନ୍ତୁ ‌‌ଗୋପ ବ୍ଲକ୍‌ ନୂଆଖୋଲମରା ପଞ୍ଚାୟତରେ ଜଣେ ସରପଞ୍ଚ ପ୍ରାର୍ଥୀ ଭୋଟ୍‌ ପାଇଁ ଭୋଟରଙ୍କୁ ବ୍ୟାଙ୍କ ଚେକ୍‌ ବାଣ୍ଟିଛନ୍ତି। ଏଭଳି ପରସ୍ଥିତି ସମସ୍ତଙ୍କୁ ଆଚମ୍ବିତ କରିବା ସହ ରାଜନୈତିକ ମହଲରେ ଆଲୋଡ଼ନ ସୃଷ୍ଟି କରିଛି। ଏହି ବିବାଦୀୟ ଘଟଣା ସାମ୍ନାକୁ ଆସିବା ପରେ ସରପଞ୍ଚ ପ୍ରାର୍ଥୀ ଜଣକ ହରଡ଼ଘଣାରେ ପଡ଼ିଛନ୍ତି। ରାଜ୍ୟ ନିର୍ବାଚନ କମିସନଙ୍କ ନିକଟରେ ଏହି ଅଭିଯୋଗ ପହଞ୍ଚିବା ପରେ ତହସିଲଦାର ସେକ୍ ସାଗୀରଙ୍କୁ ଘଟଣାର ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି। ଘଟଣାରେ କେତେ ସତ୍ୟତା ରହିଛି, ତାର ତଦନ୍ତ କରି ଜିଲ୍ଲା ପର୍ଯ୍ୟବେକ୍ଷକଙ୍କୁ ଜଣାଇବାକୁ କୁହାଯାଇଛି।

Advertisment

ଗୋପ ବ୍ଲକ୍‌ ନୂଆଖୋଲମରା ପଞ୍ଚାୟତର ସରପଞ୍ଚ ପ୍ରାର୍ଥୀ ଉପେନ୍ଦ୍ର କାନୁନ୍‌ଗୋ ସ୍ୱୟଂ ସହାୟକ ଗୋଷ୍ଠୀକୁ ନିଜ ସପକ୍ଷରେ ଭୋଟ୍ ଦେବା ପାଇଁ ପ୍ରତି ସ୍ବୟଂ ସହାୟକ ଗୋଷ୍ଠୀ ପିଛା ତିନି ହଜାର ଟଙ୍କାର ଚେକ୍ ବାଣ୍ଟିବାର ଅଭିଯୋଗ ହୋଇଛି। ପଞ୍ଚାୟତର ସ୍ବୟଂ ସହାୟକ ଗୋଷ୍ଠୀର ସଦସ୍ୟମାନେ ଏଭଳି ସାଂଘାତିକ ଅଭିଯୋଗ ଆଣିଛନ୍ତି। ଏହି ଚେକ୍‌ରେ ଶ୍ରୀ କାନୁନ୍‌ଗୋ ନିଜେ ଦସ୍ତଖତ କରିଥିବାବେଳେ ଚେକ୍‌ ସବୁ ଗୋପ ‌ଷ୍ଟେଟ୍‌ ବ୍ୟାଙ୍କ୍‌ର ଏବଂ ଏହାର ଆକାଉଣ୍ଟ ନମ୍ବର ୩୪୫୮୭୭୦୪୩୮୧ ବୋଲି ଜଣାପଡ଼ିଛି। ଏଭଳି ଦୁଇଟି ଚେକ୍‌ ‘ସମ୍ବାଦ’ର ହସ୍ତଗତ ହୋଇଥିବା ବେଳେ ଏହାର ନମ୍ବର ଯଥାକ୍ରମେ ୯୨୮୯୭୮ ଓ ୯୨୮୯୮୦ ରହିଛି। କୌଣସି ଚେକ୍‌ରେ ତାରିଖ ଉଲ୍ଲେଖ କରାଯାଇନାହିଁ। ଏହିଭଳି ଅନେକ ଚେକ୍ ନୂଆଖୋଲମରା ପଞ୍ଚାୟତରେ ବଣ୍ଟାଯାଇଥିବା ସ୍ବୟଂ ସହାୟକ ଗୋଷ୍ଠୀର ମହିଳାମାନେ ଅଭିଯୋଗ କରିଛନ୍ତି। ମହିଳା ଗୋଷ୍ଠୀମାନେ ନିଜେ ଏକ ସ୍ୱଚ୍ଛ ବ୍ୟକ୍ତିଙ୍କୁ ଭୋଟ୍ ଦେବାକୁ ନିଷ୍ପତ୍ତି ନେଇଥିବାରୁ ଏଭଳି ଏକ କାର୍ଯ୍ୟରେ ଅସନ୍ତୋଷ ପ୍ରକାଶ କରି ଏହାକୁ ଗଣମାଧ୍ୟମ ସାମ୍ନାକୁ ଆଣିଥିବା ପ୍ରତିକ୍ରିୟାରେ କହିଛନ୍ତି।

ନୂଆଖୋଲମରା ପଞ୍ଚାୟତ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ସଦସ୍ୟା ମୋନାଲିସା ପାଣି କହିଛନ୍ତି ଯେ ଆମକୁ ଭୋଟ୍ ଦେବାକୁ ଜୋର ଜବରଦସ୍ତ ଶ୍ରୀ କାନୁନଗୋ ତିନି ହଜାର ଟଙ୍କାର ଏକ ଚେକ୍ ପ୍ରଦାନ କରିଥିଲେ। କିନ୍ତୁ ଆମେ ଭୋଟ୍ ଦେବାକୁ ରୋକ୍‌ଠୋକ୍ ମନା କରିବାରୁ ସେ ଅନ୍ୟ ଗୋଷ୍ଠୀମାନଙ୍କୁ ଏଭଳି ଚେକ୍ ପ୍ରଦାନ କରିଛନ୍ତି। ଏହି ଅଭିଯୋଗକୁ ଶ୍ରୀ କାନୁନ୍‌ଗୋ ଖଣ୍ଡନ କରିଛନ୍ତି। ସେ କହିଛନ୍ତି ଯେ ମୋର ଚେକ୍ ବହି ହଜିଯାଇଥିଲା। ମୁଁ ଏ ସମ୍ପର୍କରେ ଗତକାଲି ଗୋପ ଥାନାରେ ଲିଖିତ ଅଭିଯୋଗ କରିବି। ଅନ୍ୟପକ୍ଷରେ ଗୋପ ବିଡିଓ ତଥା ଗୋପ ବ୍ଲକ୍‌ ନିର୍ବାଚନ ଅଧିକାରୀ ଦୀପ୍ତିରାଣୀ ଦାସ କହିଛନ୍ତି ଯେ ଆମେ ଏ ନେଇ ଅଭିଯୋଗ ପାଇବା ପରେ ତଦନ୍ତ ଜାରି ରଖିଛୁ। ଯଦି କେହି ଦୋଷୀ ଥିବେ, ନିଶ୍ଚିତ କାର୍ଯ୍ୟାନୁଷ୍ଠାନ ହେବ ବୋଲି ସେ କହିଛନ୍ତି।