ଚାକିରି ଛାଡି ରାଜନୀତିକୁ ଓହ୍ଲାଇଲେ ବିଟେକ୍ ଇଞ୍ଜିନିୟର, ଚର୍ଚ୍ଚାରେ ସରପଞ୍ଚ ପ୍ରାର୍ଥୀ ସୁଜିତ୍

ଭୁବନେଶ୍ବର: ବଦଳିବ ଗାଁ, ବଦଳିବ ପଞ୍ଚାୟତ । ଗାଁଗଣ୍ଡାର ହେବ ସର୍ବାଙ୍ଗୀନ ବିକାଶ। ନିର୍ବାଚନ ଆସିଲେ ଏ ନାରା ସବୁନେତାଙ୍କ ମୁହଁରୁ ଶୁଣିବାକୁ ମିଳେ। ଘରଘର ବୁଲି ପୁଳାପୁଳା ପ୍ରତିଶ୍ରୁତି ଦିଅନ୍ତି ପୁରୁଖା ପ୍ରାର୍ଥୀ। ହେଲେ ଭୋଟ ସରିବା ପରେ ସରିଯାଏ ସମ୍ପର୍କ । ଲିଭିଯାଏ ପ୍ରତିଶ୍ରୁତି । କିନ୍ତୁ ସେହି ଚିରାଚରିତ ପ୍ରତିଶ୍ରୁତିରୁ ବାହାରି କିଛି ଭିନ୍ନ କରିବାରୁ ପ୍ରତିଜ୍ଞା ନେଉଛନ୍ତି ଯୁବପିଢି । ଲୋକେ ବି କିଛି ପରିବର୍ତ୍ତନ ଆଶାରେ ପୁରୁଖାଙ୍କୁ ପାଶୋରି ନୂଆ ଚେହେରାଙ୍କ ଉପରେ ବିଶ୍ୱାସ ଜନ୍ମାଉଛନ୍ତି । ଆଉ ଯୁବପିଢି ନିଜ ଅଞ୍ଚଳର ବିକାଶ ପାଇଁ ରାଜନୀତିରେ ପାଦ ଥାପିବା ଆରମ୍ଭ କରିଛନ୍ତି ।

ଏଇ ଯେମିତି ବିଟେକ୍ ଇଞ୍ଜିନିୟରରୁ ସରପଞ୍ଚ ପ୍ରାର୍ଥୀ ବନିଛନ୍ତି ଅନୁଗୁଳ ବ୍ଲକ ପୋକତୁଙ୍ଗା ପଞ୍ଚାୟତର ସୁଜିତ ମହାଳିକ । ତିନି ତିନିଟି ଚାକିରୀ ଛାଡି ସରପଞ୍ଚ ହେବାକୁ ମନ ବଳାଇଛନ୍ତି ସୁଜିତ । ବିଜେଡି ପକ୍ଷରୁ ସେ ପ୍ରାର୍ଥୀ ଭାବେ ଟିକେଟ୍ ପାଇଥିବା ବେଳେ ଇତି ମଧ୍ୟରେ ନାମାଙ୍କନ ପତ୍ର ଦାଖଲ କରି ସାରିଛନ୍ତି । ଆଉ ଇଞ୍ଜିନିୟର ଭଳି ଚାକିରି, ଟଙ୍କା ଛାଡି ସେ ନିଜ ଅଞ୍ଚଳର ବିକାଶ ପାଇଁ ଅଣ୍ଟା ଭିଡିଛନ୍ତି । ନିର୍ବାଚନରେ ଅନ୍ୟ ଦଳ ସହ ଲଢେଇ କରୁଛନ୍ତି ।

ପୋକତୁଙ୍ଗା ପଞ୍ଚାୟତ ଆସନ ଅନୁସୂଚିତ ଜାତି ପାଇଁ ସଂରକ୍ଷିତ ଥିବା ବେଳେ ବିଜୁ ଜନତା ଦଳ ପକ୍ଷରୁ ଯୁବ ଇଂଜିନିୟର ସୁଜିତ ମହାଳିକଙ୍କୁ ସରପଞ୍ଚ ପ୍ରାର୍ଥୀ ଭାବେ ଚୟନ କରାଯାଇଛି । ସୁଜିତ ଉକ୍ତ ଅଞ୍ଚଳରେ ଜଣେ ଉଚ୍ଚ ଶିକ୍ଷିତ ଯୁବକ ହୋଇଥିବାରୁ ବିଜେଡି ତାଙ୍କ ଉପରେ ଭରସା କରି ପ୍ରାର୍ଥୀ କରିଛି ।

ବନ୍ତଳା ଚନ୍ଦ୍ରଶେଖର ମହାବିଦ୍ୟାଳୟରୁ ବିଜ୍ଞାନରେ +୨ ପାସ କରିବା ପରେ ସରକାରୀ ଇଂଜିନିୟରିଂ କଲେଜରେ ଡିପ୍ଲୋମା ଓ ବିଟେକ ପାସ ଆଉଟ କରିଛନ୍ତି ସୁଜିତ। ଇଂଜିନିୟର ଭାବେ ତାଙ୍କର ଦୁଇ ବର୍ଷର ଅଭିଜ୍ଞତା ପରେ ତିନୋଟି କମ୍ପାନୀରେ ଚାକିରି କରିଥିଲେ । କିନ୍ତୁ ଚାକିରି ଛାଡି ଅଞ୍ଚଳର ବିକାଶ ପାଇଁ ସେ ଏବେ ନିର୍ବାଚନୀ ମୈଦାନକୁ ଓହ୍ଲାଇଛନ୍ତି ।

ସେପଟେ ସୁଜିତ ଚାକିରି ଛାଡି ରାଜନୀତିରେ ପାଦ ଦେବା ପରେ ପରିବାର ଲୋକେ ଖୁସି ଅଛନ୍ତି । ସୁଜିତଙ୍କ ବାପା ଜଣେ ଚାଷୀ । ଚାଷ କରି ସେ ପୁଅକୁ ଇଞ୍ଜିନିୟର କରିଥିଲେ । ପୁଅ ଟଙ୍କା ରୋଜଗାର କରୁ, ଏ ଇଚ୍ଛା ସବୁ ବାପାଙ୍କର ଥାଏ । ହେଲେ ସୁଜିତଙ୍କ ବାପା କିନ୍ତୁ ପୁଅ ରାଜନୀତିରେ ଲୋକଙ୍କ ସେବା କରିପାରିବ ବୋଲି ଖୁସି ଅଛନ୍ତି । ପୋକତୁଙ୍ଗା ପଞ୍ଚାୟତ ଚାଷ ବହୁଳ ହୋଇଥିବାରୁ ଅନେକ ଲୋକ ଚାଷ ଉପରେ ନିର୍ଭର କରନ୍ତି । ତେଣୁ ଚାଷ କ୍ଷେତ୍ରରେ ବିକାଶପ୍ରିବାକୁ ସୁଜିତ ଲକ୍ଷ୍ୟ ରଖିଛନ୍ତି ।

ଅନ୍ୟପଟେ ଯୁବଗୋଷ୍ଠୀଙ୍କ ପାଇଁ କିଛି ନୂଆ କରିବାକୁ ପ୍ରତିଶ୍ରୁତି ଦେଉଥିବା ସୁଜିତ ଉଚ୍ଚ ଶିକ୍ଷିତ ହୋଇଥିବାରୁ ଲୋକଙ୍କ ସମସ୍ୟାକୁ ତୃଣମୂଳସ୍ତରରେ ବୁଝି ତାର ସମାଧାନ କରିପାରିବେ ବୋଲି ସ୍ଥାନୀୟ ଲୋକେ ଏବଂ ତାଙ୍କ ସମର୍ଥିତ ଲୋକେ ଆଶା ବାନ୍ଧିଛନ୍ତି । ତେଣୁ ଇଞ୍ଚିନିୟରରୁ ସରପଞ୍ଚ ପ୍ରାର୍ଥୀ ବନିଥିବା ସୁଜିତ ଲୋକଙ୍କ ବିଶ୍ୱାସ କେତେ ଜିତୁଛନ୍ତି, ଭରସାର ଭୋଟ କେତେ ପାଉଛନ୍ତି ତାହା ଫଳାଫଳ ବାହାରିବା ପରେ ହିଁ ସ୍ପଷ୍ଟ ହେବ ।

ସମ୍ବନ୍ଧିତ ଖବର