ନିଖୋଜ ସରପଞ୍ଚ ପ୍ରାର୍ଥୀଙ୍କୁ ଉଦ୍ଧାର କଲା ପୁଲିସ, ୧୩ ହଜାର ନଗଦ ଟଙ୍କା ଓ ସ୍ମାର୍ଟ ଫୋନ ଲୁଟିନେଇଛନ୍ତି ଦୁର୍ବୁତ୍ତ

ବିଶୋଇ: ମୟୂରଭଞ୍ଜ ଜିଲ୍ଲା ବିଶୋଇ ବ୍ଲକରେ ଆଜି ମତଦାନ ଥିବାବେଳେ ନିର୍ବାଚନ ପୂର୍ବରୁ ଏହି ବ୍ଲକର ଭାତଛତ୍ର ପଞ୍ଚାୟତର ଯୁବ ସରପଞ୍ଚ ପ୍ରାର୍ଥୀ ସଦାନନ୍ଦ ଟୁଡୁ ନିଖୋଜ ହୋଇଯାଇଥିବା ଖବର ମିଳିଥିଲା। ଏହି ଖବର ସାରା ଜିଲ୍ଲାରେ ଚହଳ ପକାଇଦେଇଥିଲା। ତେବେ ନିଖୋଜ ଥିବା ଉକ୍ତ ସରପଞ୍ଚ ପ୍ରାର୍ଥୀଙ୍କୁ ଗତକାଲି ବିଳମ୍ବିତ ରାତିରେ ପୁଲିସ ଉଦ୍ଧାର କରିଥିବାବେଳେ ଉକ୍ତ ପ୍ରାର୍ଥୀଙ୍କୁ ଗତ ୨୨ ତାରିଖ ସନ୍ଧ୍ୟା ସମୟରେ ବବେଇଜଳା ଛକରୁ ୪ ଜଣ ଦୁର୍ବୁତ୍ତମାନେ ଏକ ବୋଲେର ଗାଡି ସାହାଯ୍ୟରେ ଅପହରଣ କରି ନେଇଥିଲେ ବୋଲି ଜଣାପଡ଼ିଛି।

ଅପହରଣ ପରେ ତାଙ୍କଠାରୁ ୧୩ ହଜାର ଟଙ୍କା ଓ ମୋବାଇଲ ଚୋରି କରି ନେଇଥିବା କହିଛନ୍ତି ଉଦ୍ଧାର ହୋଇଥିବା ସରପଞ୍ଚ ପ୍ରାର୍ଥୀ। ଅପହରଣ ପରେ ଚୋରି କରିବା ସହ ସରପଞ୍ଚ ପ୍ରାର୍ଥୀଙ୍କୁ ବାଙ୍ଗରିପୋଷି ଥାନା ଅନ୍ତର୍ଗତ ଘାଟକୁଆଳି ଅଞ୍ଚଳରେ ମୁର୍ମୁଷ ଅବସ୍ଥାରେ ଛାଡି ପଳାଇଯାଇଥିବା ପୁଲିସ ଆଗରେ କହିଛନ୍ତି ସରପଞ୍ଚ ପ୍ରାର୍ଥୀ।

ସୂଚନାଥାଉକି, ବିଶୋଇ ବ୍ଲକର ଭାତଛତ୍ର ପଞ୍ଚାୟତର ବବେଇଜଳା ଗ୍ରାମର ସଦାନଦ ଟୁଡୁ ଚଳିତ ପଞ୍ଚାୟତ ନିର୍ବାଚନରେ ଭାତଛତ୍ର ପଞ୍ଚାୟତ ନିମନ୍ତେ ସରପଞ୍ଚ ପ୍ରାର୍ଥୀ ଭାବରେ ଛିଡା ହୋଇଥିଲେ। ଗତ ୨୨ ତାରିଖ ସନ୍ଧ୍ୟା ସମୟରେ ସଦାନଦ ଘରୁ ବାହାରିଥିବା ବେଳେ ପରେ ଆଉ ଘରକୁ ଫେରିନଥିଲେ। ଘରକୁ ନଫେରିବାରୁ ସଦାନନ୍ଦଙ୍କ ପତ୍ନୀ ବାସନ୍ତୀ ଟୁଡୁ ନିଜ ସ୍ୱାମୀ ନିଖୋଜ ଥିବା ଜାଣି ଗତକାଲି ବିଶୋଇ ଥାନାରେ ଏନେଇ ଏକ ଲିଖିତ ଅଭିଯୋଗ କରିଥିଲେ। ଏହି ଘଟଣାକୁ ନେଇ ବିଶୋଇ ଥାନାରେ କେସ ନଂ ୨୮/୨୨ ରେ ଏକ ମାମଲା ରୁଜ୍ଜୁ କରାଯାଇ ପୁଲିସ ଦ୍ୱାରା ଘଟଣାର ତଦନ୍ତ ଆରମ୍ଭ କରାଯାଇଥିଲା।

ଏସ.ପି ଋଷିକେଶ ଖିଲାରୀଙ୍କ ନିର୍ଦ୍ଦେଶକ୍ରମେ ଅତିରିକ୍ତ ଏସ୍.ପି ମନୋରଞ୍ଜନ ବିଶ୍ବାଳଙ୍କ ତତ୍ତ୍ୱାବଧାନରେ ରାଇରଙ୍ଗପୁର ଏସ.ଡ଼ି.ପି.ଓ ରତିକାନ୍ତ ଗିରି, ରାଇରଙ୍ଗପୁର ଟାଉନ ଥାନା ଆଇ.ଆଇ.ସି ଅଜୟ ସୁନ୍ଦର ବାଗେ ଓ ବିଶୋଇ ଥାନା ଅଧିକାରୀ ଫଣିନ୍ଦ୍ର ଭୂଷଣ ନାଏକଙ୍କୁ ନେଇ ଏକ ସ୍ୱତନ୍ତ୍ର ଟିମ ଗଠନ କରାଯାଇ ଘଟଣାର ତଦନ୍ତ ଆରମ୍ଭ କରାଯାଇଥିଲା। ପୂଲିସ ଟିମ ନିଖୋଜ ପ୍ରାର୍ଥୀଙ୍କୁ ଉଦ୍ଧାର ପାଇଁ ଗତକାଲିଠାରୁ ସକ୍ରିୟ ରହିଥିବା ବେଳେ ବିଳମ୍ବିତ ରାତିରେ କେନ୍ଦୁମରା ଗ୍ରାମରୁ ନିଖୋଜ ସଦାନଦଙ୍କୁ ଉଦ୍ଧାର କରି ବିଶୋଇ ଥାନାକୁ ଆଣିଥିଲେ।

ଉଦ୍ଧାର ପରେ ସରପଞ୍ଚ ପ୍ରାର୍ଥୀଙ୍କ କହିଛନ୍ତି ଯେ, ଗତ ୨୨ ତାରିଖ ସନ୍ଧ୍ୟା ସମୟରେ ନିଜର ବାଇକ ଯୋଗେ କେନ୍ଦୁମରା ଓ ଭାତଛତ୍ର ଗ୍ରାମରେ ନିର୍ବାଚନୀ ପ୍ରଚାର ସାରି ୪୯ ନଂ ଜାତୀୟ ରାଜପଥ କଡ଼ସ୍ଥିତ ବବେଇଜଳା ଛକଠାରେ ଠିଆ ହୋଇଥିଲେ। ଏହି ସମୟରେ ଏକ ଅଜଣା ବୋଲେରୋ ଗାଡି ସଦାନନ୍ଦଙ୍କ ନିକଟରେ ଛିଡ଼ା ହୋଇଥିଲା। ବୋଲେରୋ ଗାଡି ମଧ୍ୟରେ ଥିବା ଡ୍ରାଇଭର ସମେତ ଅନ୍ୟ ୩ ଜଣ ଦୁର୍ବୁତ୍ତ ସଦାନନ୍ଦଙ୍କୁ ବୋଲେରୋ ନିକଟକୁ ଡାକିଥିଲେ। ସଦନାନ୍ଦ ବୋଲେରୋ ନିକଟକୁ ଯିବ‌ାପରେ ତାଙ୍କୁ ଦୁର୍ବୁତ୍ତମାନେ ଜୋର ଜବରଦସ୍ତ ବୋଲେରୋ ମଧ୍ୟକୁ ଟାଣି ନେଇ ତାଙ୍କଠାରୁ ମୋବାଇଲ ଫୋନ ଛଡ଼ାଇନେଇଥିଲେ। ଏହା ପରେ ସଦାନନ୍ଦ ସଙ୍ଗେ ସଙ୍ଗେ ଅଚେତ ହୋଇଯିବା କାରଣରୁ କିଛି ଜାଣି ପାରିନଥିଲେ। ଗତକାଲି ମଧ୍ୟାହ୍ନ ସମୟରେ ବାଙ୍ଗରିପୋଷି ଥାନା ଅନ୍ତର୍ଗତ ଘାଟକୁଆଁଳି ଗ୍ରାମ ନିକଟସ୍ଥ ଏକ ନିଛାଟିଆ ଅଞ୍ଚଳରେ ସଦାନନ୍ଦ ଚେତା ଫେରି ପାଇବା ସହିତ ମୁର୍ମୁଷ ଅବସ୍ଥାରେ ନିଜକୁ ପାଇଥିଲେ । ସଦନାନ୍ଦ ତାଙ୍କ ପ୍ୟାଣ୍ଟ ପକେଟରେ ରଖିଥିବା ୧୩ ହଜାର ନଗଦ ଟଙ୍କା ଓ ସ୍ମାର୍ଟ ଫୋନ ପାଇନଥିବା କାରଣରୁ କାହାକୁ ଯୋଗାଯୋଗ ମଧ୍ୟ କରିପାରିନଥିଲେ। ପରେ ସଦାନନ୍ଦ ଘାଟକୁଆଁଳି ଅଞ୍ଚଳରୁ ଏକାକୀ ଚାଲିଚାଲି ରଙ୍ଗାମାଟିଆ ଗ୍ରାମ ଦେଇ ଗତକାଲି ବିଳମ୍ବିତ ରାତିରେ କେନ୍ଦୁମରା ଗ୍ରାମରେ ପହଞ୍ଚିଥିଲେ। କେନ୍ଦୁମରା ଗ୍ରାମର ନାଏବ ସରପଞ୍ଚ ଚନ୍ଦ୍ରମୋହନ ଗିରିଙ୍କୁ ସମ୍ପୂର୍ଣ୍ଣ ଘଟଣା କହିବା ପରେ ନାଏବ ସରପଞ୍ଚ ବିଶୋଇ ଥାନାକୁ ଖବର ଦେଇଥିଲେ। ପରେ ଘଟଣାରେ ସକ୍ରିୟ ଥିବା ପୁଲିସ ଟିମ କେନ୍ଦୁମରା ଗ୍ରାମରେ ପହଞ୍ଚି ସଦାନନ୍ଦଙ୍କୁ ଉଦ୍ଧାର କରିବା ସହିତ ଥାନାକୁ ଆଣିଥିଲେ।

ଆଜି ପୁଲିସ ନିଖୋଜ ପ୍ରାର୍ଥୀ ସଦାନନ୍ଦଙ୍କ ସମସ୍ତ ବୟାନ ରେକର୍ଡ କରିବା ସହିତ ଅପହରଣରେ ସଂପୃକ୍ତ ଥିବା ଦୁର୍ବୁତ୍ତମାନଙ୍କୁ ଯଥାଶୀଘ୍ର ଠାବ କରିବା ପାଇଁ ପ୍ରକ୍ରିୟା ଚଳାଇଛି ବୋଲି ଅତିରିକ୍ତ ଏସ.ପି ଶ୍ରୀ ବିଶ୍ୱାଳ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର